ନୂଆଦିଲ୍ଲୀ: ପୁଲୱାମା ଆତ୍ମଘାତୀ ଆତଙ୍କବାଦୀ ଆକ୍ରମଣରେ ବ୍ୟବହୃତ କାର ୨୦୧୦-୧୧ ମସିହାରେ କିଣାଯାଇଥିଲା। ଏହା ଏକ ମାରୁତି ଇକୋ କାର୍ ଥିଲା। କିଛି ଦିନ ପୂର୍ବରୁ କାରଟି ନୂଆ ରଙ୍ଗ ହୋଇଥିଲା। ଆକ୍ରମଣର ତଦନ୍ତ କରୁଥିବା ଜାତୀୟ ତଦନ୍ତକାରୀ ସଂସ୍ଥା(ଏନଆଇଏ) ହାତରେ ଏଭଳି କିଛି ତଥ୍ୟ ଲାଗିଛି। କିନ୍ତୁ କାରଟି କାହା ମାଲିକାନାରେ ରହିଥିଲା ସେନେଇ କୌଣସି ତଥ୍ୟ ମିଳିନାହିଁ।
ତଦନ୍ତକାରୀ ଟିମ୍ ଗତ ଶୁକ୍ରବାର ପୁଣି ଥରେ ଘଟଣାସ୍ଥଳରେ ଯାଞ୍ଚ କରିଥିଲେ। ସେଠାରୁ କିଛି ଅଧିକ ନମୁନା ସଂଗ୍ରହ କରିଛନ୍ତି। ଆକ୍ରମଣ ଏତେ ଶକ୍ତିଶାଳୀ ଥିଲା ଯେ ଘଟଣାସ୍ଥଳରୁ ୧୫୦ରୁ ୨୦୦ ମିଟର ଦୂରରେ ଥିବା ଜନବସତି ଅଞ୍ଚଳରେ ଭଗ୍ନାଂଶଗୁଡ଼ିକ ପଡ଼ିଥିବା ତଦନ୍ତକାରୀ ଟିମ୍ ଦେଖିବାକୁ ପାଇଛନ୍ତି। କାରଟିର କିଛି ନୂଆ ଅଂଶକୁ ଟିମ୍ ସଂଗ୍ରହ କରିଛି। ପୂର୍ବରୁ ଯେଉଁ ଭଗ୍ନାଂଶ ଜବତ କରାଯାଇଥିଲା ସେଗୁଡ଼ିକ ସହିତ ଏହାକୁ ପରୀକ୍ଷା କରାଯାଉଛି।



