ବନ୍ୟା ପ୍ରପୀଡ଼ିତ ପଞ୍ଜାବ ଓ ହିମାଚଳ ପ୍ରଦେଶ ଆକାଶ ମାର୍ଗରୁ ପରିଦର୍ଶନ କରିଲେ ପ୍ରଧାନମନ୍ତ୍ରୀ । ହେଲିକପ୍ଟର ଯୋଗେ ପଞ୍ଜାବର ବନ୍ୟା ଓ ହିମାଚଳର ଭୂସ୍ଖଳନ ସ୍ଥିତି ଅନୁଧ୍ୟାନ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଏହା ସହିତ ବନ୍ୟା ପୀଡ଼ିତଙ୍କ ସହ କଲେ ସାମ୍ନାସାମ୍ନି ସୁଖଦୁଃଖ ହୋଇଛନ୍ତି ସେ । ପ୍ରଥମେ ଆକାଶ ମାର୍ଗରୁ ହିମାଚଳ ପ୍ରଦେଶ ସ୍ଥିତି ସମୀକ୍ଷା କରିବା ପରେ ପଞ୍ଜାବର ବନ୍ୟା ସ୍ଥିତି ସମୀକ୍ଷା କରିଛନ୍ତି ।
ମୋଦୀ ହିମାଚଳ ପ୍ରଦେଶ ପାଇଁ ଦେଢ ହଜାର କୋଟି ଟଙ୍କାର କ୍ଷତି ପୂରଣ ପ୍ୟାକେଜ ଘୋଷଣା କରିଛନ୍ତି । ଏହା ସହିତ ବନ୍ୟାରେ ପ୍ରାଣ ହରାଇଥିବା ମୃତକଙ୍କ ପରିବାରକୁ ୨ ଲକ୍ଷ ଟଙ୍କାର କ୍ଷତିପୂରଣ ଓ ଆହତଙ୍କୁ ୫୦ ହଜାର ଟଙ୍କାର ସହାୟତା ରାଶି ଘୋଷଣା କରିଛନ୍ତି । ଏହି ଅବସରରେ ସେ ହିମାଚଳ ପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କ ସହ ବୈଠକ କରି କ୍ଷତି ବାବଦରେ ଆଲୋଚନା କରିଠଛନ୍ତି । ପରେ ନିଜ ସୋସିଆଲ୍ ମିଡିଆ ପୋଷ୍ଟ କରିଛନ୍ତି, ‘ ହିମାଚଳ ପ୍ରଦେଶର ଏହି କଷ୍ଟକର ସମୟରେ ଆମେ ଲୋକଙ୍କ ସହିତ ଦୃଢ଼ ଭାବରେ ଠିଆ ହୋଇଛୁ ଏବଂ ପ୍ରଭାବିତ ଲୋକଙ୍କୁ ସହାୟତା ଜାରି ରଖିବା ପାଇଁ ସମସ୍ତ ପ୍ରକାରର ପ୍ରୟାସ କରାଯାଉଛି ।’
ହିମାଚଳ ପ୍ରଦେଶରେ ଭୂସ୍ଖଳନ ଏବଂ ବନ୍ୟା ଯୋଗୁଁ କ୍ଷତିଗ୍ରସ୍ତ ହୋଇଥିବା ଲୋକଙ୍କ ଘର ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଅଧୀନରେ ପୁନଃନିର୍ମାଣ କରାଯିବ । ଜାତୀୟ ରାଜପଥ ମରାମତି କରାଯିବ, ସ୍କୁଲଗୁଡ଼ିକ ପୁନଃନିର୍ମାଣ କରାଯିବ । ଏହା ସହିତ ବିପର୍ଯ୍ୟୟ ପ୍ରଭାବିତ ଲୋକଙ୍କୁ ପ୍ରଧାନମନ୍ତ୍ରୀ ଜାତୀୟ ରିଲିଫ୍ ପାଣ୍ଠି ଅଧୀନରେ ମଧ୍ୟ ସାହାଯ୍ୟ ମିଳିବ । ପଶୁପାଳନ ପାଇଁ ମିନି କିଟ୍ ମଧ୍ୟ ପ୍ରଦାନ କରାଯିବ ବୋଲି ସୂଚନା ରହିଛି । ଏହାସହ ବିଶେଷକରି ଯେଉଁ ଚାଷୀମାନଙ୍କର ବର୍ତ୍ତମାନ ବିଦ୍ୟୁତ ସଂଯୋଗ ନାହିଁ ସେମାନଙ୍କୁ ଅତିରିକ୍ତ ସହାୟତା ଯୋଗାଇ ଦିଆଯିବ ।
ଏହା ପରେ ପଞ୍ଜାବ ଗସ୍ତରେ ଯାଇ ପ୍ରଧାନମନ୍ତ୍ରୀ ଆକାଶ ମାର୍ଗରୁ ବନ୍ୟା ସ୍ଥିତିର ସମୀକ୍ଷା କରିଛନ୍ତି । ପଞ୍ଜାବରେ ବନ୍ୟା ପାଣି କେଉଁ ମାତ୍ରାରେ ପ୍ରଳୟ ଓ କ୍ଷତି ଘଟାଇଛି ତାହା ହେଲିକପ୍ଟରରେ ଦେଖିଛନ୍ତି ମୋଦୀ । ଏଥିସହ ଗୁରୁଦାସପୁରରେ ବନ୍ୟା ପ୍ରଭାବିତଙ୍କ ସହ କଥା ହୋଇ ଫସଲ ନଷ୍ଟ ବାବଦରେ ପଚାରି ବୁଝିଛନ୍ତି ପ୍ରଧାନମନ୍ତ୍ରୀ । ତାସହ ଏନଡିଆରଏଫ, ଏସଡିଆରଏଫ ସଦସ୍ୟଙ୍କ ସହ ଉଦ୍ଧାର କାମ ନେଇ କଥା ହୋଇଛନ୍ତି ମୋଦୀ । ସ୍ଥିତି ସମୀକ୍ଷା ପରେ ପଞ୍ଜାବକୁ ଷୋହଳ ଶହ କୋଟି ଟଙ୍କାର ବନ୍ୟା ସହାୟତା ରାଶି ଘୋଷଣା କରିଛନ୍ତି ପିଏମ୍ ।



