ମୁମ୍ବଇ: ଆରଏସଏସ ପକ୍ଷରୁ ମୁମ୍ବଇର ମାଜଗାଓଁ କୋର୍ଟରେ ରାହୁଲ ଗାନ୍ଧୀଙ୍କ ନାମରେ ରୁଜୁ ହୋଇଥିବା ଏକ ମାନହାନୀ ମାମଲାର ଶୁଣାଣି ଗୁରୁବାର ହେବ। ଏଥିପାଇଁ ରାହୁଲ ଗୁରୁବାର କୋର୍ଟରେ ହାଜର ହେବେ। କଂଗ୍ରେସ ଅଧ୍ୟକ୍ଷ ପଦବୀରୁ ଇସ୍ତଫା ଦେବା ପରେ ରାହୁଲ ପ୍ରଥମ ଥର ପାଇଁ କୋର୍ଟରେ ହାଜର ହେବେ। ଏହା ପୂର୍ବରୁ ଗୁରୁବାର ସକାଳେ ସେ ମୁମ୍ବଇ ବିମାନବନ୍ଦରରେ ପହଞ୍ଚିଥିଲେ। ସେଠାରେ ବରିଷ୍ଠ କଂଗ୍ରେସ ନେତା ମିଲିନ୍ଦ ଦେଓରା ତାଙ୍କୁ ସ୍ବାଗତ କରିଥିଲେ।
ଆରଏସଏସର ଜଣେ କର୍ମକର୍ତ୍ତା ରାହୁଲଙ୍କ ବିରୋଧରେ ଏକ ମାନହାନି ମାମଲା ଦାୟର କରିଥିଲେ। ବରିଷ୍ଠ ସାମ୍ବାଦିକା ଗୌରୀ ଲଙ୍କେଶଙ୍କ ହତ୍ୟା ପଛରେ ଆରଏସଏସର ହାତ ଥିବା ରାହୁଲ ଅଭିଯୋଗ କରିବା ପରେ ଏହି ମାମଲା ରୁଜୁ ହୋଇଥିଲା। ଆବେଦନକାରୀ ଧୃତିମାନ ଯୋଶୀ ୨୦୧୭ରେ ଏହି ମାମଲା ରୁଜୁ କରିଥିଲେ। ସେ ରାହୁଲଙ୍କ ସମେତ ଉପା ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଏବଂ ସିପିଆଇଏମ ନେତା ସୀତାରାମ ୟେଚୁରୀଙ୍କୁ ମାମଲାରେ ପକ୍ଷଭୁକ୍ତ କରିଥିଲେ। କିନ୍ତୁ କୋର୍ଟ ସୋସିଆଙ୍କ ବିରୋଧରେ ହୋଇଥିବା ଅଭିଯୋଗକୁ ଖାରଜ କରିଦେବା ସହ ରାହୁଲ ଏବଂ ୟେଚୁରୀଙ୍କୁ ସମନ ଜାରି କରିଥିଲେ।
ସୂଚନାଯୋଗ୍ୟ, ୨୦୧୭ ସେପ୍ଟେମ୍ବର ୫ରେ ବେଙ୍ଗାଲୁରୁରେ ବରିଷ୍ଠ ସାମ୍ବାଦିକା ଗୌରୀ ଲଙ୍କେଶଙ୍କୁ ଦୁର୍ବୃତ୍ତମାନେ ତାଙ୍କ ଘର ବାହାରେ ଗୁଳି କରି ହତ୍ୟା କରିଥିଲେ। ଘଟଣାର ଦିନକ ପରେ ରାହୁଲ ଏହି ହତ୍ୟାକାଣ୍ଡ ପଛରେ ଆରଏସଏସର ହାତ ରହିଛି ବୋଲି କହିଥିବା ଆବେଦନକାରୀ ଅଭିଯୋଗ କରିଛନ୍ତି।



