କାନପୁର : ଦିନିକିଆ ଉତ୍ତର ପ୍ରଦେଶ ଗସ୍ତରେ ଯାଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅନେକଗୁଡିଏ ଉନ୍ନୟନ ମୂଳକ ପ୍ରକଳ୍ପର ଶିଳାନ୍ୟାସ ଏବଂ ଉଦଘାଟନ କରିଛନ୍ତି । କାନପୁରରେ ଅନେକ ପ୍ରକଳ୍ପର ଶିଳାନ୍ୟାସ କରିବା ପରେ ନିଜ ଅଭିଭାଷଣରେ ପ୍ରଧାନମନ୍ତ୍ରୀ ବିରୋଧୀଙ୍କ ଉପରେ ବର୍ଷିଛନ୍ତି । ଶ୍ରୀ ମୋଦୀ କହିଛନ୍ତି ପୁଲୱାମା ଆକ୍ରମଣ ପରେ ଆମର ବୀର ସୈନିକ ମାନେ ଯେଉଁ ପରାକ୍ରମ ଦେଖାଇଲେ ତାକୁ ନେଇ ଆମେ ସମସ୍ତେ ଗର୍ବିତ । କିନ୍ତୁ ଦୁଃଖର କଥା କିଛି ଲୋକ ଆମ ସେନାର ସେହି ପରାକ୍ରମକୁ ଅପମାନିତ କରିବା ପାଇଁ ଦିନ ରାତି ଲାଗି ପଡିଛନ୍ତି ।
ପୁଲୱାମା ଆକ୍ରମଣ ପ୍ରସଙ୍ଗ ନେଇ ସେ ବିରୋଧୀଙ୍କ ଉପରେ ପ୍ରବଳ ବର୍ଷିଛନ୍ତି । ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଗୋଟିଏ ପଟେ ଆମର ଯବାନଙ୍କ ବୀରତ୍ୱ ପାଇଁ ଆମ ଛାତି ଫୁଲି ଉଠୁଥିବା ବେଳେ, ଅନ୍ୟପଟେ ଆମର ଏପରି କିଛି ଲୋକ ମଧ୍ୟ ଅଛନ୍ତି ଯେଉଁମାନଙ୍କ ବୟାନର ଲାଭ ଆତଙ୍କବାଦର ମୁଖିଆ ମାନେ ଉଠାଉଛନ୍ତି ।

ଚଳିତଥର ପାକିସ୍ତାନ ସମସ୍ତ ପ୍ରମାଣ ସହ ଧରାପଡିଛି ଏବଂ ଆଜି ପାକିସ୍ତାନ ଚାପରେ ରହିଛି ବୋଲି । ଏବେ ପାକିସ୍ତାନ ଦୁନିଆକୁ ମୁହଁ ଦେଖାଇବା ଅବସ୍ଥାରେ ନାହିଁ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଦେଶର ୧୨୫ କୋଟି ଲୋକଙ୍କ ଶକ୍ତିରେ ହିଁ ଆତଙ୍କବାଦର ମୂଳୋତ୍ପାଟନ କରାଯାଇ ପାରିବ ବୋଲି ସେ କହିଛନ୍ତି । ଦେଶବାସୀଙ୍କ ମିଳିତ ଶକ୍ତିରୁ ଆତଙ୍କବାଦୀ ମାନଙ୍କ ବିରୋଧରେ ଏହିପରି କାର୍ଯ୍ୟାନୁଷ୍ଠାନ ନିଆଯାଇ ପାରିଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।



