www.samajalive.in
Sunday, December 7, 2025
18.1 C
Bhubaneswar

ସୁପ୍ରିମକୋର୍ଟରେ ଶ୍ରୀମନ୍ଦିର ମାମଲା: ୩ ମନ୍ଦିର ଅନୁଧ୍ୟାନ ପରେ କେନ୍ଦ୍ରର ସତ୍ୟପାଠ ଦାଖଲ

ନୂଆଦିଲ୍ଲୀ : ପୁରୀ ଶ୍ରୀମନ୍ଦିର ସଂସ୍କାର ମାମଲାରେ କେନ୍ଦ୍ର ସରକାର ସତ୍ୟପାଠ ମାଧ୍ୟମରେ ଦେଶର ପ୍ରମୁଖ ଧର୍ମାନୁଷ୍ଠାନର ପରିଚାଳନା ବ୍ୟବସ୍ଥା ଏବଂ ଅନ୍ୟାନ୍ୟ ସୁବିଧା ବିଷୟରେ ରିପୋର୍ଟ ଦେଇଛନ୍ତି। କେନ୍ଦ୍ର ସଂସ୍କୃତି ମନ୍ତ୍ରଣାଳୟ ସତ୍ୟପାଠରେ ଦର୍ଶାଇଛି ଯେ ସୁପ୍ରିମକୋର୍ଟଙ୍କ ଗତ ଜୁନ ୮ତାରିଖ ନିର୍ଦେଶ ଅନୁଯାୟୀ କେନ୍ଦ୍ର ସରକାର ସଂସ୍କୃତି ମନ୍ତ୍ରାଣାଳୟର ଯୁଗ୍ମ ସଚିବଙ୍କ ଅଧ୍ୟକ୍ଷତାରେ ଜୁଲାଇ ୧୨ରେ ଏକ କମିଟି ଗଠନ କରିଛନ୍ତି। କମିଟି ଇତିମଧ୍ୟରେ ତିରୁମାଲା ତିରୁପତି ଦେବସ୍ଥାନମ୍‌, ମା ବୈଷ୍ଣୋଦେବୀ ଓ ଶିରିଡ଼ି ସାଇ ମନ୍ଦିର ପରିଦର୍ଶନ କରି ସେଠାକାର ପରିଚାଳନା ବ୍ୟବସ୍ଥା, ପ୍ରଚଳିତ ସେବା, ଆୟବ୍ୟୟ ହିସାବ, ଭକ୍ତ ଓ ଯାତ୍ରୀଙ୍କ ରହଣି ବ୍ୟବସ୍ଥା, ଦର୍ଶନ ଓ ଧାଡ଼ି ଦର୍ଶନ ବ୍ୟବସ୍ଥା, ଲଙ୍ଗର (ସର୍ବସାଧାରଣ ଭୋଜନ) ବ୍ୟବସ୍ଥା, ପୂଜକ ଓ ସେବାୟତଙ୍କ ପାଉଣା, ଦାନ ଗ୍ରହଣ ଓ ହୁଣ୍ଡି ବ୍ୟବସ୍ଥା, ପ୍ରସାଦ ବଣ୍ଟନ ବ୍ୟବସ୍ଥା, ଭକ୍ତଙ୍କ ସୁରକ୍ଷା ବ୍ୟବସ୍ଥା, କ୍ୟାମେରା ଆଦି ବିଷୟରେ ଅନୁଧ୍ୟାନ କରିଛନ୍ତି।
ଧର୍ମାନୁଷ୍ଠାନ ଗସ୍ତ ବେଳେ କେନ୍ଦ୍ର ସରକାରଙ୍କ କମିଟି ପ୍ରତ୍ୟେକ ଧର୍ମାନୁଷ୍ଠାନରେ ଶୃଙ୍ଖଳିତ ଦର୍ଶନ ବ୍ୟବସ୍ଥା ରହିଥିବାର ଜାଣିବାକୁ ପାଇଛି। ତିରୁପତି ମନ୍ଦିରରେ ଦୈନିକ ୬୦-୮୦ ହଜାର, ସାଇ ମନ୍ଦିରରେ ଦୈନିକ ୪୦-୪୫ ହଜାର ଓ ବିଶେଷ ଦିନରେ ୭୫-୮୦ ହଜାର ଓ ମା’ ବୈଷ୍ଣୋଦେବୀ ମନ୍ଦିରରେ ଦୈନିକ ୨୫ ହଜାର ଭକ୍ତଙ୍କୁ ଧାଡ଼ି ଦର୍ଶନ ଏବଂ ଅନ୍ୟ ସୁବ୍ୟବସ୍ଥିତ ବ୍ୟବସ୍ଥା ଦ୍ୱାରା ଦର୍ଶନ ଲାଭ ମିଳୁଛି। ତିରୁପତି ମନ୍ଦିରରେ ଭକ୍ତମାନେ ୨-୩ ଘଣ୍ଟା ମଧ୍ୟରେ ସହଜରେ ଦର୍ଶନ ପାଇପାରୁଛନ୍ତି ବୋଲି କମିଟି ସୁପ୍ରିମକୋର୍ଟଙ୍କୁ ଜଣାଇଛି। ଧର୍ମାନୁଷ୍ଠାନ ଗୁଡ଼ିକରେ ମାଗଣା ଦର୍ଶନ ବ୍ୟବସ୍ଥା ଉପଲବ୍ଧ ସହ ଭିଆଇପିଙ୍କ ପାଇଁ ଟିକେଟ୍‌ ବ୍ୟବସ୍ଥା ମଧ୍ୟ ରହିଛି। ତିରୁପତି ମନ୍ଦିରରେ ସ୍ୱତନ୍ତ୍ର ଦର୍ଶନ ଟିକେଟ ୩ ଶହ ଟଙ୍କାରେ ମିଳୁଛି। ଦୈନିକ ୧୭ ହଜାର ସ୍ୱତନ୍ତ୍ର ଦର୍ଶନ ଟିକେଟ ବିକ୍ରି ହେଉଛି ବୋଲି କମିଟି ଗସ୍ତ ବେଳେ ଜାଣିବାକୁ ପାଇଥିଲେ। ସେହିପରି ଆରତି ଦର୍ଶନ ପାଇଁ ସିରିଡ଼ି ସାଇ ମନ୍ଦିରରେ ପ୍ରତି ଟିକେଟ ୪ଶହ ଟଙ୍କାରେ ମିଳୁଛି। ମା’ ବୈଷ୍ଣୋଦେବୀଙ୍କ ମନ୍ଦିରରେ ଭକ୍ତଙ୍କ ଦୁର୍ଘଟଣାରେ ମୃତ୍ୟୁ ଘଟିଲେ ୩ଲକ୍ଷ ଟଙ୍କାର ଅନୁକମ୍ପାମୂଳକ ବୀମା ରାଶି ବିଶେଷ ବ୍ୟବସ୍ଥା ବିଷୟରେ କମିଟି ଜାଣିବାକୁ ପାଇଥିଲା। ପୂଜକ ସେବାୟତଙ୍କ ପ୍ରାପ୍ୟ ଓ ପାଉଣା ପ୍ରସଙ୍ଗରେ ଧର୍ମାନୁଷ୍ଠାନ ଗୁଡ଼ିକରେ ଭିନ୍ନ ପଦ୍ଧତି ରହିଛି। ଦାନ ଗ୍ରହଣ ପ୍ରସଙ୍ଗରେ ଅନୁଧ୍ୟାନ ବେଳେ କୌଣସି ଧର୍ମାନୁଷ୍ଠାନରେ ସିଧାସଳଖ ଦାନ ଗ୍ରହଣ ବ୍ୟବସ୍ଥା ଦେଖିବାକୁ ମିଳିନଥିଲା। ଦାନ ଗ୍ରହଣ ପାଇଁ ମନ୍ଦିର ପରିସରରେ ବିଭିନ୍ନ ସ୍ଥାନରେ ହୁଣ୍ଡି ବସାଯାଇଛି ଓ ଭକ୍ତ ସେସବୁ ହୁଣ୍ଡିରେ ହିଁ ଦାନ ଦେଉଛନ୍ତି।
ତିରୁପତି ମନ୍ଦିରରେ ବଂଶାନୁକ୍ରମେ ସେବା ପୂଜା ଦେଇଆସୁଥିବା ପୂଜକଙ୍କୁ ପାଉଣା ବାବଦକୁ ମାସିକ ୫୫ ହଜାର ଟଙ୍କା ମିଳୁଛି। ସିରିଡ଼ି ସାଇ ମନ୍ଦିରର ସମସ୍ତ ପୂଜକ ମନ୍ଦିର ପରିଚାଳନା ଟ୍ରଷ୍ଟର ସ୍ଥାୟୀ କର୍ମଚାରୀ ଭାବେ କାର୍ଯ୍ୟ କରୁଛନ୍ତି। ମା ବୈଷ୍ଣାଦେବୀଙ୍କ ମନ୍ଦିରରେ ପୂଜକ ମାନେ ପାଳିରେ ଆସି ପୂଜା କରୁଛନ୍ତି। ଏମାନଙ୍କୁ ପରିଚାଳନା ଟ୍ରଷ୍ଟ ପକ୍ଷରୁ ମାସିକ ପାଉଣା ଦିଆଯାଉଛି। ସୁରକ୍ଷା ପ୍ରସଙ୍ଗରେ ଅନୁଧ୍ୟାନ ବେଳେ ତିରୁପତି ମନ୍ଦିର ପରିସରରେ ଏକ ହଜାରରୁ ଊର୍ଦ୍ଧ୍ବ କ୍ୟାମେରା ଲାଗି ଥିବା କମିଟି ଦେଖିବାକୁ ପାଇଛି। ମନ୍ଦିର ପରିସରରେ ଥାନା, ଦମକଳ କେନ୍ଦ୍ର ଓ ହସ୍ପିଟାଲ ରହିଛି। ଶିରିଡ଼ି ସାଇ ମନ୍ଦିରରେ ସୁରକ୍ଷା ମୁଖ୍ୟ ଭାବେ କାର୍ଯ୍ୟରତ ଜଣେ ଡିଏସପି ସ୍ତରର ଅଧିକାରୀଙ୍କ ଅଧୀନରେ ମନ୍ଦିର ପରିସରରେ ୧ ଶହ ପୋଲିସ କର୍ମଚାରୀ, ୮୦ ଜଣ ଅବସରପ୍ରାପ୍ତ ସାମରିକ କର୍ମଚାରୀ ଓ ୭ଶହ ଘରୋଇ ସୁରକ୍ଷା କର୍ମୀ କାମ କରୁଛନ୍ତି। ମା’ ବୈଷ୍ଣୋଦେବୀ ମନ୍ଦିର ପରିସର ନଜର ରଖିବା ପାଇଁ ବ୍ୟାପକ କ୍ୟାମେରା ଲଗାଯାଇ ସମସ୍ତଙ୍କ ଗତିବିଧିକୁ ନିରୀକ୍ଷଣ କରାଯାଉଛି। ଅର୍ଦ୍ଧସାମରିକ ବଳ ଏବଂ ସୁରକ୍ଷାକର୍ମୀଙ୍କ ନଜରରେ ମନ୍ଦିର ପରିସର ରହିଛି। କୌଣସି ପ୍ରାକୃତିକ ବିପର୍ଯୟ ଓ ଅଘଟଣକୁ ଏଡ଼ାଇବା ପାଇଁ ମନ୍ଦିର କର୍ତ୍ତୃପକ୍ଷ ସର୍ବଦା ପ୍ରସ୍ତୁତ ରହିଥିବା ଜଣାପଡ଼ିଥିଲା। ସ୍ୱଚ୍ଛତା ଓ ପରିମଳ ପ୍ରସଙ୍ଗରେ ତିରୁପତିରେ ଉତ୍ସର୍ଗୀକୃତ କର୍ମଚାରୀ ସିଫଟ୍‌(ପାଳି)ରେ କାମ କରୁଛନ୍ତି। ଶିରିଡ଼ିରେ ଟ୍ରଷ୍ଟର ସ୍ଥାୟୀ କର୍ମଚାରୀ ଓ ମା ବୈଷ୍ଣାଦେବୀରେ ୩୪୯୪ ଜଣ କର୍ମଚାରୀ ସ୍ୱଚ୍ଛତା ଓ ପରିମଳ ସେବାରେ ନିୟୋଜିତ କରିଛନ୍ତି। ସମସ୍ତ ଧର୍ମାନୁଷ୍ଠାନରେ ଭକ୍ତ ଓ ପର୍ଯଟକଙ୍କ ପାଇଁ ପର୍ଯ୍ୟାପ୍ତ ଅତିଥିଗୃହ, ଭୋଜନାଳୟ, ଶୌଚାଳୟ, ଚିକିତ୍ସାଳୟ, ଲଙ୍ଗର ଓ ଅନ୍ୟାନ୍ୟ ସୁବିଧା ରହିଛି ବୋଲି କେନ୍ଦ୍ର ସରକାରଙ୍କ କମିଟି ଅନୁଧ୍ୟାନ ବେଳେ ଜାଣିବାକୁ ପାଇଥିବା ରିପୋର୍ଟରେ ଦର୍ଶାଯାଇଛି।

Hot this week

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା ଦାବି: ଗୁଣ୍ଡିଚା ମନ୍ଦିର ଆଗରେ ଧାରଣା ଦେଲେ ପୁରୀବାସୀ

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା କର। ଶ୍ରଦ୍ଧାଳୁ ସୁରୁଖୁରୁରେ କିପରି ମହାପ୍ରଭୁଙ୍କ...

ବାଇକକୁ ଧକ୍କା ଦେଲା ଟ୍ରାକ୍ଟର: ୨ ବନ୍ଧୁ ମୃତ, ଜଣେ ଗୁରୁତର

ବାଣପୁର: ବାଣପୁର ଥାନା ବେଙ୍ଗରାଜପଲ୍ଲୀ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ...

Related Articles

Popular Categories