କରୋନା ବିରୋଧୀ ଲଢେଇରେ ଜନତା କର୍ଫ୍ୟୁ ଠାରୁ ଆରମ୍ଭ କରି ଆଜିଯାଏଁ ସମସ୍ତ ଭାରତବାସୀ ଏକ ଦୀର୍ଘ ସମୟ ପରେ ପୁଣି ଥରେ ଚଳଚଂଚଳ ହେଉଛନ୍ତି ଏବଂ ଧୀରେ ଧୀରେ ଆର୍ଥିକ ଗତିବିଧି ବୃଦ୍ଧି ପାଉଛି କିନ୍ତୁ ଆମେ ଏହା ଭାବିବା ଉଚିତ ନୁହେଁ ଯେ ପରିସ୍ଥିତି ସାମାନ୍ୟ ହୋଇଛି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଦେଶବାସୀଙ୍କୁ ଉଦବୋଧନ ଦେବା ଅବସରରେ ଏହା କହିଛନ୍ତି। ସେ କହିଛନ୍ତି ଯେ ଲୋକମାନେ ନିଜର ଆବଶ୍ୟକତା ପୂରଣ କରିବ ପାଇଁ ବାହାରକୁ ଯାଉଛନ୍ତି ଏବଂ ବିଶେଷ କରି ଉତ୍ସବ ସମୟରେ ଲୋକମାନଙ୍କୁ ଅଧିକ ସମୟ ବାହାରେ ରହିବାକୁ ପଡୁଛି କିନ୍ତୁ ଆମେ ଭୁଲିଯିବା ଉଚିତ ନୁହେଁ ଯେ ଲକ ଡାଉନ ଅପସରି ଯାଇଛି କିନ୍ତୁ ସଂକ୍ରମଣ ଯାଇନାହିଁ।
ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଗତ ୭-୮ ମାସ ମଧ୍ୟରେ ପ୍ରତ୍ୟେକ ଭାରତୀୟଙ୍କ ଉଦ୍ୟମ ଯୋଗୁ ଆଜି ଭାରତରେ କରୋନା ସ୍ଥିତି ନିୟନ୍ତ୍ରଣରେ ଅଛି ତେଣୁ ସେହି ଅବସ୍ଥାକୁ ଅଧିକ ଖରାପ ହେବାକୁ ଦେବା ନାହିଁ। ସେ କହିଛନ୍ତି ଯେ ଦେଶରେ ଏବେ କରୋନା ଜନିତ ପୁନରୁଦ୍ଧାର ହାର ଭଲ ରହିଛି ଏବଂ ମୃତ୍ୟୁ ହାର କମ୍ ରହିଛି। ଭାରତ ବିଶ୍ୱର ସମୃଦ୍ଧ ଦେଶ ଅପେକ୍ଷା ଅଧିକରୁ ଅଧିକ ନାଗରିକଙ୍କ ଜୀବନ ରକ୍ଷା କରିବାରେ ସଫଳ ହେଉଛି। ଅନ୍ୟପକ୍ଷରେ କୋଭିଡ ମହାମାରୀ ବିରୋଧୀ ଲଢେଇରେ ବୃଦ୍ଧି ପାଉଥିବା ନମୁନା ପରୀକ୍ଷଣ ସଂଖ୍ୟା ଏକ ପ୍ରମୁଖ ଶକ୍ତି ହୋଇଛି ବୋଲି ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି।
ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ ‘ସେବା ପରମୋ ଧର୍ମ’ ମନ୍ତ୍ର ଅନୁସରଣ କରିବା ପାଇଁ ଆହ୍ୱାନ ଦେଇଛନ୍ତି ଓ କହିଛନ୍ତି, ଆମର ଡାକ୍ତର, ନର୍ସ, ସ୍ୱାସ୍ଥ୍ୟକର୍ମୀମାନେ ନିଃସ୍ୱାର୍ଥପର ଭାବରେ ସେବା କରୁଛନ୍ତି। ଏସବୁ ଚେଷ୍ଟା ମଧ୍ୟରେ କେହି ବେପରୁଆ ହେବାର ସମୟ ନୁହେଁ। ଏକଥା ଅନୁମାନ କରିବାର ସମୟ ନୁହେଁ ଯେ କରୋନା ଚାଲିଯାଇଛି କିମ୍ବା ବର୍ତ୍ତମାନ କରୋନା ଠାରୁ କୌଣସି ବିପଦ ନାହିଁ। ସେ କହିଛନ୍ତି ଯେ ଏବେ ଅନେକ ଚିତ୍ର ଓ ଭିଡିଓରେ ଅନେକ ଲୋକ ସତର୍କତା ଅବଲମ୍ବନ କରୁନଥିବା ଜଣାପଡିଛି କିନ୍ତୁ ତାହା ଠିକ ନୁହେଁ।
ପ୍ରଧାନମନ୍ତ୍ରୀ ସତର୍କ କରାଇ ଦେଇ କହିଛନ୍ତି,’ଯଦି ଆପଣ ଅସାବଧାନ, ବିନା ମାସ୍କରେ ବାହାରକୁ ଯାଉଛନ୍ତି, ତେବେ ଆପଣ ନିଜକୁ, ନିଜ ପରିବାରକୁ, ପରିବାରର ପିଲାମାନଙ୍କୁ ଓ ଘରର ବୟସ୍କମାନଙ୍କୁ ଅସୁବିଧାରେ ପକାଉଛନ୍ତି।’ ଆମେରିକା ଓ ୟୁରୋପର ଉଦାହରଣ ଦେଇ ମୋଦୀ କହିଛନ୍ତି ଯେ ସେହି ସବୁ ଦେଶରେ କରୋନା ମାମଲା ହ୍ରାସ ପାଉଥିଲା କିନ୍ତୁ ହଠାତ୍ ପୁନର୍ବାର ବୃଦ୍ଧି ପାଇବାକୁ ଲାଗିଲା। ତେଣୁ ଯେ ପର୍ଯ୍ୟନ୍ତ କରୋନା ସଂକ୍ରମଣ କ୍ଷେତ୍ରରେ ସମ୍ପୂର୍ଣ୍ଣ ସଫଳତା ମିଳିନାହିଁ ସେ ଯାଏଁ ଅବହେଳା କରିବ ନାହିଁ। ସେ କହିଛନ୍ତି, କରୋନା ମହାମାରୀର ଟିକା ଆସିବା ପର୍ଯ୍ୟନ୍ତ, କରୋନା ସହିତ ଆମର ଯୁଦ୍ଧକୁ ଦୁର୍ବଳ ହେବାକୁ ଦେବା ନାହିଁ।
ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ମାନବିକତାକୁ ବଞ୍ଚାଇବା ପାଇଁ ଯୁଦ୍ଧକାଳୀନ ଭିତ୍ତିରେ କାର୍ଯ୍ୟ କରାଯାଉଛି। ଅନେକ ଦେଶ ଏଥିପାଇଁ କାର୍ଯ୍ୟ କରୁଛନ୍ତି। ଆମ ଦେଶର ବୈଜ୍ଞାନିକମାନେ ମଧ୍ୟ ଟିକା ବାହାର କରିବା ପାଇଁ କଠିନ ପରିଶ୍ରମ କରୁଛନ୍ତି। ବର୍ତ୍ତମାନ ଭାରତରେ କେତେକ କରୋନା ଟିକା ଉପରେ ପରୀକ୍ଷା ନିରୀକ୍ଷା ଚାଲିଛି ଓ ସେଥିମଧ୍ୟରୁ କିଛି ଟୀକା ବିକାଶ ପର୍ଯ୍ୟାୟରେ ରହିଛି ବୋଲି ସେ କହିଛନ୍ତି। ମୋଦୀ ଦେଶବାସୀଙ୍କୁ ଆଶ୍ୱାସନା ଦେଇଛନ୍ତି ଯେ ଯେତେବେଳେ ବି କରୋନା ଟିକା ଆସିବ, ସରକାର ପ୍ରତ୍ୟେକ ଭାରତୀୟଙ୍କୁ ଯଥାଶୀଘ୍ର ତାହା ଯୋଗାଇ ଦେବାପାଇଁ ପ୍ରସ୍ତୁତ ହେଉଛନ୍ତି। ପ୍ରତ୍ୟେକ ନାଗରିକଙ୍କ ନିକଟରେ ଯେଭଳି ଟୀକା ପହଞ୍ଚିବ ସେଥିପାଇଁ ଯୋଜନା କରାଯାଉଛି।
ଶେଷରେ ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି,’ଆମେ ଏକ କଷ୍ଟଦାୟକ ସମୟ ଦେଇ ଗତି କରୁଛୁ କିନ୍ତୁ ଟିକିଏ ଅସାବଧାନତା ଆମର ଗତିବିଧିକୁ ବନ୍ଦ କରିପାରେ, ଆମର ଖୁସିକୁ ଦୁଃଖରେ ପରିଣତ କରିପାରେ କରିପାରେ। ସେ କହିଛନ୍ତି ଯେ ଜୀବନରେ ସେତେବେଳେ ସୁଖ ଆସିବା ଯେତେବେଳେ ଆମେ ଜୀବନର ଦାୟିତ୍ୱ ବହନ କରିବା ଏବଂ ସଚେତନ ହେବା।



