ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଏକ ଉଚ୍ଚସ୍ତରୀୟ ବୈଠକରେ ଅଧ୍ୟକ୍ଷତା କରି ୟୁକ୍ରେନରେ ଥିବା ବହୁ ସଂଖ୍ୟକ ଭାରତୀୟଙ୍କ ସ୍ଥାନାନ୍ତର ସମ୍ପର୍କରେ ଆଲୋଚନା କରିଛନ୍ତି। ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କର, ବାଣିଜ୍ୟ ମନ୍ତ୍ରୀ ପୀୟୁଷ ଗୋୟଲ, ରାଷ୍ଟ୍ରୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ, ବୈଦେଶିକ ସଚିବ ହର୍ଷ ବର୍ଦ୍ଧନ ଶ୍ରୀଙ୍ଗଲା ଏହି ବୈଠକରେ ଉପସ୍ଥିତ ଥିଲେ ଯେଉଁଥିରେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଭାରତୀୟ ନାଗରିକଙ୍କ ସ୍ଥାନାନ୍ତର ବିଷୟରେ ପାୱାର ପଏଣ୍ଟ ମାଧ୍ୟମରେ ସୂଚନା ଦିଆଯାଇଥିଲା।
ୟୁକ୍ରେନରେ ଭାରତୀୟ ନାଗରିକଙ୍କ ସୁରକ୍ଷାକୁ ନେଇ ବୃଦ୍ଧି ପାଉଥିବା ଆଶଙ୍କା ମଧ୍ୟରେ ଏହି ବୈଠକ ଅନୁଷ୍ଠିତ ହୋଇଥିଲା। କେତେକ ରିପୋର୍ଟରେ କୁହାଯାଇଛି ଯେ ୟୁକ୍ରେନର ପଶ୍ଚିମ ସୀମାରେ ଲଭିଭ ଅଭିମୁଖେ ଯାଉଥିବା ସମୟରେ ଜଣେ ଭାରତୀୟ ଛାତ୍ର ଗୁଳିମାଡ଼ରେ ଆହତ ହୋଇଥିଲେ ଏବଂ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଏହି ସମୟରେ, ରୁଷ ଜାତୀୟ ପ୍ରତିରକ୍ଷା ନିୟନ୍ତ୍ରଣ କେନ୍ଦ୍ରର ମୁଖ୍ୟ କର୍ଣ୍ଣେଲ ଜେନେରାଲ ମିଖାଇଲ ମିଜିଣ୍ଟସେଭ କହିଛନ୍ତି ଯେ ଭାରତୀୟ ଛାତ୍ର ତଥା ଅନ୍ୟ ବିଦେଶୀମାନଙ୍କୁ ଉଦ୍ଧାର କରିବା ପାଇଁ ବେଲଗୋରୋଡ ଅଞ୍ଚଳର ନେଖୋଟେଇଭ୍କା ଏବଂ ସୁଧା ଚେକପଏଣ୍ଟରୁ ୧୩୦ଟି ବସ୍ ଖାର୍କୋଭ ଏବଂ ସୁମି ଯିବାକୁ ପ୍ରସ୍ତୁତ ରହିଛି।



