ପୁଲିସ ଏନକାଉଣ୍ଟରରେ ଲୁଟିଆ ଆହତ

ସମ୍ବଲପୁର : ଶତବାର୍ଷିକ ଦୈନିକ ଖବର କାଗଜ ‘ସମାଜ’ ରେ ସୋମବାର ‘ଚୋର ସକ୍ରିୟ ନିଷ୍କ୍ରିୟ ପୁଲିସ’ ଶୀର୍ଷକ ଖବର ପ୍ରକାଶନ ପରେ ପୁଲିସ ଉପରେ ରାଜ୍ୟ ସରକାରଙ୍କ ଠାରୁ ପ୍ରବଳ ଚାପ ହେବାରୁ ଏବେ କିଛିଟା ସକ୍ରିୟ ସମ୍ବଲପୁର ପୁଲିସ ହୋଇଛି । ଅଇଁଠାପାଲି ଥାନା କ୍ଷେତ୍ର ସମେତ ଅନ୍ୟ ଥାନା କ୍ଷେତ୍ର ଗୁଡିକରେ ଦିନକୁ ଦିନ ଚୋରି, ଲୁଟ, ଡକାୟତି ଆଦି ଘଟଣା ଢ଼େର ବୃଦ୍ଧି ପାଉଥିବା ସମ୍ପର୍କିତ ଏହି ଖବର ପ୍ରକାଶନ ପରେ ଅପରାଧି ମାନଙ୍କ ଉପରେ କଡା ଅଙ୍କୁଶ ଲଗାଇବା ପାଇଁ ପୁଲିସ ଉଦ୍ୟମ କରିଥିବାର ଦାବି କରିଛି । ସମାଜରେ ଖବର ପ୍ରକାଶନ ପରେ ସୋମବାର ଅପରାହ୍ନ ପ୍ରାୟ ୩ଟା ସମୟରେ ସମ୍ବଲପୁରରେ ଇମାମୀ କମ୍ପାନୀ ପାଇଁ କାର୍ଯ୍ୟରତ ମେଡିକାଲ ରିପ୍ରେଜନ୍ଟେଟିଭ ତଥା ସୁବର୍ଣ୍ଣପୁର ଜିଲା ନିବାସୀ ଅକ୍ଷୟ କୁମାର (୨୬) ତାଙ୍କର କମ୍ପାନୀର ଟଙ୍କା ଗୁଡିକ ସଂଗ୍ରହ କରି ଗାଡିରେ ସେ ତାଙ୍କର ମ୍ୟାନେଜରଙ୍କ ସହିତ ଫେରିବା ସମୟରେ ଅଇଁଠାପାଲି ଥାନାରୁ ମାତ୍ର କିଛି ଶହ ମିଟର ଦୂରରେ ସ୍ଥିତ ଅନୁଗୁଳିଆପଡା ଟାଙ୍ଗରପାଲି ଛକ ନିକଟରେ ଜଣେ ବ୍ୟକ୍ତ ଅଚାନକ ଓଭର ଟେକ କରି ଅଟକାଇଥିଲା । ଉକ୍ତ ବ୍ୟକ୍ତି ଜଣେ ଏକ ବିନା ନମ୍ବର ପ୍ଲେଟର ନୀଳ ରଙ୍ଗର ଗାଡିରେ ଆସି ଗାଡି ଅଟକିବା ପରେ ଏକ ପିସ୍ତଲ ଦେଖାଇ ତାଙ୍କ ଠାରୁ କମ୍ପାନୀର ସଂଗୃହିତ ୪୫ ହଜାର ଟଙ୍କା ଛଡାଇ ନେଇ ଫେରାର ମାରିଥିଲା ।
ଏ ନେଇ ଥାନାରେ ଅଭିଯୋଗ ହେବାରୁ ଅଇଁଠାପାଲି ପୁଲିସ ଗୋଟିଏ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିଲା । ପୁଲିସ ତଦନ୍ତ ସମୟରେ ମଙ୍ଗଳବାର ସକାଳ ପ୍ରାୟ ୫ଟା ସମୟରେ ଲୁଟିଆ ଜଣକ ଅଇଁଠାପାଲି ପଟରୁ କାଈଁଶୀର ରାସ୍ତା ଦେଇ ଜମାଦାରପାଲି ଏୟାରଷ୍ଟ୍ରିପ ପଟକୁ ଯାଉଥିବାର ଜାଣି ତାର ପିଛା କରିଥିଲା । ସ୍ଥାନୀୟ ଲମଡୁଙ୍ଗୁରୀ ନିକଟରେ ପ୍ରାୟ ୫ଟା ୪୦ ମିନିଟରେ ପୁଲିସକୁ ଦେଖି ଲୁଟିଆ ଜଣକ ୭ ଏମଏମ ଦେଶୀ ପିସ୍ତଲରୁ ୨ଟି ଗୁଳି ଚଳାଇ ଫେରାର ହେବାରୁ ଉଦ୍ୟମ କରିଥିଲା । ଏଣୁ ପୁଲିସ ତାକୁ ନିୟନ୍ତ୍ରିତ କରିବା ପାଇଁ ପାଲଟା ଗୁଳି ଚାଳନା କରିବାରୁ ତାର ବାମ ଗୋଡରେ ଗୋଟିଏ ଗୁଳି ବାଜିବାରୁ ସେ ଆହତ ହୋଇଥିଲା ଏବଂ ପୁଲିସ ତାକୁ ଧରିବାରେ ସକ୍ଷମ ହୋଇଥିଲା । ପୁଲିସ ଲୁଟିଆ ନିକଟରୁ ଗତକାଲି ଲୁଟ ହୋଇଥିବା ୪୫ ହଜାର ଟଙ୍କା ମଧ୍ୟରୁ ୪୦ ହଜାର ଟଙ୍କା ଜବତ କରିବା ସହିତ ସେ ବ୍ୟବହାର କରୁଥିବା ଗୋଟିଏ ଚୋରି ହିରୋ ହୋଣ୍ଡା ବାଇକ, ୭ ଏମଏମ ଦେଶୀ ପିସ୍ତଲ ଏବଂ ଗୋଟିଏ ମୋବାଇଲ ଫୋନ ଜବତ କରିଥିଲା । ଆହତ ଲୁଟିଆକୁ ପୁଲିସ ବୁର୍ଲା ଭିମସାରରେ ଭର୍ତ୍ତି କରାଇ କଡା ପହରା ମଧ୍ୟରେ ଚିକିତ୍ସା କରାଉଛି । ପୁଲିସ ଜେରା ସମୟରେ ଲୁଟିଆର ନାମ ମହେଶ କୁମାର ଶର୍ମା ଓରଫ ଗୁଡ୍ଡୁ (୩୫) ଏବଂ ସେ ବରଗଡର ରେଳୱେ ଷ୍ଟେସନ ପଡା ନିବାସୀ ଅଟେ ।
ଲୁଟିଆ ଗୁଡ୍ଡୁ ନାମରେ ପୁର୍ବରୁ ଥିବା ଅପରାଧିକ ମାମଲା ସଂକ୍ରାନ୍ତ ପୁଲିସର ପ୍ରାଥମିକ ତଦନ୍ତ ସମୟରେ ଅନେକ ମାମଲା ରହିଥିବାର ଜଣାପଡିଛି । ଗୁଡ୍ଡୁ ନାମରେ ସର୍ବାଧିକ ରେଢ଼ାଖୋଲ ଥାନାରେ ସର୍ବାଧିକ ୧୧ଟି ମାମଲା, ଅଇଁଠାପାଲି ଥାନାରେ ଗୋଟିଏ, ଜମନକିରା ଥାନାରେ ୨ଟି, ବରେଇପାଲି ଥାନାରେ ଗୋଟିଏ, ବୁର୍ଲା ଥାନାରେ ୩ଟି, ବରଗଡ ଜିଲା ଟାଉନ ଥାନାରେ ୩ଟି, ଭେଡେନ ଥାନାରେ ଗୋଟିଏ, ବରପାଲି ଥାନାରେ ଗୋଟିଏ, ଏବଂ ବଲାଙ୍ଗୀର ଜିଲାର ଟିଟିଲାଗଡ ଥାନାରେ ଗୋଟିଏ ମାମଲା ସମେତ ସମୁଦାୟ ୨୫ଟି ମାମଲା ରହିଛି ବୋଲି ଅତିରିକ୍ତ ଜିଲା ପୁଲିସ ଆରକ୍ଷୀ ଅଧିକ୍ଷକ ଅଜୟ କୁମାର ମିଶ୍ର କହିଛନ୍ତି । ବିଶ୍ୱସ୍ତ ସୂତ୍ରରୁ ପ୍ରାପ୍ତ ସୂଚନାନୁଯାୟୀ, ଲୁଟିଆ ଜଣକ ଗତକାଲି ଲୁଟ କରିବା ପରେ ଲୁଚି ରହିଥିବା ବେଳେ ପୁଲିସର ଚେକିଂ ଜୋରଦାର କରିଥିବାରୁ ସେ ଆଜି କାଈଁଶୀର ରାସ୍ତାରେ ସକାଳୁ ୱାକ କରୁଥିବା ବ୍ୟକ୍ତି ମାନଙ୍କୁ ଲୁଟି ଜମାଦାରପାଲି ଏୟାରଷ୍ଟ୍ରିପ ରାସ୍ତା ଦେଇ ଝାରସୁଗୁଡା ଜିଲାକୁ ଫେରାର ହେବାର ଯୋଜନାରେ ରହିଥିବା ବେଳେ ଠିକଣା ସମୟରେ ପୁଲିସ ତାକୁ ପିଛା କରି ଏନକାଉନ୍ଟର କରି ଧରିବାରେ ସଫଳ ହୋଇଛି । ଅପରପକ୍ଷରେ ‘ସମାଜ’ ଖବରକାଗଜରେ ପୁଲିସର ନିଷ୍କ୍ରିୟତା ସମ୍ପର୍କିତ ଖବର ପ୍ରକାଶନ ପରେ ଅପରାଧି ମାନଙ୍କ ମଧ୍ୟରେ ଆଇନର ଭୟ ସୃଷ୍ଟି କରିବା ପାଇଁ କରାଯାଉଥିବା ଏନକାଉନ୍ଟରକୁ ସହରବାସୀ ସ୍ୱାଗତ କରୁଥିବା ବେଳେ ସମାଜ ଖବରକାଗଜକୁ ନିରପେକ୍ଷ ଉଦ୍ୟମ ଓ ସାମାଜିକ ଦାୟିତ୍ୱ ନିର୍ବାହ ପାଇଁ ଉଚ୍ଚ ପ୍ରଶଂସା କରୁଛନ୍ତି ।
Comments are closed.