ଶିବକୁମାରଙ୍କ ଗିରଫଦାରିକୁ ବିରୋଧ; କର୍ଣ୍ଣାଟକରେ ହିଂସା, ସ୍କୁଲ ଓ କଲେଜ ବନ୍ଦ

ବେଙ୍ଗାଲୁରୁ: କର୍ଣ୍ଣାଟକର ବରିଷ୍ଠ କଂଗ୍ରେସ ନେତା ଡି. କେ. ଶିବକୁମାରଙ୍କ ଗିରଫଦାରିକୁ ବିରୋଧ କରାଯାଇଛି। କର୍ଣ୍ଣାଟକରୁ ଦିଲ୍ଲୀ ପର୍ଯ୍ୟନ୍ତ ବିରୋଧର ସ୍ବର ଦେଖିବାକୁ ମିଳିଛି। ଉଦ୍ଦେଶ୍ୟମୂଳକ ଭାବେ ଶିବକୁମାରଙ୍କୁ ଗିରଫ କରାଯାଇଥିବା ଅଭିଯୋଗ କରିଛି କଂଗ୍ରେସ। ଏହାର ପ୍ରତିବାଦରେ ରାଜ୍ୟରେ ହିଂସା ସୃଷ୍ଟି ହୋଇଛି। ରାମନଗର ଅଞ୍ଚଳରେ ବସ୍‌ ପୋଡ଼ାଜଳା କରାଯିବା ସହିତ ପଥର ଫିଙ୍ଗି ଅନେକ ବସ୍‌ ଭଙ୍ଗାରୁଜା ହୋଇଛି।

ପୁଲିସ ସୂଚନା ଅନୁସାରେ, ରାମନଗର ଅଞ୍ଚଳରେ ପାଖାପାଖି ୧୦ଟି ବସ୍‌ ଉପରେ ପଥରମାଡ଼ ହୋଇଛି। ପୁଲିସ ବସ୍‌ ଚଳାଚଳ ଉପରେ କଟକଣା ଲଗାଇଛି। ପରବର୍ତ୍ତୀ ଆଦେଶ ନ ମିଳିବା ଯାଏ ବସ୍‌ ଚଳାଚଳ ବନ୍ଦ ରଖିବାକୁ ନିର୍ଦେଶ ଦିଆଯାଇଛି। ଏହା ସହିତ ରାମନଗର ଅଞ୍ଚଳର ସମସ୍ତ ସ୍କୁଲ ଓ କଲେଜ ବନ୍ଦ ରଖାଯାଇଛି। ସୁରକ୍ଷା ଦୃଷ୍ଟିରୁ ରାମନଗରରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ବହୁ ସଂଖ୍ୟାରେ ପୁଲିସ ଫୋର୍ସ ସମେତ ରାପିଡ୍‌ ଆକ୍ସନ ଫୋର୍ସର ଏକ ଟିମ୍‌ ମୁତୟନ କରାଯାଇଛି।

ଶିବକୁମାରଙ୍କୁ ମଙ୍ଗଳବାର ସନ୍ଧ୍ୟାରେ ପ୍ରବର୍ତ୍ତନ ନିର୍ଦେଶାଳୟ ଗିରଫ କରିଥିଲା। ବେଆଇନ ଅର୍ଥ କାରବାର ଅଭିଯୋଗରେ ତାଙ୍କୁ ଗିରଫ କରାଯାଇଥିଲା। ଦିଲ୍ଲୀରେ ତାଙ୍କୁ ୪ ଦିନ ଧରି ଇଡି ପଚରାଉଚରା କରିଥିଲା। ଗଣେଶ ପୂଜା ଦିନ ଇଡି କାର୍ଯ୍ୟାଳୟକୁ ଶିବକୁମାର ଯାଉଥିବାବେଳେ କାନ୍ଦି ପକାଇଥିଲେ। ଗିରଫଦାରି ପରେ ଏହାକୁ ଶିବକୁମାର ପ୍ରତିଶୋଧର କାର୍ଯ୍ୟାନୁଷ୍ଠାନ ବୋଲି ଟ୍ବିଟ୍‌ କରି ଜଣାଇଥିଲେ। ବୁଧବାର ଶିବକୁମାରଙ୍କୁ କୋର୍ଟରେ ହାଜର କରାଯିବ।

Comments are closed.