www.samajalive.in
Monday, November 17, 2025
17.1 C
Bhubaneswar

ଦିଲ୍ଲୀରୁ ଚାଲିଥିଲା ଷଡ଼ଯନ୍ତ୍ର: ୧୨୩ ଜଣ ଗିରଫ

କଟକ: ପୁଲିସ ସବ୍‌ଇନ୍ସପେକ୍ଟର (ଏସଆଇ) ନିଯୁକ୍ତି ଦୁର୍ନୀତି ରାଜ୍ୟ ବାହାରୁ ହେଉଥିଲା ପରିଚାଳନା। ଦିଲ୍ଲୀରେ ରହି ଶଙ୍କର ପୃଷ୍ଟି ତା’ର ଦୁଇ ପ୍ରମୁଖ ସହଯୋଗୀଙ୍କ ଜରିଆରେ ଏହି ରାକେଟ୍‌ ଚଳାଇଥିଲା। ଆନ୍ଧ୍ରପ୍ରଦେଶର ବିଜୟନଗରମ ମିଶନର ଦାୟିତ୍ବ ନେଇଥିଲା ଅନ୍ୟତମ ମୁଖ୍ୟ ଅଭିଯୁକ୍ତ ମୁନା ମହାନ୍ତି ଏବଂ ଦିଘା ମିଶନର ଦାୟିତ୍ବ ନେଇଥିଲା ଅରବିନ୍ଦ ଦାସ। ବିଜୟନଗରମ୍‌ ବୁକ କରାଯାଇଥିବା ହୋଟେଲରେ ଆଶାୟୀ ମାନେ ପହଞ୍ଚିବାର ପୂର୍ବରୁ ଅଧା ରାସ୍ତାରେ ୧୧୪ଙ୍କୁ ଗିରଫ କରାଯିବା ପରେ ପୂରା ଘଟଣା ସାମ୍ନାକୁ ଆସିଥିଲା। ଗତକାଲି କ୍ରାଇମ୍‌ବ୍ରାଞ୍ଚ ପଞ୍ଝାରେ ଧରାପଡ଼ିଥିବା ବିଜୟନଗରମ୍‌ ମିସନର ମୁଖ୍ୟ ମୁନା ମହାନ୍ତି, ତାଙ୍କ ସହଯୋଗୀ ଥିଲା ଶ୍ରୀକାନ୍ତ ମହାରଣା ଓରଫ ରିଙ୍କୁ, ସୌମ୍ୟା ପ୍ରିୟଦର୍ଶିନୀ ସାମଲ ଓ
ଟି. ଅଭିମନ୍ୟୁ ଦୋରାକୁ କ୍ରାଇମ୍‌ବ୍ରାଞ୍ଚ ଶୁକ୍ରବାର ଗିରଫ ଦର୍ଶାଇଛି। ମୁନା ମହାନ୍ତି ବିଜୟନଗରମ୍‌କୁ ଆଶାୟୀଙ୍କୁ ନେବା ଲାଗି ବସ ବୁକ୍‌ କରିଥିଲା। ତାଙ୍କ ମା’ଙ୍କ ଆକାଉଣ୍ଟରୁ ତୁଳସୀ ଟ୍ରାଭେଲକୁ ସେପ୍ଟେମ୍ବର ୨୭ରେ ୨ ଲକ୍ଷ ୩୦ ହଜାର ଟଙ୍କା ପ୍ରଦାନ କରାଯାଇଥିଲା। ଏପରିକି ମୁନା ତାର ସ୍କର୍ପିଓରେ ଆଶାୟୀଙ୍କୁ ଆଣି ଖଣ୍ଡଗିରି ଛକରେ ଛାଡ଼ୁଥିଲା। ଉକ୍ତ ସ୍କର୍ପିଓ ସହ ତାର ଦୁଇ ହାଇୱା ଗାଡ଼ିକୁ କ୍ରାଇମ୍‌ବ୍ରାଞ୍ଚ ଜବତ କରିଛି। ଅନ୍ୟତମ ଅଭିଯୁକ୍ତ ଅଭିମନ୍ୟୁ ଦୋରା ହେଉଛି ନୟାଗଡ଼ ଜିଲା ଦଶପଲ୍ଲା ବାସିନ୍ଦା। ସେ ଆଶାୟୀଙ୍କୁ ନେବା ଆଣିବାରେ ମୁନାକୁ ସହଯୋଗ କରୁଥିଲା। ସେହିପରି ସୌମ୍ୟା ଆଶାୟୀ ପ୍ରାର୍ଥୀଙ୍କ ସହ ଯୋଗାଯୋଗ କରୁଥିଲା। ସମସ୍ତ ଆଶାୟୀ ଧରାପଡ଼ିବା ପରେ ସେମାନଙ୍କ ଅଭିଭାବକ ସୌମ୍ୟାଙ୍କ ସହ ଯୋଗଯୋଗ କରିଥିଲେ। ସୌମ୍ୟା ଆଶାୟୀଙ୍କ ଠାରୁ ନେଇଥିବା ବିଭିନ୍ନ ପ୍ରମାଣପତ୍ର ସେମାନଙ୍କ ଅଭିଭାବକଙ୍କୁ ଫେରାଇଥିବା କ୍ରାଇମ୍‌ବ୍ରାଞ୍ଚ ପକ୍ଷରୁ ସୂଚନା ଦିଆଯାଇଛି। ପୂରା ଘଟଣାର ମାଷ୍ଟରମାଇଣ୍ଡ ଶଙ୍କର ପୃଷ୍ଟିଙ୍କୁ ଧରିବା ଲାଗି ବିଭିନ୍ନ ସ୍ଥାନରେ ଚଢଉ ଜାରି ରହିଛି। ଏଥିରେ ଆହୁରି ବହୁ ଅଭିଯୁକ୍ତ ଥାଇପାରନ୍ତି ବୋଲି ଅନୁମାନ କରାଯାଉଛି। ଏପର୍ଯ୍ୟନ୍ତ ଏହି ଘଟଣାରେ ମୋଟ ୧୨୩ ଜଣ ଗିରଫ ହୋଇ ସାରିଲେଣି। ଅନ୍ୟ ଅଭିଯୁକ୍ତମାନଙ୍କୁ ଖୁବଶୀଘ୍ର ଗିରଫ କରାଯିବ ବୋଲି କ୍ରାଇମ୍‌ବ୍ରାଞ୍ଚ ଡିଜି ବିନୟ ତୋଷ ମିଶ୍ର ସୂଚନା ଦେଇଛନ୍ତି।

ଭୁବନେଶ୍ବର ପଟିଆଠାରେ ଶଙ୍କର ପୃଷ୍ଟିର ପଞ୍ଚସଫ୍ଟ ଟେକ୍ନୋଲୋଜି ପ୍ରାଇଭେଟ ଲିମିଟେଡ ସଂସ୍ଥା ରହିଛି। ଏହି ସଂସ୍ଥା କେତେକ ସରକାରୀ ଚାକିରି ପାଇଁ ଅନଲାଇନ ପରୀକ୍ଷା ଦାୟିତ୍ବ ତୁଲାଇଛି। ଏଥର ପୁଲିସ ଏସଆଇ ଲିଖିତ ପରୀକ୍ଷାରେ ଆଶାୟୀଙ୍କୁ ଆଗୁଆ ପ୍ରଶ୍ନପତ୍ରର ପ୍ରଶିକ୍ଷଣ ଦେଇ ମୋଟା ଅଙ୍କର ଟଙ୍କା ପାଇଁ ଶଙ୍କର ଯୋଜନା କରିଥିଲା। ଶଙ୍କର ଦିଲ୍ଲୀରେ ରହିବା ସହ ପୂରା ଘଟଣାର ବ୍ଲୁ- ପ୍ରିଣ୍ଟ ରଚିଥିଲା। ଚାକିରି ଆଶାୟୀ ଯୋଗାଡ଼ିବା ଲାଗି ଦୁଇ ମୁଖ୍ୟ ସହଯୋଗୀଙ୍କ ସହାୟତା ନେଇଥିଲା ଶଙ୍କର। ଦୁଇଟି ସ୍ଥାନରେ ଆଶାୟୀଙ୍କୁ ନେଇ ପ୍ରଶ୍ନପତ୍ରର ଆଗୁଆ ପ୍ରଶିକ୍ଷଣ ଦେବାର ଯୋଜନା କରିଥିଲା। ଆନ୍ଧ୍ରର ବିଜୟନଗରମ୍‌ ଓ ଦୀଘାରେ ହୋଟେଲ ନିଆଯାଇ ସେଠାରେ ଆଶାୟୀଙ୍କୁ ରଖି ତାଲିମ୍‌ ଦେବାର ବ୍ୟବସ୍ଥା ହୋଇଥିଲା। ବିଜୟନଗରମ୍‌ ମିଶନ ଧରାପଡ଼ିବା ପରେ ଦିଘା ମିଶନକୁ ବନ୍ଦ କରିଦିଆଯାଇଥିଲା। ଦିଘା ମିସନର ଦାୟିତ୍ବ ନେଇଥିଲା ଗିରଫ ହୋଇଥିବା ଅଭିଯୁକ୍ତ ଅରବିନ୍ଦ ଦାସ। ତେବେ ଅରବିନ୍ଦ ଦିଘାରେ ୧୧୦ ଆଶାୟୀଙ୍କ ଲାଗି ରୁମ୍‌ ବୁକ କରିଥିଲା କ୍ରାଇମ୍‌ବ୍ରାଞ୍ଚ ଜାଣିବାକୁ ପାଇଛି। ଦିଘା ମିଶନରେ ସମ୍ପୃକ୍ତ ଥିବା ଅନ୍ୟ ଅଭିଯୁକ୍ତମାନଙ୍କୁ ଧରିବା ଲାଗି କ୍ରାଇମ୍‌ବ୍ରାଞ୍ଚ ଟିମ୍‌ ଉଦ୍ୟମ ଜାରି ରଖିଛି।

- Advertisement -

ଜଣକୁ ଚାକିରି ଦେବା ଲାଗି ଏହି ଦଲାଲମାନେ ୨୦ରୁ ୨୫ ଲକ୍ଷ ଟଙ୍କା ଧାର୍ଯ୍ୟ ହୋଇଥିଲା। ପରୀକ୍ଷା ପୂର୍ବରୁ ପ୍ରଶ୍ନପତ୍ର ସହିତ ଶତ ପ୍ରତିଶତ ପାସ କରାଇବାର ପ୍ରତିଶ୍ରୁତି ମଧ୍ୟ ଦିଆଯାଇଥିଲା। ଗତ ୨୯ ତାରିଖ ସନ୍ଧ୍ୟାରେ ମୁନା ଓ ତାର ସହଯୋଗୀମାନେ ଭୁବନେଶ୍ବରର ବିଭିନ୍ନ ସ୍ଥାନରୁ ପରୀକ୍ଷାର୍ଥୀଙ୍କୁ ଆଣି ଖଣ୍ଡଗିରି ଛକରେ ଛାଡିବା ପରେ ସେମାନେ ବିଜୟନଗରମ ଅଭିମୁଖେ ବାହାରିଥିଲେ। ପରୀକ୍ଷାର୍ଥୀଙ୍କ ଭଲମନ୍ଦ ବୁଝିବା ଲାଗି ମୁନା ତିନିଟି ବସରେ ତିନି ଜଣ ଏଜେଣ୍ଟଙ୍କୁ ବସାଇଥିଲା। ଏହିସବୁ ରିଙ୍କୁ ସହଯୋଗ କରିବା ସହିତ ଦୁଇ ଜଣ ସ୍କର୍ପିଓ ଓ ଥର ଗାଡ଼ିରେ ବସର ଆଗପଛ ହୋଇ ରାସ୍ତାରେ ଯାଉଥିଲେ। ମାତ୍ର ଠିକଣାରେ ପହଞ୍ଚିବା ପୂର୍ବରୁ ଗଞ୍ଜାମ ଗୋଳନ୍ଥରା ଥାନା ପୋଲିସ ଉକ୍ତ ତିନିଟି ବସକୁ କାବୁ କରିନେଇଥିଲା। ଏହା ଜାଣିବା ପରେ ମୁନା ଓ ରିଙ୍କୁ ସେହିଠାରୁ ମୋବାଇଲ ବନ୍ଦ କରି ଦଶପଲ୍ଲାର ଅଭିମନ୍ୟୁର ଫାର୍ମହାଉସକୁ ପଳାଇଥିଲେ। ଏଯାବତ ଘଟଣାରେ ପ୍ରମାଣ ଭାବେ ପରୀକ୍ଷାର୍ଥୀଙ୍କ ତଥ୍ୟ, ଟ୍ରାଭେଲ୍ସ ଏଜେନ୍ସିକୁ ଦିଆଯାଇଥିବା ଟଙ୍କା ଦେଣନେଣ ତଥ୍ୟ ଏବଂ ୧୫୦ ପ୍ରକାର ଡିଜିଟାଲ ତଥ୍ୟ ତଦନ୍ତକାରୀ ଟିମର ହସ୍ତଗତ ହୋଇଛି। ଏହି ଘଟଣାରେ ବିଭାଗୀୟ ଅଧିକାରୀଙ୍କ ସମ୍ପୃକ୍ତି ଉପର ଅଧିକ ତଦନ୍ତ ଜାରି ରହିଛି। ଅଧିକ ତଦନ୍ତ ଲାଗି ମୁନା ସମେତ ଅନ୍ୟ ଅଭିଯୁକ୍ତଙ୍କୁ ଜିମାରେ ଆଣି ପଚରାଉଚରା କରାଯିବ ବୋଲି କ୍ରାଇମବ୍ରାଞ୍ଚ ଡିଜି ଶ୍ରୀ ମିଶ୍ର ସୂଚନା ଦେଇଛନ୍ତି।

Hot this week

୩ କି.ମି ପାହାଡ଼ ଚଢ଼ି ଦୁଃଖ ବୁଝିଲେ ବିଡିଓ

ନନ୍ଦାହାଣ୍ଡି: ଦୁର୍ଗମ ଅଞ୍ଚଳବାସିନ୍ଦା ସରକାରୀ ସୁବିଧାସୁଯୋଗରୁ ଯେପରି ବଞ୍ଚିତ ନହୁଅନ୍ତି ତାହାକୁ...

ଅସରନ୍ତି ଦୁଃଖର ଅନ୍ଧାରି ଉପତ୍ୟକା ତେଣ୍ଡା

କପ୍ତିପଦା: ଆକାଶର ଆଉଟା କିରଣ ପଡ଼ିଲେ ତରତର ହୁଏ ତେଣ୍ଡା। ଅନ୍ଧାରର...

ଖସୁଛି ପାରଦ, ବଢ଼ୁଛି ଜାଡ଼

ଭୁବନେଶ୍ବର/ଘୁ. ଉଦୟଗିରି: ସାରା ରାଜ୍ୟରେ ସଞ୍ଜ ନଇଁବା ମାତ୍ରେ ମାଡ଼ି ଆସୁଛି...

ରୋହିଣୀଙ୍କୁ ଚପଲ ଫିଙ୍ଗିଲେ ତେଜସ୍ବୀ

ପାଟନା: ବିହାର ନିର୍ବାଚନରେ ଲାଲୁପ୍ରସାଦ ଯାଦବଙ୍କ ରାଷ୍ଟ୍ରୀୟ ଜନତା ଦଳ (ଆରଜେଡି)ର...

ଆଗକୁ ରାଜ୍ୟସଭା ନିର୍ବାଚନ: ମୋହନଙ୍କ ପାଇଁ ଆହ୍ବାନ

ଭୁବନେଶ୍ବର: ଡବଲ ଇଞ୍ଜିନ ସରକାରଙ୍କ ୧୭ ମାସର ଶାସନ ପରେ ବିଜେପି...

Related Articles

Popular Categories