ପୁରୀ: ସଂରକ୍ଷଣ ତଥା ମରାମତି ପରେ ନୂଆ ରୂପ ପାଇଥିବା ଶ୍ରୀମନ୍ଦିର ମୂଳ ରତ୍ନଭଣ୍ଡାରକୁ ମଙ୍ଗଳବାର ସମସ୍ତ ବହୁମୂଲ୍ୟ ଅଳଙ୍କାର ତଥା ସାମଗ୍ରୀ ସ୍ଥାନାନ୍ତର କରାଯାଇଛି। ଶୁଭବେଳା ଅନୁଯାୟୀ ପୂର୍ବାହ୍ନ ୧୦ଟା ୫୫ରେ ଏହି ସ୍ଥାନାନ୍ତର ପ୍ରକ୍ରିୟା ଆରମ୍ଭ ହୋଇଥିଲା ଓ ଅପରାହ୍ଣ ୨ଟା ୫୫ରେ ଶେଷ ହୋଇଥିଲା। ଶ୍ରୀଜଗନ୍ନାଥ ମନ୍ଦିର ନିୟମାବଳୀ-୧୯୬୦ ଏବଂ ରାଜ୍ୟ ସରକାରଙ୍କ ଅନୁମୋଦିତ ମାର୍ଗଦର୍ଶିକା ଅନୁସାରେ ଏହି କାର୍ଯ୍ୟ ସମ୍ପାଦିତ ହୋଇଛି।
ଏହି ସ୍ଥାନାନ୍ତର ପୂର୍ବରୁ ଚଳିତ ମାସ ୧୯ରେ ନୂଆ ରୂପ ପାଇଥିବା ଭଣ୍ଡାରକୁ ସଂସ୍କାର କରାଯାଇଥିଲା। ମଙ୍ଗଳବାର ଶୁଭବେଳାରେ ରତ୍ନଭଣ୍ଡାର କମିଟି ତଥା ଉଚ୍ଚସ୍ତରୀୟ କମିଟି ସଦସ୍ୟ ପାରମ୍ପରିକ ପୋଷାକ ପିନ୍ଧି ଶ୍ରୀମନ୍ଦିର ପ୍ରଶାସନ ତରଫରୁ ପ୍ରାଧିକୃତ ଜଷ୍ଟିସ୍ ବିଶ୍ବନାଥ ରଥଙ୍କ ସମେତ ୧୧ ଜଣିଆ ଟିମ୍ ରତ୍ନ ଅଳଙ୍କାର ସ୍ଥାନାନ୍ତର ପାଇଁ ଶ୍ରୀମନ୍ଦିର ଭିତରକୁ ପ୍ରବେଶ କରିଥିଲେ। ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଟ୍ରେଜେରିରୁ ଆସିଥିବା ଚାବିରେ ଅସ୍ଥାୟୀ ଭିତର ଭଣ୍ଡାର ବା ଷ୍ଟ୍ରଙ୍ଗରୁମ୍ ଖଟଶେଜ ଘର ଖୋଲା ଯାଇ ସମସ୍ତ ବହୁମୂଲ୍ୟ ସାମଗ୍ରୀ ସେଠାରୁ ସ୍ଥାୟୀ ଭିତର ଭଣ୍ଡାରକୁ ନିଆଯାଇଥିଲା। ସମସ୍ତ ସୁନା ଅଳଙ୍କାର ଓ ସାମଗ୍ରୀ ଯିବା ପରେ ବ୍ୟବସ୍ଥା ଅନୁସାରେ ମୂଳ ଭିତର ରତ୍ନଭଣ୍ଡାରକୁ ତାଲା ପକାଇ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ସିଲ୍ କରାଯାଇଥିଲା ଏବଂ ସମ୍ପୃକ୍ତ ଚାବି ଜିଲା ଟ୍ରେଜେରିରେ ଜମା ଦିଆଯାଇଛି। ଏହାପରେ ବ୍ୟବସ୍ଥା ଅନୁସାରେ ଚାଙ୍ଗଡ଼ା ଘର ଅସ୍ଥାୟୀ ବାହାର ଭଣ୍ଡାର ବା ଷ୍ଟ୍ରଙ୍ଗରୁମ୍ ଖୋଲା ଯାଇଥିଲା। ଗଜପତି ମହାରାଜାଙ୍କ ଚାବି, ଶ୍ରୀମନ୍ଦିର ପ୍ରଶାସନ ଏବଂ ଭଣ୍ଡାର ମେକାପଙ୍କ ତିନୋଟି ଚାବି ଆସି ଏହା ଖୋଲା ଯାଇଥିଲା। ସେଠାରୁ ସମସ୍ତ ସାମଗ୍ରୀ ନୂଆ ରୂପ ପାଇଥିବା ମୂଳ ବାହାର ଭଣ୍ଡାରକୁ ନିଆଯାଇଥିଲା। ସବୁ ସାମଗ୍ରୀ ସ୍ଥାନାନ୍ତର ପରେ ମୂଳ ବାହାର ଭଣ୍ଡାରକୁ ତିନୋଟି ତାଲା ପକାଇ ବନ୍ଦ କରାଯାଇଥିଲା। ଉଭୟ ଭଣ୍ଡାର ସାମଗ୍ରୀ ସ୍ଥାନାନ୍ତର ପ୍ରକ୍ରିୟାର ଭିଡିଓଗ୍ରାଫି କରାଯାଇଥିଲା।
ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ, ଭକ୍ତଙ୍କ ପାଇଁ ମୁଖ୍ୟ ଦେଉଳ ତଥା ଝୁଲଣ ମଣ୍ଡପକୁ ପ୍ରବେଶ ବାରଣ କରାଯାଇଥିଲା। ଏହି ସମୟରେ ଭକ୍ତଙ୍କ ବେଢ଼ା ପରିକ୍ରମା ଉପରେ ମଧ୍ୟ କଟକଣା ଲଗାଯାଇଥିଲା।
ସମଗ୍ର ପ୍ରକ୍ରିୟାରେ ଅକୁଣ୍ଠ ସହଯୋଗ ତଥା ମାର୍ଗଦର୍ଶନ ପାଇଁ ଅଗଣିତ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ଭକ୍ତଙ୍କୁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ. ଅରବିନ୍ଦ ପାଢ଼ୀ ଧନ୍ୟବାଦ ଜଣାଇଛନ୍ତି। ଶ୍ରୀଜୀଉଙ୍କ ଅଳଙ୍କାର ସ୍ଥାନାନ୍ତର ପ୍ରକ୍ରିୟା େଶଷ ହେବା ପରେ ଶ୍ରୀଜୀଉଙ୍କ ଦର୍ଶନ ସ୍ବାଭାବିକ ହୋଇଛି। ପ୍ରକାଶଯୋଗ୍ୟ, ୨୦୨୪ ରଥଯାତ୍ରା ସମୟରେ ମରାମତି ଓ ସଂରକ୍ଷଣ ଉଦ୍ଦେଶ୍ୟରେ ମୂଳ ରତ୍ନଭଣ୍ଡାର ସୁନା ଅଳଙ୍କାର ତଥା ସାମଗ୍ରୀ ଅସ୍ଥାୟୀ ଭଣ୍ଡାର ବା ଷ୍ଟ୍ରଙ୍ଗ ରୁମ୍ ଖଟଶେଜ ଘର, ଚାଙ୍ଗଡ଼ା ଓ ଫୁଲ ଘରକୁ ସ୍ଥାନାନ୍ତର ହୋଇଥିଲା। ଚଳିତ ବର୍ଷ ଜୁଲାଇ ୭ରେ ଏଏସ୍ଆଇ ପକ୍ଷରୁ ମୂଳ ରତ୍ନଭଣ୍ଡାର ମରାମତି ତଥା ସଂରକ୍ଷଣ ଶେଷ ହୋଇଥିଲା।



