ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ଜନ-ଧନ ଯୋଜନାକୁ ମିଳିଛି ବଡ ସଫଳତା। ସରକାରଙ୍କ ଆର୍ଥିକ ଅନ୍ତର୍ଭୁକ୍ତ କାର୍ଯ୍ୟକ୍ରମ ପ୍ରଧାନମନ୍ତ୍ରୀ ଜନ-ଧନ ଯୋଜନା ଅଧୀନରେ ବ୍ୟାଙ୍କ ଆକାଉଣ୍ଟ ସଂଖ୍ୟା ଅଗଷ୍ଟରେ ୫୦ କୋଟି ଅତିକ୍ରମ କରିଛି ବୋଲି ଅର୍ଥ ମନ୍ତ୍ରଣାଳୟର ଆର୍ଥିକ ସେବା ସଚିବ ବିବେକ ଯୋଶୀ କହିଛନ୍ତି।
ଆର୍ଥିକ ବ୍ୟବସ୍ଥାରେ ଅନ୍ତର୍ଭୁକ୍ତ କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱାରା ଆରମ୍ଭ ହୋଇଥିବା ଏହି ଯୋଜନା ୨୮ ଅଗଷ୍ଟ ୨୦୨୩ ରେ ନଅ ବର୍ଷ ପୂରଣ କରିଛି।
୧୬ ଅଗଷ୍ଟ ସୁଦ୍ଧା, ପ୍ରଧାନମନ୍ତ୍ରୀ ଜନ-ଧନ ଯୋଜନା (ପିଏମଜେଡିୱାଇ )ଆକାଉଣ୍ଟଗୁଡିକର ମୋଟ ସଂଖ୍ୟା ୫୦ କୋଟି ଅତିକ୍ରମ କରିଛି , ଯାହା ମାର୍ଚ୍ଚ ୨୦୧୫ ଶେଷରେ ୧୪୭.୨ ମିଲିୟନ ଥିଲା। ମାର୍ଚ୍ଚ ୨୦୨୩ ଶେଷରେ, ଆକାଉଣ୍ଟଗୁଡିକର ମୋଟ ସଂଖ୍ୟା ୪୮୬.୫ ମିଲିୟନ ଥିଲା ବୋଲି ଶ୍ରୀ ଯୋଶୀ କହିଛନ୍ତିା
ଏହି ଯୋଜନାରେ ଏକାଧିକ ସ୍କିମ୍ ରହିଛି। ବ୍ୟାଙ୍କ ଆକାଉଣ୍ଟରେ ସର୍ବନିମ୍ନ ଟଙ୍କା ବିନା ବ୍ୟାଙ୍କ ଆକାଉଣ୍ଟ୍, ବିନା ମୂଲ୍ୟରେ ରୁପେ ଡେବିଟ୍ କାର୍ଡ ସହିତ ୨ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଦୁର୍ଘଟଣା ବୀମା ଓ ୧୦,୦୦୦ ପର୍ୟ୍ୟନ୍ତ ଅନ୍ୟାନ୍ୟ ସୁବିଧା।
ବ୍ୟାଙ୍କିଙ୍ଗ ସେବାକୁ ସର୍ବଭାରତୀୟ ସୁବିଧା ଯୋଗାଇବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୧୫ ଅଗଷ୍ଟ ୨୦୧୪ ରେ ପିଏମଜେଡିୱାଇ ଘୋଷଣା କରିଥିଲେ। ଏହି ଯୋଜନା ୨୮ ଅଗଷ୍ଟ ୨୦୧୪ରେ ଆରମ୍ଭ କରାଯାଇଥିଲା। ଜନ-ଧନ ଆକାଉଣ୍ଟରେ ହାରାହାରି ଜମା ୧୬ ଅଗଷ୍ଟ ସୁଦ୍ଧା ୪,୦୬୩ କୁ ବୃଦ୍ଧି ପାଇଛି।
ସେହିଭଳି, ପିଏମଜେଡିୱାଇ ଆକାଉଣ୍ଟ ପାଇଁ ଦିଆଯାଇଥିବା ରୁପେ ଡେବିଟ୍ କାର୍ଡ ସଂଖ୍ୟା ମାର୍ଚ୍ଚ ୨୦୧୫ ଶେଷରେ ୧୩୧.୫ ମିଲିୟନରୁ ୧୬ ଅଗଷ୍ଟ ସୁଦ୍ଧା ୩୩୯.୮ ମିଲିୟନକୁ ବୃଦ୍ଧି ପାଇଛି ।
ବ୍ୟାଙ୍କ ସେବା ଉପଲବ୍ଧ ନଥିବା ଅଞ୍ଚଳରେ ଲୋକଙ୍କୁ ବ୍ୟାଙ୍କିଂ ସେବା ପ୍ରଦାନ କରିବା ଉଦ୍ଦେଶ୍ୟରେ ଓ ଏହି ଯୋଜନା ମାଧ୍ୟମରେ ଜିରୋ ଆକାଉଣ୍ଟ ଖୋଲାଯିବା ସହ ନିଶୁକ୍ଳରେ ଡେବିଟ୍ କାର୍ଡ ଏବଂ ଓଭରଡ୍ରାଫ୍ଟ ଆଦି ସୁବିଧା ଯୋଗାଇ ଦିଆଯାଇଛି।
ଆର୍ଥିକ ଅନ୍ତର୍ଭୂକ୍ତ ପାଇଁ ସରକାରଙ୍କ ମିଶନକୁ ଅନୁକରଣ କରି ବଞ୍ଚିତ ଲୋକଙ୍କୁ ମୌଳିକ ବ୍ୟାଙ୍କିଙ୍ଗ ସୁବିଧା ଯୋଗାଇବା ପାଇଁ, ଜନ-ଧନ ଯୋଜନାରେ ବ୍ୟାଙ୍କ ସୁବିଧା ପାଉନଥିବା ଲୋକମାନଙ୍କୁ ବ୍ୟାଙ୍କ ସେବା ଯୋଗାଇବା, ଆର୍ଥିକ ଦୃଷ୍ଟିରୁ ଅସୁରକ୍ଷିତ ଲୋକମାନଙ୍କୁ ଆର୍ଥିକ ସୁରକ୍ଷା ପ୍ରଦାନ କରିବା ଓ ଆର୍ଥିକ ଅନଗ୍ରସର ମାନଙ୍କୁ ସହାୟତା କରିବା ଏହି ଯୋଜନାର ଲକ୍ଷ୍ୟ।
ଅର୍ଥ ମନ୍ତ୍ରଣାଳୟର ତଥ୍ୟ ଅନୁଯାୟୀ, ଜନ ଧନ ଆକାଉଣ୍ଟ ମଧ୍ୟରୁ ୫୬% ମହିଳାଙ୍କର ଏବଂ ଗ୍ରାମାଞ୍ଚଳ / ଅର୍ଦ୍ଧ ସହରାଞ୍ଚଳରେ ୬୭% ଖାତା ଖୋଲାଯାଇଛି। ଆର୍ଥିକ ମନ୍ତ୍ରଣାଳୟ ଚଳିତ ମାସ ଆରମ୍ଭରେ ଏକ ବିବୃତ୍ତିରେ କହିଛି ଯେ ପିଏମଜେଡିୱାଇ ଯୋଜନା ଦେଶର ଆର୍ଥିକ ଦୃଶ୍ୟପଟ୍ଟ ପରିବର୍ତ୍ତନ କରିବାରେ ସଫଳ ହୋଇଛି ଏବଂ ବୟସ୍କଙ୍କ ପାଇଁ ବ୍ୟାଙ୍କ ଆକାଉଣ୍ଟରେ ପରିପୂର୍ଣ୍ଣତା ଆଣିଛି।
ପ୍ରଧାନମନ୍ତ୍ରୀ ଜନ-ଧନ ଯୋଜନା ; ୯ ବର୍ଷରେ ଖୋଲିଛି ୫୦ କୋଟିରୁ ଅଧିକ ଆକାଉଣ୍ଟ
Popular Categories



