ଜୟପୁର: କଂଗ୍ରେସର ବରିଷ୍ଠ ନେତା ଅଶୋକ ଗେହଲଟ୍ ତୃତୀୟ ଥର ପାଇଁ ରାଜସ୍ଥାନର ମୁଖ୍ୟମନ୍ତ୍ରୀ ଭାବେ ସୋମବାର ଶପଥ ଗ୍ରହଣ କରିଛନ୍ତି । ତାଙ୍କ ସହ ନୂଆ ସରକାରର ଉପ-ମୁଖ୍ୟମନ୍ତ୍ରୀ ଭାବେ ସଚିନ ପାଇଲଟ୍ ଶପଥ ପାଠ କରିଛନ୍ତି । ରାଜ୍ୟପାଳ କଲ୍ୟାଣ ସିଂହ ଉଭୟଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି। କଂଗ୍ରେସ ଅଧ୍ୟକ୍ଷ ରାହୁଳ ଗାନ୍ଧୀ, ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂ ଏବଂ ଅନ୍ୟ ବରିଷ୍ଠ ନେତାଙ୍କ ଉପସ୍ଥିତିରେ ଜୟପୁରର ଆଲବର୍ଟ ହଲ୍ରେ ଏହି କାର୍ଯ୍ୟକ୍ରମ ସମ୍ପନ୍ନ ହୋଇଛି ।
ଅଶୋକ ଗେହଲଟ୍ ରାଜସ୍ଥାନରେ ତୃତୀୟ ଥର ମୁଖ୍ୟମନ୍ତ୍ରୀ ହୋଇଛନ୍ତି । ରାଜ୍ୟରେ ତୃତୀୟ ଥର ମୁଖ୍ୟମନ୍ତ୍ରୀ ହୋଇଥିବା ନେତାଙ୍କ ମଧ୍ୟରୁ ଅଶୋକ ଗେହଲଟ୍ ହେଉଛନ୍ତି ଚତୁର୍ଥ ନେତା । ଗେହଲଟ୍ ଙ୍କ ପୂର୍ବରୁ ଭୈରୋନ୍ ସିଂ ଶେଖାୱତ୍ ଏବଂ ହରିଦେବ ଯୋଶୀ ତିନି ଥର ମୁଖ୍ୟମନ୍ତ୍ରୀ ହୋଇଛନ୍ତି । ମୋହନ ଲାଲ ମୁଖଣ୍ଡିୟା ସବୁଠୁ ଅଧିକ ଥର(୪ ଥର) ଏହି ପଦରେ ରହିଛନ୍ତି । ଗେହଲଟ୍ ୧୯୯୮ ମସିହାରେ ପ୍ରଥମ ଥର ଏବଂ ୨୦୦୮ ମସିହାରେ ଦ୍ବିତୀୟ ଥର ଲାଗି ମୁଖ୍ୟମନ୍ତ୍ରୀ ହୋଇଥିଲେ । ରାଜନୀତିରେ ସକ୍ରିୟା ଥିବା ଗେହଲଟ୍ ଇନ୍ଦିରା ଗାନ୍ଧୀଙ୍କ ସମୟରେ କେନ୍ଦ୍ରମନ୍ତ୍ରୀ ଥିଲେ ।



