ନୂଆଦିଲ୍ଲୀ : ବିବାଦୀୟ ପୋଲାଭରମ ପ୍ରକଳ୍ପ ମାମଲାରେ ଓଡ଼ିଶା ଓ ଛତିଶଗଡ଼ର ପ୍ରଭାବିତ ଅଞ୍ଚଳରେ ଜନଶୁଣାଣି କରିବା ଲାଗି ଆବଶ୍ୟକୀୟ ତଥ୍ୟ ତିନି ସପ୍ତାହ ମଧ୍ୟରେ ଦେବାକୁ କେନ୍ଦ୍ର ସରକାରଙ୍କୁ ସୁପ୍ରିମକୋର୍ଟ ନିର୍ଦେଶ ଦେଇଛନ୍ତି। ଆଜି ବିଚାରପତି ଏ କେ ସିକ୍ରିଙ୍କ ଅଧ୍ୟକ୍ଷତାରେ ଗଠିତ ତିନି ଜଣିଆ ସ୍ୱତନ୍ତ୍ର ଖଣ୍ଡପୀଠରେ ମାମଲ।।ର ଶୁଣାଣି ବେଳେ କେନ୍ଦ୍ର ସରକାରଙ୍କ ଅତିରିକ୍ତ ସଲିସିଟର ଜେନେରାଲ ପିଙ୍କି ଆନନ୍ଦ ଜଣାଇଥିଲେ ଆବଶ୍ୟକୀୟ ତଥ୍ୟ ପାଇଁ ଓଡ଼ିଶା ସରକାର ଗତ ଡିସେମ୍ବର ୧୭ରେ ଓ ଛତିଶଗଡ଼ ସରକାର ଡିସେମ୍ବର ୨୨ରେ କେନ୍ଦ୍ର ସରକାରଙ୍କୁ ଚିଠି ଲେଖିଛନ୍ତି। କେନ୍ଦ୍ର ସରକାର ଚଠି ପାଇବା ପରେ ଉଭୟ ରାଜ୍ୟକୁ ତଥ୍ୟ ପ୍ରଦାନ ପାଇଁ ପ୍ରକ୍ରିୟା ତ୍ୱରାନ୍ନିତ କରିଛନ୍ତି। ଆସନ୍ତା ଚାରି ସପ୍ତାହ ମଧ୍ୟରେ ଉଭୟ ଓଡ଼ିଶା ଓ ଛତିଶଗଡ଼କୁ ତଥ୍ୟ ଦିଆଯିବ। ମାତ୍ର ଖଣ୍ଡପୀଠ ତିନି ସପ୍ତାହ ମଧ୍ୟରେ ତଥ୍ୟ ଦେବାକୁ କେନ୍ଦ୍ର ସରକାରଙ୍କୁ ନିର୍ଦେଶ ଦେଇଥିଲେ। ଖଣ୍ଡପୀଠ ମାମଲାର ପରବର୍ତ୍ତୀ ଶୁଣାଣି ସ୍ୱତନ୍ତ୍ର ଭାବେ ଜାନୁଆରୀ ୨୪କୁ ଧାର୍ଯ୍ୟ କରିଛନ୍ତି। ମାମଲାର ଶୁଣାଣି ବେଳେ ତେଲେଙ୍ଗାନା ସଂଗଠନ ରେଲା’ର ଓକିଲ ଜୟନ୍ତ ଭୂଷଣ କୋର୍ଟରେ ଦର୍ଶାଇଥିଲେ ଯେ ବିନା ପରିବେଶ ମଞ୍ଜୁରୀରେ ପୋଲାଭରମ ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ଜାରି ରହିବା ସଂପୂର୍ଣ୍ଣ ଭାବେ ବେଆଇନ। ବର୍ଷ ବର୍ଷ ଧରି ପ୍ରକଳ୍ପ ନିର୍ମାଣ କାର୍ଯ୍ୟବନ୍ଦ ଆଦେଶ ଉପରେ କେନ୍ଦ୍ର ଜଙ୍ଗଲ ପରିବେଶ ଓ ଜଳବାୟୁ ମନ୍ତ୍ରାଣଳୟ ସ୍ଥଗିତାଦେଶ ଜାରି କରିବା ଘଟଣା ପ୍ରଚଳିତ ଆଇନର ଖୋଲା ଖୋଲି ଉଲ୍ଲଙ୍ଘନ କୁହାଯାଇପାରେ। ସର୍ବୋଚ୍ଚ ନ୍ୟାୟାଳୟ ତୁରନ୍ତ ପ୍ରକଳ୍ପ ନିର୍ମାଣ ଉପରେ ସ୍ଥଗିତାଦେଶ ଜାରି କରିବାକୁ ଆଡଭୋକେଟ ଭୂଷଣ ନିବେଦନ କରିଥିଲେ।
ସେହିପରି ଓଡ଼ିଶା ସରକାର ଲେଖିଥିବା ଚିଠିରେ ଦର୍ଶାଇଛନ୍ତି ଯେ ପ୍ରକଳ୍ପ କ୍ଷମତା ୫୦ ଲକ୍ଷ କ୍ୟୁସେକୁ ବୃଦ୍ଧି କରାଯିବା ଦ୍ୱାରା ପଛୁଆ ଜଳ (ବ୍ୟାକ ୱାଟର) ଯୋଗୁଁ ଆଦିବାସୀ ଅଧ୍ୟୁକ୍ଷିତ ମାଲକାନଗିରି ଜିଲା ପଭାବିତ ହେବ। ବିଶେଷ କରି ପୋଟେରୁ ଜଳସେଚନ ପ୍ରକଳ୍ପର କମାଣ୍ଡ ଏରିଆର ଗୁରୁତର ଭାବେ ପ୍ରଭାବିତ ହେବ। ପଭାବିତ ଅଞ୍ଚଳରେ ଜନଶୁଣାଣି ପୂର୍ବରୁ ପୁଣି ଥରେ
ପଛୁଆ ଜଳ ସମସ୍ୟାର ବୈଜ୍ଞାନିକ ପଦ୍ଧତିରେ ଅନୁଧ୍ୟାନ ପାଇଁ ଓଡ଼ିଶା ସରକାର ନିବେଦନ କରିଛନ୍ତି। ଅନୁଧ୍ୟାନ ପ୍ରକ୍ରିୟାରେ ମୁଖ୍ୟତଃ ଦୁଇଟି ଦିଗକୁ ବିଚାରକୁ ନେବାକୁ କୁହାଯାଇଛି। ପ୍ରଥମତଃ ପୋଲାଭରମ ପ୍ରକଳ୍ପର ଉପରମୁଣ୍ଡରେ ଇଞ୍ଚମପଲ୍ଲୀ ବହୁମୁଖୀ ପ୍ରକଳ୍ପ ନିର୍ମାଣ ପ୍ରସ୍ତାବକୁ ବାଦ ଦିଆଗଲେ ସୃଷ୍ଟି ହେବାକୁ ଥିବା ସମ୍ଭାବିତ ସମସ୍ୟା ଏବଂ ଦ୍ୱିତୀୟତଃ ପୋଲାଭରମ ବ୍ୟାରେଜ ବଦଳରେ ଜଳଭଣ୍ଡାର ନିର୍ମାଣ କରାଯିବା ଦ୍ୱାରା ସୃଷ୍ଟି ହେବାକୁ ଥିବା ସମସ୍ୟା। ଜଳ ପ୍ରବାହ ତଥ୍ୟ ସମେତ ପ୍ରକଳ୍ପରେ ଓଡ଼ିଶାର କେଉଁ କେଉଁ ଅଞ୍ଚଳ ପ୍ରଭାବିତ ହେବ ସେନେଇ ବିସୃତ ତଥ୍ୟ ଦେବାକୁ କୁହାଯାଇଛି। ସଦ୍ୟ ପରିବେଶ ଆକଳନ ରିପୋର୍ଟ, ପରିବେଶ ପରିଚାଳନା ଯୋଜନା ଅନୁଧ୍ୟାନ ରିପୋର୍ଟ ଓ ପୋଲାଭରମ ପ୍ରକଳ୍ପ ସଂପର୍କିତ ଅନ୍ୟାନ୍ୟ ତଥ୍ୟ ଦେବାକୁ ଓଡ଼ିଶା ସରକାର କେନ୍ଦ୍ର ସରକାରଙ୍କୁ ଚିଠି ଲେଖିଛନ୍ତି।
ଜନଶୁଣାଣି ପାଇଁ ଆବଶ୍ୟକ ତଥ୍ୟ ତିନି ସପ୍ତାହରେ ଦେବାକୁ କେନ୍ଦ୍ରକୁ ନିର୍ଦେଶ
Popular Categories



