ନୂଆଦିଲ୍ଲୀ: ପୁଲୱାମା ଆକ୍ରମଣ ଘଟଣାକୁ ନେଇ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ନିଜର ପ୍ରତିକ୍ରିୟା ରଖିଛନ୍ତି। ଏଠାରେ ଏକ ଖବରଦାତା ସମ୍ମିଳନୀରେ ସେ କହିଛନ୍ତି ଯେ, ଭାରତକୁ ଭାଗ ଭାଗ କରିବା ହେଉଛି ଆତଙ୍କବାଦର ଉଦ୍ଦେଶ୍ୟ। କିନ୍ତୁ କେହି ଏହି ଦେଶକୁ ଭାଗ ଭାଗ କରିପାରିବେ ନାହିଁ। କଂଗ୍ରେସ ସହ ସମସ୍ତ ବିରୋଧୀ ଦଳ ସରକାର ଏବଂ ଯବାନମାନଙ୍କ ସହିତ ଅଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆକ୍ରମଣ ଘଟଣାକୁ ନେଇ କୌଣସି ଦଳ ରାଜନୀତି ନ କରନ୍ତୁ ବୋଲି କହିବା ପରେ ରାହୁଲ ଏହି ପ୍ରତିକ୍ରିୟା ଦେଇଛନ୍ତି। ରାହୁଲ କହିଛନ୍ତି, ଏହା ହେଉଛି ଶୋକ ଏବଂ ଦୁଃଖର ସମୟ। ଏହି ସମୟରେ ଶହୀଦ ହୋଇଥିବା ଏବଂ ଆହତ ହୋଇଥିବା ଯବାନମାନଙ୍କ ପରିବାର ସହିତ ଛିଡ଼ା ହେବା ଉଚିତ। ଏ ସମୟରେ ଅନ୍ୟ କୌଣସି ପ୍ରସଙ୍ଗରେ ଦଳ ଆଲୋଚନା କରିବ ନାହିଁ। ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ କହିଛନ୍ତି ଆତଙ୍କବାଦ ବିରୋଧରେ ଲଢ଼େଇ କରିବା ଲାଗି ଦେଶ ଏକ ରହିଛି। ଆତଙ୍କବାଦ ଦେଶ ଏବଂ ଦେଶବାସୀଙ୍କ ପାଇଁ ଅନେକ ମହାବିପତ୍ତି ଆଣିଛି। ଏହାକୁ ଆଦୌ ବରଦାସ୍ତ କରାଯିବ ନାହିଁ।
ଆମେ ସରକାର ଏବଂ ଯବାନଙ୍କ ସହ ଅଛୁ, ଆମକୁ କେହି ଭାଗ ଭାଗ କରିପାରିବେନି: ରାହୁଲ
Popular Categories



