ଝାଡ଼ଖଣ୍ଡ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଝାଡ଼ଖଣ୍ଡର ରାଞ୍ଚିଠାରେ ପ୍ରଧାନମନ୍ତ୍ରୀ କିଷାନ ମାନଧନ ଯୋଜନାର ଶୁଭାରମ୍ଭ କରିଛନ୍ତି। ଏହି ଯୋଜନା ଅନୁସାରେ ୬୦ବର୍ଷ ବୟସରୁ ଅଧିକ ବୟସର ପ୍ରାୟ ୫କୋଟି କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କୁ ମାସିକ ତିନି ହଜାର ଟଙ୍କା ପର୍ଯ୍ୟନ୍ତ ପେନ୍ସନ୍ ଦିଆଯିବାକୁ ବ୍ୟବସ୍ଥା ରହିଛି। ଆସନ୍ତା ତିନି ବର୍ଷ ପାଇଁ ଏହି ଯୋଜନା ବାବଦରେ ୧୦ହଜାର ୭୭୪କୋଟି ଟଙ୍କା ରଖାଯାଇଛି। ୧୮ରୁ ୪୦ବର୍ଷ ବୟସ ମଧ୍ୟରେ ସମସ୍ତ କ୍ଷୁଦ୍ର ଓ ନାମମାତ୍ର କୃଷକ ବର୍ତ୍ତମାନଠାରୁ ଏହି ଯୋଜନା ପାଇଁ ଆବେଦନ କରିପାରିବେ। ଝାଡ଼ଖଣ୍ଡରେ ଏକ ଲକ୍ଷ ୧୬ହଜାର କୃଷକ ଏହି ଯୋଜନାରେ ପଞ୍ଜିକୃତ ହୋଇସାରିଛନ୍ତି। କେବଳ କ୍ଷୁଦ୍ର ଓ ନାମମାତ୍ର ଚାଷୀ ଯେଉଁମାନଙ୍କର ଦୁଇ ହେକ୍ଟରରୁ କମ୍ ଜମି ରହିଛି ସେମାନେ ହିଁ ଏହି ପେନ୍ସନ୍ ଯୋଜନା ପାଇଁ ଯୋଗ୍ୟ ବିବେଚିତ ହେବେ।
ପ୍ରଧାନମନ୍ତ୍ରୀ ଝାଡ଼ଖଣ୍ଡର ସାହେବଗଞ୍ଜଠାରେ ଭାରତର ଦ୍ୱିତୀୟ ବହୁମୁଖୀ ନଦୀ ସମ୍ବନ୍ଧୀୟ ଟର୍ମିନାଲ୍କୁ ଉନ୍ମୋଚନ କରିଛନ୍ତି। ଏହାକୁ ଡିଜିଟାଲ୍ ଯୋଗାଯୋଗ ବ୍ୟବସ୍ଥା ମାଧ୍ୟମରେ ରାଞ୍ଚିରୁ ଉଦ୍ଘାଟନ କରାଯାଇଛି। ମୋଦୀ ମଧ୍ୟ ଝାଡ଼ଖଣ୍ଡ ସଚିବାଳୟ ଅଟ୍ଟାଳିକାର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ରାଞ୍ଚିର ଧୁରବାଠାରେ ସେ ଝାଡ଼ଖଣ୍ଡ ବିଧାନସଭା ଅଟ୍ଟାଳିକାକୁ ଉଦ୍ଘାଟନ କରିଛନ୍ତି। ମୋଦୀ ୪୬୨ଟି ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟର ଶୁଭାରମ୍ଭ କରିଛନ୍ତି। ସେଥିମଧ୍ୟରୁ ୬୯ଟି ବିଦ୍ୟାଳୟ ଝାଡ଼ଖଣ୍ଡରେ ଆରମ୍ଭ ହେବ। ପ୍ରଧାନମନ୍ତ୍ରୀ କ୍ଷୁଦ୍ର ବ୍ୟବସାୟୀମାନଙ୍କ ପାଇଁ ବ୍ୟାପାର ସ୍ୱ-ରୋଜଗାର ପେନସନ୍ ଯୋଜନାର ମଧ୍ୟ ଶୁଭାରମ୍ଭ କରିଛନ୍ତି।



