ରାୟପୁର: ଛତିଶଗଡ଼ର ପୂର୍ବତନ ମୁଖ୍ୟମନ୍ତ୍ରୀ ରମଣ ସିଂହଙ୍କ ଜ୍ଵାଇଁ ଡା. ପୁନୀତ ଗୁପ୍ତାଙ୍କ ହସ୍ପିଟାଲରେ ପୁଲିସ ଚଢ଼ାଉ କରିଛି। ପୁନୀତ ଡିଏସକେ ହସ୍ପିଟାଲର ସୁପରିଣ୍ଟେଣ୍ଡେଣ୍ଟ ଥିବାବେଳେ ତାଙ୍କ ବିରୋଧରେ ୫୦ କୋଟିର ଆର୍ଥିକ ଅନିୟମିତତା ଅଭିଯୋଗ ଆସିଥିଲା। ଏହି ମାମଲାରେ ତାଙ୍କୁ ପୁଲିସ ନିକଟରେ ହାଜର ହେବାକୁ ନୋଟିସ ଜାରି ହୋଇଥିଲା। କିନ୍ତୁ ସେ ହାଜର ହୋଇ ନ ଥିଲେ। ତେଣୁ ପୁଲିସ ପକ୍ଷରୁ ରାଜେନ୍ଦ୍ରନଗର ଅଞ୍ଚଳରେ ଥିବା ପୁନୀତଙ୍କ ଜିବିଜି କିଡ୍ନୀ କେୟାର ହସ୍ପିଟାଲରେ ଚଢ଼ାଉ କରାଯାଇଥିଲା। ଆର୍ଥିକ ଅନିୟମିତତା ମାମଲା ସମ୍ପର୍କିତ କେତେକ ଗୁରୁତ୍ଵପୂର୍ଣ୍ଣ କାଗଜପତ୍ର ହସ୍ପିଟାଲରୁ ଜବତ ହୋଇଥିବା ରାୟପୁର ଏସ୍ପି ଆରିଫ ଶେଖ କହିଛନ୍ତି। ଏଥିସହ ପୁନୀତଙ୍କୁ ପୁଲିସ ନିକଟରେ ହାଜର ହେବାକୁ ଆଉ ଏକ ନୋଟିସ ଜାରି କରାଯିବ ବୋଲି ଏସ୍ପି ଶେଖ କହିଛନ୍ତି।
ସୂଚନାଯୋଗ୍ୟ, ରାୟପୁରସ୍ଥିତ ଡିଏସକେ ପୋଷ୍ଟ ଗ୍ରାଜୁଏଟ ଇନ୍ଷ୍ଟିଚ୍ୟୁଟ ଆଣ୍ଡ ରିସର୍ଚ୍ଚ ସେଣ୍ଟରରେ ପୁନୀତ ସୁପରିଣ୍ଟେଣ୍ଡେଣ୍ଟ ଥିବା ବେଳେ ୫୦ କୋଟି ଟଙ୍କାର ଆର୍ଥିକ ଅନିୟମିତତା ହୋଇଥିବା ପଦାକୁ ଆସିଥିଲା। ଗତ ମାର୍ଚ୍ଚ ୧୫ରେ ହସ୍ପିଟାଲର ସୁପରିଣ୍ଟେଣ୍ଡେଣ୍ଟ ଡା. କମଲ କିଶୋର ସାହାରେଙ୍କ ଅଭିଯୋଗକ୍ରମେ ଏକ ମାମଲା ରୁଜୁ ହୋଇଥିଲା।



