ଲଣ୍ଡନ: ଜାଲିଆନୱାଲା ବାଗ୍ ଗଣହତ୍ୟା ଘଟଣା ପାଇଁ କ୍ଷମାପ୍ରାର୍ଥନା କରିବା ଲାଗି ବ୍ରିଟେନ ଉପରେ ଚାପ ପଡ଼ିଛି। ପୂର୍ବରୁ ଏହି ଘଟଣାରେ ରାଣୀ ଏଲିଜାବେଥ ଗଭୀର ଦୁଃଖପ୍ରକାଶ କରିଥିଲେ। ତେଣୁ ଏହି ଘଟଣା ପାଇଁ ବ୍ରିଟେନ କ୍ଷମାପ୍ରାର୍ଥନା କରିବା ଉଚିତ ବୋଲି ବିଭିନ୍ନ ମହଲରେ ଦାବି ହୋଇଛି।
୧୯୧୯ ଏପ୍ରିଲ ୧୩ରେ ଅମୃତସରର ଜାଲିଆନୱାଲା ବାଗ୍ଠାରେ ଗଣହତ୍ୟା ଘଟିଥିଲା। ଏହି ଗଣହତ୍ୟା ସ୍ମୃତିରେ ବ୍ରିଟେନର ଚ୍ୟାନେଲ ୪ ଏବଂ ଅନ୍ୟ କେତେକ ଗଣମାଧ୍ୟମ ବିଭିନ୍ନ ଡକ୍ୟୁମେଣ୍ଟାରୀ ପ୍ରସ୍ତୁତ କରିଛନ୍ତି। ସେହିପରି କନଜରଭେଟିଭ ପାର୍ଟି ଏମପି ବବ୍ ବ୍ଲାକ୍ମ୍ୟାନ ୱେଷ୍ଟମିନଷ୍ଟର ହଲରେ ମଙ୍ଗଳବାର ଏହି ଘଟଣା ଉପରେ ଏକ ବିତର୍କ କାର୍ଯ୍ୟକ୍ରମ ରଖିଛନ୍ତି। ଏଥିରେ ବ୍ରିଟେନର ବୈଦେଶିକ ମନ୍ତ୍ରୀ ମାର୍କ ଫିଲ୍ଡ ଯୋଗଦେଇ ଘଟଣା ପାଇଁ ବ୍ରିଟେନ ପକ୍ଷରୁ ଗଭୀର ଦୁଃଖ ଜଣାଇପାରନ୍ତି।
ଗତ ଫେବୃୟାରୀ ୧୯ରେ ହାଉସ ଅଫ ଲର୍ଡ୍ସରେ ଆୟୋଜିତ ଏକ ବିତର୍କରେ ସରକାରଙ୍କ ପକ୍ଷରୁ କୁହାଯାଇଥିଲା ଯେ, ଏହି ଘଟଣା ଉପରେ ସମ୍ପୂର୍ଣ୍ଣ କ୍ଷମାପ୍ରାର୍ଥନା ଲାଗି ଚିନ୍ତା କରାଯାଉଛି। ପୂର୍ବରୁ ମଧ୍ୟ ପ୍ରଧାନମନ୍ତ୍ରୀଙ୍କ ପକ୍ଷରୁ ଏଭଳି କ୍ଷମାପ୍ରାର୍ଥନା ଲାଗି ପ୍ରସ୍ତାବ ଦିଆଯାଇଛି।
ବୈଦେଶିକ କାର୍ଯ୍ୟାଳୟ ମୁଖପାତ୍ର କହିଛନ୍ତି, ବ୍ରିଟେନ ସରକାର ଅମୃତସର ଘଟଣାକୁ ନିନ୍ଦା କରିଛନ୍ତି। ପୂର୍ବରୁ ୧୯୯୭ରେ ରାଣୀ ଏଲିଜାବେଥ ଜାଲିଆନୱାଲା ବାଗ୍ ଗଣହତ୍ୟା ସ୍ମାରକୀସ୍ଥଳ ପରିଦର୍ଶନରେ ଯାଇଥିବାବେଳେ ଏହି ଘଟଣା ଉପରେ ଗଭୀର ଦୁଃଖ ପ୍ରକାଶ କରିଥିଲେ। ସେହିପରି ୨୦୧୩ରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଡେଭିଡ କ୍ୟାମେରନ ମଧ୍ୟ ଉକ୍ତ ସ୍ଥାନକୁ ଯାଇଥିବାବେଳେ ଘଟଣାକୁ ନେଇ ଦୁଃଖ ପ୍ରକାଶ କରିଥିଲେ।



