ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚ ପାଇଁ ଉଭୟ ଭାରତ ଏବମଂ ଦକ୍ଷିଣ ଆଫ୍ରିକା ଦଳର ଖେଳାଳିମାନେ ରବିବାର ଭୁବନେଶ୍ଵରରେ ପହଞ୍ଚିଛନ୍ତି। ଏକ ସ୍ବତନ୍ତ୍ର ବିମାନ ଯୋଗେ ଖେଳାଳି ଏବଂ ସପୋର୍ଟ ଷ୍ଟାଫମାନେ ଆସି ପହଞ୍ଚିଛନ୍ତି। ପରେ ବିମାନବନ୍ଦରରୁ ସେମାନେ କଡ଼ା ସୁରକ୍ଷା ବଳୟ ମଧ୍ୟରେ ହୋଟେଲକୁ ଯାଇଥିଲେ। ଭୁବନେଶ୍ଵର ମେ ଫେୟାର ହୋଟେଲରେ ପହଞ୍ଚିବା ପରେ ଖେଳାଳିମାନଙ୍କୁ ସ୍ବାଗତ କରାଯାଇଥିଲା।
ଗତ ଶୁକ୍ରବାର ଦକ୍ଷିଣ ଆଫ୍ରିକାର ୫ ଖେଳାଳି ଆଗୁଆ ଆସି ଭୁବନେଶ୍ଵରରେ ପହଞ୍ଚିଥିଲେ। ଡେଭିଡ ମିଲରଙ୍କ ସମେତ ୫ ଖେଳାଳି ପ୍ରଥମ ଦଫାରେ ଆସିଥିଲେ।
ରବିବାର ଉଭୟ ଦଳର ଖେଳାଳି ଆସି ପହଞ୍ଚିଛନ୍ତି। ତେବେ ଭାରତୀୟ ଖେଳାଳି ଶୁବମନ ଗିଲ୍ ଏବଂ ସୂର୍ଯ୍ୟକୁମାର ଯାଦବ ଆସିନାହାନ୍ତି। ରବିବାର ରାତିରେ ସେମାନେ ଭୁବନେଶ୍ଵରରେ ପହଞ୍ଚିବେ ବୋଲି ସୂଚନା ମିଳିଛି। ଖେଳାଳିମାନେ କିପରି ସୁରୁଖୁରୁରେ ହୋଟେଲରୁ ପଡ଼ିଆକୁ ଯିବେ ସେ ନେଇ କାରକେଡ୍ ରିହରସାଲ କରାଯାଇଛି। ସେମାନଙ୍କ ସୁରକ୍ଷାରେ ଯେପରି କୌଣସି ତ୍ରୁଟି ନ ହୁଏ ସେଥିଲାଗି କମିଶନରେଟ୍ ପୁଲିସ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି। ବରିଷ୍ଠ ପୁଲିସ ଅଧିକାରୀମାନେ ବାରବାଟୀ ପଡ଼ିଆକୁ ବାରମ୍ବାର ଯାଇ ସୁରକ୍ଷା ବ୍ୟବସ୍ଥା ଯାଞ୍ଚ କରୁଛନ୍ତି। ପୁଲିସ ପକ୍ଷରୁ ବାରମ୍ବାର ଘନ ଘନ ବୈଠକ କରାଯାଇ ସୁରକ୍ଷା ବ୍ୟବସ୍ଥାର ପ୍ରସ୍ତୁତିକୁ ଜୋରଦାର କରାଯାଉଛି।



