ନୂଆଦିଲ୍ଲୀ: ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଅଭିଭାଷଣ ସହିତ ଗୁରୁବାର ସଂସଦର ବଜେଟ ଅଧିବେଶନ ଆରମ୍ଭ ହୋଇଛି। ରାଷ୍ଟ୍ରପତି ତାଙ୍କ ଅଭିଭାଷଣ ଜରିଆରେ କେନ୍ଦ୍ର ସରକାରଙ୍କ ୫ବର୍ଷର ରିପୋର୍ଟ କାର୍ଡ ଦେଶବାସୀଙ୍କ ସମ୍ମୁଖରେ ଉପସ୍ଥାପନ କରିବା ସହ ଏହା ଦ୍ୱାରା ସାଧାରଣ ଜୀବନଶୈଳୀରେ କିପରି ପରିବର୍ତ୍ତନ ଆସିଛି ସେ ସମ୍ପର୍କରେ କହିଛନ୍ତି।
ଜାତିର ପିତା ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିବା ପରେ ରାଷ୍ଟ୍ରପତି ତାଙ୍କର ଅଭିଭାଷଣରେ କହିଲେ ଯେ ଶୋଷଣ ରାଜନୀତି ବିରୋଧରେ ତାଙ୍କ ସରକାର ରାମମୋହନ ଲୋହିଆଙ୍କ ଆଦର୍ଶରେ ଦେଶ ପରିଚାଳନା କରିବାରେ ସଫଳ ହୋଇଛି। ୨୦୧୪ସାଧାରଣ ନିର୍ବାଚନ ପୂର୍ବରୁ ଦେଶର ଅର୍ଥନୈତିକ ପରିସ୍ଥିତି ଏକ ଅନିଶ୍ଚିତତା ମଧ୍ୟରେ ଗତି କରୁଥିଲା। ନିର୍ବାଚନ ପରେ ଦେଶରେ ନୂଆ ସରକାର ଆସିଲା ଓ ନୂଆ ସଂକଳ୍ପ ନେଇ ଦେଶ ଗଠନ କରିବାର ରୂପରେଖ ପ୍ରସ୍ତୁତ ହୋଇଥିଲା। ତ୍ରୁଟିବିହୀନ ସରକାର ଗଠନ କରିବା ଦିଗରେ ନବଗଠିତ ସରକାର ସଂକଳ୍ପବଦ୍ଧ ହୋଇଥିଲେ।
ଦେଶର ସମସ୍ତ ବର୍ଗଙ୍କ ଜୀବନଶୈଳୀରେ ସୁଧାର ଆଣିବା ଆମ ସରକାରଙ୍କ ମୂଳ ଲକ୍ଷ୍ୟ ଥିଲା। ଏଭଳି ଏକ ସରକାର ଯିଏ ଦେଶର ଗରିବଙ୍କୁ ଭବିଷ୍ୟତ ନିର୍ଣ୍ଣୟ ନେବାର ସୁଯୋଗ ଦେଲା। ଦୀନଦୟାଲ ଉପାଧ୍ୟାୟଙ୍କ ଅନ୍ତ୍ୟୋଦୟ ଲକ୍ଷ୍ୟକୁ କାର୍ଯ୍ୟକାରୀ କରିବା କ୍ଷେତ୍ରରେ ଚଳିତ ସରକାର ଦେଶରେ ନୂଆ ଶକ୍ତି ସଞ୍ଚାର କରିବାରେ ସଫଳ ହୋଇଥିଲେ। ଫଳରେ ଦେଶବାସୀଙ୍କ ବିଶ୍ୱାସ ଜିତିବାରେ ଚଳିତ ସରକାର ସଫଳ ହୋଇଛନ୍ତି। ଜଣେ ସାଧାରଣ ମଣିଷର ଦୈନନ୍ଦିନ ଜୀବନଶୈଳୀରେ ସୁଧାର ଆଣିବା ପ୍ରଭୁ ବାସନ୍ନାଙ୍କ ନୀତି ଆଦର୍ଶକୁ ପଥେୟ କରି ଆମ ସରକାର ଆଗକୁ ଆଗେଇ ଥିଲେ। ସ୍ୱଚ୍ଛଭାରତ ଅଭିଯାନ ଅନ୍ତର୍ଗତ ଦେଶରେ ୯କୋଟିରୁ ଊଦ୍ଧ୍ୱର୍ ଶୌଚାଳୟ ନିର୍ମାଣ ହୋଇଛି। ୨୦୧୪ରେ ୪୦ ପ୍ରତିଶତରୁ କମ୍ ଶୌଚାଳୟ ଥିବାବେଳେ ବର୍ତ୍ତମାନ ୯୮ ପ୍ରତିଶତ ଶୌଚାଳନ କାର୍ଯ୍ୟକ୍ଷମ ହୋଇ ପାରିଛି।୨୦୧୯, ୨ଅକ୍ଟୋବର ସୁଦ୍ଧା ସ୍ୱଚ୍ଛ ଭାରତ ନିର୍ମାଣ ଲକ୍ଷ୍ୟ ରଖାଯାଇ ଥିଲା। ଉଜ୍ଜଳା ଯୋଜନାରେ ୬କୋଟିରୁ ଅଧିକ ସଂଯୋଗ ପ୍ରଦାନ କରାଯାଇ ପାରିଛି। ୨୦୧୪ସୁଦ୍ଧା ଦେଶରେ ମୋଟ୍ ୧୨କୋଟି ରନ୍ଧନ ଗ୍ୟାସ ଉପଭୋକ୍ତା ଥିବାବେଳେ ଚଳିତ ସରକାର କେବଳ ସାଢେ ୪ବର୍ଷରେ ୧୩କୋଟି ରନ୍ଧନ ଗ୍ୟାସ ସଂଯୋଗ ପ୍ରଦାନ କରିଛନ୍ତି।
ରାଷ୍ଟ୍ରପତି ତାଙ୍କ ଅଭିଭାଷଣରେ ଆୟୁଷ୍ମାନ ଭାରତ ଯୋଜନା ସମ୍ପର୍କରେ ସୂଚନା ଦେଇ ଦେଶବାସୀଙ୍କ ପାଇଁ ଏହା ଏକ ବଡ଼ ଯୋଜନା ବୋଲି କହିଥିଲେ। ଆୟୁଷ୍ମାନ ଯୋଜନା ବିଶ୍ୱର ସବୁଠାରୁ ବଡ଼ ଯୋଜନା ହୋଇଥିବାବେଳେ ଏଥିରେ ପ୍ରତି ପରିବାରକୁ ୫ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସ୍ୱାସ୍ଥ୍ୟ ସେବା ବୀମା ପ୍ରଦାନର ବ୍ୟବସ୍ଥା କରାଯାଇଛି। ବିଗତ ୪ମାସ ମଧ୍ୟରେ ଏହି ଯୋଜନା ଅଧୀନରେ ୧୦ଲକ୍ଷରୁ ଊଦ୍ଧ୍ୱର୍ ଲୋକେ ଉପକୃତ ହୋଇଛନ୍ତି।
ସେହିପରି “ପ୍ରଧାନମନ୍ତ୍ରୀ ଜନୌଷଧୀ ଯୋଜନା’ ଅନ୍ତର୍ଗତ ଦେଶର ୬୦୦ରୁ ଅଧିକ ଜିଲାରେ ୪୯୦୦ଟି ଜନୌଷଧୀ କେନ୍ଦ୍ର ଖୋଲି ୭୦୦ରୁ ଅଧିକ ଔଷଧ ସ୍ୱଳ୍ପ ମୂଲ୍ୟରେ ଦେଶବାସୀଙ୍କୁ ଯୋଗାଇବାରେ ସଫଳ ହୋଇଛି ଚଳିତ ସରକାର।
ମାସକୁ ୧ ଟଙ୍କା ପ୍ରିମିୟମ୍ରେ ସରକାର ବୀମା ଯୋଜନା କରିଛନ୍ତି। ଆଣ୍ଠୁଗଣ୍ଠି ବାତ ଚିକିତ୍ସା ସ୍ୱଳ୍ପ ମୂଲ୍ୟରେ କରାଯାଇ ପାରୁଛି। ସହର ହେଉ କିମ୍ବା ଗ୍ରାମ, ସ୍ୱାସ୍ଥ୍ୟ ସମ୍ବନ୍ଧୀୟ କ୍ଷେତ୍ରରେ ଭାରତ କ୍ରମାଗତ ନିଜ ସ୍ଥିତି ସୁଦୃଢ କରିଚାଲିଛି ବୋଲି ରାଷ୍ଟ୍ରପତି ଦୃଢୋକ୍ତି ପ୍ରକାଶ କରିଥିଲେ। ଗ୍ରାମାଞ୍ଚଳରେ ଚିକିତ୍ସା ବ୍ୟବସ୍ଥାକୁ ସୁଦୃଢ କରିବା ଦିଗରେ ଚଳିତ କେନ୍ଦ୍ର ସରକାର ଡାକ୍ତରୀ ପାଠ୍ୟକ୍ରମରେ ୩୧ହଜାର ଆସନ ବୃଦ୍ଧି କରିଛନ୍ତି।
ରାଷ୍ଟ୍ରପତି ଆହୁରି କହିଥିଲେ ଯେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ସହର ଓ ଗ୍ରାମାଞ୍ଚଳରେ ନୂଆ ଘର ନିର୍ମାଣ ହେଇଛି। କେବଳ ୧ବର୍ଷ ସମୟସୀମା ମଧ୍ୟରେ ଦେଶରେ ୧କୋଟି ୩୦ଲକ୍ଷ ଗୃହ ନିର୍ମାଣ କରାଯାଇ ପାରିଛି। ବିଗତ ସରକାର କେବଳ ୨୫ଲକ୍ଷ ଘର ନିର୍ମାଣ କରିଥିଲେ। ୨୦୧୪ରେ ୧୮ହଜାର ଏପରି ଗ୍ରାମ ଥିଲା ଯେଉଁଠି ବିଦ୍ୟୁତ ସେବା ଅପହଞ୍ଚ ଥିଲା ଆଜି ଦେଶର ସମସ୍ତ ଗ୍ରାମରେ ବିଜୁଳି ସେବା ବଳବତ୍ତର ହୋଇ ପରିଛି।
ପ୍ରଧାନମନ୍ତ୍ରୀ ସୌଭାଗ୍ୟ ଯୋଜନା ଅନ୍ତର୍ଗତ ୨କୋଟି ୪୭ଲକ୍ଷ ଘରେ ବିଦ୍ୟୁତ ସଂଯୋଗ କରାଯିବା ସହ ଆୟକର ବୋଝ ମଧ୍ୟବିତ୍ତଙ୍କ ମୁଣ୍ଡରୁ କମାଇବା ପାଇଁ ଏଥିରେ ପରିବର୍ତ୍ତନ ଅଣାଯାଇଛି। ଅଟଳବିହାରୀ ବାଜପେୟୀଙ୍କ ସମୟରେ ଉତ୍ତର ଭାରତୀୟଙ୍କ ବିକାଶ ପାଇଁ ସ୍ୱତନ୍ତ୍ର ବିଭାଗ ଗଠନ କରିବା ସହ ଚତୁର୍ଭୂଜ ଯୋଜନାର ଶୁଭାରମ୍ଭ କରିଥିଲେ। ଅଥଚ ପରବର୍ତ୍ତୀ ସମୟରେ ଏହି ଯୋଜନାକୁ ସୁଚାରୂ ରୂପେ ସମ୍ପାଦନ କରିବାରେ ବିଗତ ସରକାର ବିଫଳ ହୋଇଛନ୍ତି ବୋଲି ସେ କହିଥିଲେ।
ସାଧାରଣ ନିର୍ବାଚନକୁ ଆଉ ମାତ୍ର କିଛିଦିନ ବାକି ରହିଯାଇଥିଲା ବେଳେ ରାଷ୍ଟ୍ରପତିଙ୍କ ଅଭିଭାଷଣ ମୋଦୀ ସରକାରଙ୍କ ପାଇଁ ଲାଭଦାୟକ ହୋଇପାରିବ ବୋଲି କୁହାଯାଉଛି।
ରାଷ୍ଟ୍ରପତିଙ୍କ ଅଭିଭାଷଣରେ ମୋଦୀଙ୍କ ରିପୋର୍ଟ କାର୍ଡ
Popular Categories



