www.samajalive.in
Monday, December 8, 2025
14.1 C
Bhubaneswar

ବ୍ୟାପକ ଗୋଷ୍ଠୀ ସଚେତନତା, ଟିଏମ୍‌ସି ପାଇଁ ପାଣ୍ଠି ଯୋଗାଣ ହିଁ କୋଭିଡକୁ ପ୍ରଶମିତ କରିପାରିବ

• ତୃଣମୂଳ ସ୍ତରର କର୍ମୀ, ରୋଗୀ, ସ୍ୱାସ୍ଥ୍ୟକର୍ମୀ, ସ୍ୱେଚ୍ଛାସେବୀ ଅନୁଷ୍ଠାନ ଦେଲେ ତିନି ସୁତ୍ରୀ ପ୍ରସ୍ତାବ
• ଗ୍ରାମାଞ୍ଚଳରେ କୋଭିଡ-୧୯ରଧିମା ପରକ୍ଷଣ ପ୍ରମୁଖ ବାଧକ
• ଲୋକମାନେ ସ୍ୱତପ୍ରବୃତ୍ତ କୋଭିଡ୍ ସୂଚନା ଦେବାକୁ କୁଣ୍ଠାବୋଧ କରୁଛନ୍ତି
• ପ୍ରଥମ ଲହରୀରେ ଖର୍ଚ୍ଚ କରାଯାଇଥିବା ଅର୍ଥ ପ୍ରାପ୍ତି ପ୍ରକ୍ରିୟା ଜଟିଳ ଓ ସମୟ ସାପେକ୍ଷ
• ସ୍ୱାସ୍ଥ୍ୟକର୍ମୀମାନଙ୍କୁ ଅକ୍ସିମିଟର୍ ଓ ଗ୍ଲୁକୋମିଟର୍ ଆଦି ଯୋଗାଇବାକୁ ସୁପାରିଶ
• ଟିଏମ୍ସିର ସଫଳ ପରିଚାଳନା ନିମନ୍ତେ ମୂଲ୍ୟ ନିର୍ଦ୍ଧାରଣ କରାଯିବା ଆବଶ୍ୟକ
• ପଞ୍ଚାୟତ ସ୍ତର ଟିଏମ୍ସିର କିଛି ବେଡ୍ରେ ଅମ୍ଳଜାନ ବ୍ୟବସ୍ଥା କରିବାକୁ ସୁପାରିଶ
• ତୃଣମୂଳ ସ୍ତର କର୍ମୀ ଲୋକ ପ୍ରତିନିଧିମାନଙ୍କ ଦକ୍ଷତା ବୃଦ୍ଧି କରିବାକୁ ପ୍ରସ୍ତାବ

ଭୁବନେଶ୍ୱର: ଓଡିଶାର ଭବିଷ୍ୟତ ସମ୍ପର୍କିତ ବିଷୟବସ୍ତୁ ଉପରେ ଚର୍ଚ୍ଚା କରାଯିବା ସକାଶେ ରାଜ୍ୟର ବୁଦ୍ଧିଜୀବୀମାନଙ୍କୁ ନେଇ ଗଠିତ ଓଡିଶା ଡାଇଲଗ୍ସ ଫୋରମ ତରଫରୁ ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଏକ ନୀତି ସୁପାରିସ ପତ୍ର ପ୍ରଦାନ କରାଯାଇଛି। ରାଜ୍ୟର ଗ୍ରାମାଞ୍ଚଳରେ କୋଭିଡ-୧୯ ମହାମାରୀ ଉଗ୍ର ରୂପ ଧାରଣ କରି ବ୍ୟାପୁଥିବାରୁ ଏହାକୁ ପ୍ରତିହତ କରିବା, ପ୍ରତିକାର ବ୍ୟବସ୍ଥାକୁ ସୁଦୃଢ କରିବା ଏବଂ ଲୋକମାନଙ୍କ ମନରେ ବିଶ୍ୱାସ ବୃଦ୍ଧି କରିବା ସକାଶେ ସରକାର, ସ୍ଥାନୀୟ ବେସରକାରୀ ସଙ୍ଗଠନମାନଙ୍କ ସହଭାଗିତାରେ ଗୋଷ୍ଠୀ ସଚେତନତା ପ୍ରକ୍ରିୟାକୁ ସଠିକ୍ ବାର୍ତ୍ତା ଜରିଆରେ ବ୍ୟାପକ କରାଯିବା ଆବଶ୍ୟକ ବୋଲି ଏହି ସ୍ମାରକପତ୍ରରେ ଉଲ୍ଲେଖ କରାଯାଇଛି। ରାଜ୍ୟର ବିଭିନ୍ନ ସ୍ୱାସ୍ଥ୍ୟ ବିଶେଷଜ୍ଞ, ଜନ ସ୍ୱାସ୍ଥ୍ୟ ଅଧିକାରୀ, କୋଭିଡ୍ ରୋଗୀ ତଥା ସୁସ୍ଥ ହୋଇଥିବା ଜନସାଧାରଣ, ସାମାଜିକ ଅନୁଷ୍ଠାନ ଏବଂ ତୃଣମୂଳ ସ୍ତରରେ କୋଭିଡ୍-୧୯ ପରିଚାଳନା କରୁଥିବା କର୍ମୀମାନଙ୍କ ସହ ଆଲୋଚନା କରାଯାଇ ବିଭିନ୍ନ ସମସ୍ୟା ଓ ଏହାର ସମାଧାନ ପନ୍ଥା ସମ୍ପର୍କିତ ଆବଶ୍ୟକ ଥିବା ବିଭିନ୍ନ ପଦକ୍ଷେପ ଏହି ସ୍ମାରକପତ୍ରରେ ଉପସ୍ଥାପନ କରାଯାଇଛି। ତୃଣମୂଳ ସ୍ତରରୁ ବିଭିନ୍ନ ସମସ୍ୟା ଓ ଏହାର ନିରାକରଣ ପନ୍ଥାଗୁଡିକୁ ଚିହ୍ନଟ କରିବା ପ୍ରକ୍ରିୟାଟିକୁ ଫୋରମର ପ୍ରତିଷ୍ଠାତା ସଦସ୍ୟ ଉପଦେଷ୍ଟା ଡ. ବିଭୁକଲ୍ୟାଣ ମହାନ୍ତି ତ୍ୱରାନ୍ୱିତ କରିଥିଲେ।
ତୃଣମୂଳ ସ୍ତରରେ କୋଭିଡ୍-୧୯ର ଲକ୍ଷଣ ଦେଖାଯାଉଥିଲେ ମଧ୍ୟ ଲୋକମାନେ ଲୁଚାଉଥିବା ଓ ହସ୍ପିଟାଲ୍ରେ ଚିକିତ୍ସା ହେବାକୁ ଆସିବାକୁ ଭୟ କରୁଥିବା ବିଭିନ୍ନ ରିପୋର୍ଟରୁ ଜଣାଇଯାଇଛି। କୋଭିଡ୍-୧୯ର ଦ୍ୱିତୀୟ ଲହରୀରେ ଏହାର ଲକ୍ଷଣ, ଚିକିତ୍ସା ଉପାୟ, ଗମ୍ଭୀର ରୋଗୀକୁ ପ୍ରାଥମିକତା ଭିତ୍ତିରେ ଚିକିତ୍ସା ସୁବିଧା ଆଦି ସମ୍ପର୍କରେ ସଠିକ୍ ସୂଚନାର ଅଭାବଲୋକମାନଙ୍କୁ ଏକ ଅନିଶ୍ଚିତତା ଭିତରକୁ ଠେଲି ଦେଉଛି ଫଳରେ ତୃଣମୂଳ ସ୍ତରର ସରକାରୀ କର୍ମଚାରୀ ଓ ସ୍ୱାସ୍ଥ୍ୟକର୍ମୀମାନେ ସଠିକ ରଣକୌଶଳ ଆପଣେଇବା ଏବଂ ଗୋଷ୍ଠୀ ସଚେତନତା ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବାରେ ବିଫଳ ହେଉଛନ୍ତି। ଗ୍ରାମାଞ୍ଚଳରେ କୋଭିଡ-୧୯ର ଧିମା ପରକ୍ଷଣ ଗୋଷ୍ଠୀ ସଚେତନତା ପ୍ରକ୍ରିୟାର ଅନ୍ୟ ଏକ ପ୍ରମୁଖ ବାଧକ ଭାବେ ଉଭା ହୋଇଛି। ସ୍ୱାସ୍ଥ୍ୟାବସ୍ଥା ତଦାରଖ, ଚିକିତ୍ସା ଓ ପରବର୍ତ୍ତୀ ଯତ୍ନ ସମ୍ପର୍କିତ ସୂଚନାର ଅଭାବ ଯୋଗୁଁ ଲୋକମାନେ ସ୍ୱତପ୍ରବୃତ୍ତ କୋଭିଡ୍ ସୂଚନା ଦେବାକୁ କୁଣ୍ଠାବୋଧ କରୁଛନ୍ତି। ଏହାର ପ୍ରତିକାର ସ୍ୱରୂପ କୋଭିଡ୍-୧୯ର ଲକ୍ଷଣ, ଚିକିତ୍ସା ପଦ୍ଧତି, ସ୍ୱାସ୍ଥ୍ୟାବସ୍ଥାର ତଦାରଖ ପ୍ରକ୍ରିୟା ଆଦି ସମ୍ପର୍କରେ ସଠିକ୍ ସୂଚନା ପ୍ରତ୍ୟେକ ପରିବାରରେ ପହଞ୍ଚାଇବା ନିହାତି ଆବଶ୍ୟକ। ସେହିପରି ସ୍ୱାସ୍ଥ୍ୟ ବିଶେଷଜ୍ଞ ଉପସ୍ଥିତିରେ ସ୍ଥାନୀୟ ଯୁବ ନେତା, ଏସ୍ଏଚ୍ଜି ସଦସ୍ୟ/ ସଦସ୍ୟା ଓ ଜନ ପ୍ରତିନିଧିମାନଙ୍କୁ ସୂଚନା ବିତରଣ ସମ୍ବନ୍ଧରେ ସ୍ୱତନ୍ତ୍ର ତାଲିମ୍ ଦିଆଯିବା ଆବଶ୍ୟକ। ଘରକୁ ଘର ସର୍ଭେ କରିବା ସମୟରେ ତୃଣମୂଳ ସ୍ତରର ସ୍ୱାସ୍ଥ୍ୟକର୍ମୀମାନଙ୍କୁ ଅକ୍ସିମିଟର୍ ଓ ଗ୍ଲୁକୋମିଟର୍ ଭଳି ସର୍ବନିମ୍ନ ଉପକରଣ ଯୋଗାଇ ଦିଆଯିବା ଆବଶ୍ୟକ ଫଳରେ କୋଭିଡ୍ ରୋଗୀମାନଙ୍କୁ ସଠିକ୍ ସୂଚନା ପ୍ରଦାନ କରାଯାଇପାରିବ।

- Advertisement -

କୋଭିଡ୍ ପରିଚାଳନା ପାଇଁ ତୃଣମୂଳ ସ୍ତରର ଲୋକ ପ୍ରତିନିଧିମାନଙ୍କ ପାଖକୁ ବ୍ୟବସ୍ଥା ବିକେନ୍ଦ୍ରିକରଣ ନିଶ୍ଚିତ ଭାବେ ଏକ ସ୍ୱାଗତଯୋଗ୍ୟ ପଦକ୍ଷେପ। ମାତ୍ର ଏହି ପ୍ରକ୍ରିୟାକୁ ସଫଳ କରିବା ନିମନ୍ତେ ତଥା ଅସ୍ଥାୟୀ ସ୍ୱାସ୍ଥ୍ୟ ଶିବିର (ଟିଏମ୍ସି)ର ସଫଳ ପରିଚାଳନା ନିମନ୍ତେ ସଠିକ୍ ସମୟରେ ପାଣ୍ଠି ଯୋଗାଣ ମଧ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ। ଏହି ପରିପ୍ରେକ୍ଷୀରେ ଜନ ପ୍ରତିନିଧିମାନଙ୍କ ମତାନୁସାରେ କୋଭିଡ୍-୧୯ର ପ୍ରଥମ ଲହରୀରେ ଖର୍ଚ୍ଚ କରାଯାଇଥିବା ଅର୍ଥ ପ୍ରାପ୍ତି ପ୍ରକ୍ରିୟା ଖୁବ୍ ଜଟିଳ ଓ ସମୟ ସାପେକ୍ଷ ଥିଲା ଯାହାକି ଚଳିତ ବର୍ଷ ପ୍ରମୁଖ ବାଧା ଭାବେ ଛିଡା ହୋଇଛି। ତୃଣମୂଳ ସ୍ତରରେ ଟିଏମ୍ସିର ଫଳଦାୟୀ ଯୋଜନା ପ୍ରସ୍ତୁତି ଓ ସଫଳ ପରିଚାଳନା ନିମନ୍ତେ ଭିତ୍ତିଭୂମୀ, ଯତ୍ନ ନେବାକୁ ଥିବା ବ୍ୟକ୍ତିଙ୍କ ପାରିଶ୍ରମିକ, ପରିମଳ ବ୍ୟବସ୍ଥା ଆଦି ବାବଦରେ ମୂଲ୍ୟ ନିର୍ଦ୍ଧାରଣ କରାଯିବା ଆବଶ୍ୟକ। କେବଳ ସ୍ୱାସ୍ଥ୍ୟକେନ୍ଦ୍ରରେ ଅମ୍ଳଜାନ ପ୍ରସ୍ତୁତ ରଖିବା ସହ ଆମ୍ବୁଲାନ୍ସରେ ମଧ୍ୟ ଅମ୍ଳଜାନ ବ୍ୟବସ୍ଥାକୁ ନିଶ୍ଚିତ କରାଯିବା ଆବଶ୍ୟକ। ସେହିପରି ଗ୍ରାମ ପଞ୍ଚାୟତ ସ୍ତରରେ ଥିବା ଟିଏମ୍ସିର କିଛି ବେଡ୍ରେ ମଧ୍ୟ ଅମ୍ଳଜାନର ବ୍ୟବସ୍ଥା କରାଯିବା ଆବଶ୍ୟକ ଫଳରେ ଆମ୍ବୁଲାନ୍ସ ପହଞ୍ଚିବା ପର୍ଯ୍ୟନ୍ତ କୌଣସି ରୋଗୀ ଅମ୍ଳଜାନ ପାଇଁ ଅସୁବିଧାର ସମ୍ମୁଖୀନ ହେବେ ନାହିଁ।

ଗ୍ରାମ ପଞ୍ଚାୟତ ସ୍ତରରେ କୋଭିଡ୍ ପାଇଁ ସ୍ୱତନ୍ତ୍ର କକ୍ଷ ପରିଚାଳନା, ଜଟିଳ ରୋଗୀଙ୍କୁ ପ୍ରାଥମିକତା ଭିତ୍ତିରେ ଚିକିତ୍ସା ସୁବିଧା ଯୋଗାଇବା ନିର୍ଦ୍ଦେଶାବଳୀ, ଦୂରଭାଷ ପରାମର୍ଶ ସେବା ଓ ପ୍ରାଥମିକ ସୂଚନା ପ୍ରକ୍ରିୟା ଆଦି ସମ୍ପର୍କରେ ସ୍ୱତନ୍ତ୍ର ତାଲିମ୍ ଦିଆଯାଇ ତୃଣମୂଳ ସ୍ତରର କର୍ମୀ ଏବଂ ଲୋକ ପ୍ରତିନିଧିମାନଙ୍କ ଦକ୍ଷତା ବୃଦ୍ଧି କରାଯିବା ଆବଶ୍ୟକ। ଏହା ଦ୍ୱାରା କୋଭିଡ୍ ପରିଚାଳନା ପାଇଁ ଲୋକ ପ୍ରତିନିଧିମାନେ ପଞ୍ଚାୟତ ସ୍ତରରେ ଅଣୁ ଯୋଜନା ପ୍ରସ୍ତୁତି, ଜଟିଳ ରୋଗୀଙ୍କୁ ସମୟାନୁସାରେ ସଠିକ୍ ଚିକିତ୍ସା ବ୍ୟବସ୍ଥା ଓ ଗୋଷ୍ଠୀକୁ ସ୍ୱାସ୍ଥ୍ୟକେନ୍ଦ୍ରର ସହଜଲଭ୍ୟତାରେ ବିଶେଷ ଭାବେ ସହାୟକ ହେବ।

ଏହି ସ୍ମାରକ ପତ୍ରଟି ବାତ୍ୟା ୟାସ୍ ପୂର୍ବରୁ ପ୍ରସ୍ତୁତି କରାଯାଇଥିଲା ଏବଂଓଡିଶା ଡାଇଲଗସ୍ ଫୋରମ୍ ନିୟମିତ ଭାବେ ତୃଣମୂଳ ସ୍ତରର ସ୍ଥିତି ଏହାର ସହଭାଗୀ ଅନୁଷ୍ଠାନ ଓ ସଙ୍ଗଠନମାନଙ୍କ ଜରିଆରେ ଅନୁଧ୍ୟାନ ଜାରି ରଖିବା ସହ ଓଡିଶାର ବିକାଶ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା ପାଇଁ ଏହି ପରି ସ୍ମାରକପତ୍ର ଓ ନୀତି ସୁପାରିଶ ପତ୍ର ନିୟମିତ ଭାବେ ସରକାରଙ୍କୁ ଓ ସମସ୍ତ ଅଂଶୀଦାରମାନଙ୍କୁ ଅବଗତ କରାଯିବ ବୋଲି ଫୋରମ୍ର ପ୍ରତିଷ୍ଠାତା ରାଜେଶ ମହାପାତ୍ର କହିଛନ୍ତି। ଏହି ସ୍ମାରକପତ୍ରଟିକୁ ପବ୍ଲିକ୍ ହେଲ୍ଥ ରିସୋର୍ସ ନେଟୱାର୍କ, ଜନ ସ୍ୱାସ୍ଥ୍ୟ ଅଭିଯାନ, ଭାରତ ଜ୍ଞାନ ବିଜ୍ଞାନ ସମିତି, ହର୍ଷା ଟ୍ରଷ୍ଟ, ନ୍ୟାସନାଲ୍ ଆସୋସିଏସନ୍ ୱଇମେନ୍ ଅର୍ଗାନାଇଜେସନ୍, ସେଣ୍ଟର ଫର ପବ୍ଲିକ୍ ପଲିସି ଅଲଟର୍ନେଟିଭ୍ସ୍ (ଭୁବନେଶ୍ୱର), ସିଟିଜେନ୍ସ ଫୋରମ୍ (ଭୁବନେଶ୍ୱର),ସେୱକ (ସୁନ୍ଦରଗଡ), ବିଏପିଟିଏ (କଳାହାଣ୍ଡି), ୟୁଥ୍ ଫର୍ ସୋସିଆଲ୍ ଡେଭେଲପ୍ମେଣ୍ଡ (ଗଞ୍ଜାମ) ଏବଂ ଜାଗ୍ରୁତି (କନ୍ଧମାଳ) ଆଦିମାନେ ମିଳିତଭାବେ ପ୍ରସ୍ତୁତ କରିଛନ୍ତି।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories