ପିପିଲିରେ ଇନ୍ଡୋର ଷ୍ଟାଡିୟମ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା
ପିପିଲି:ପିପିଲି ପୌରାଞ୍ଚଳରେ କ୍ରୀଡା ଭିତ୍ତିଭୂମିର ବିକାଶ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଘୋଷଣା କରାଯାଇଥିବା ବିଜୁ ପଟ୍ଟନାୟକ ଇନଡୋର ଷ୍ଟାଡିୟମ ନିର୍ମାଣ ନିମନ୍ତେ ୬ କୋଟି ୫୭ ଲକ୍ଷ ଟଙ୍କା ଅର୍ଥ ମଞ୍ଜୁର କରାଯାଇଥିବାରୁ ପିପିଲି ପୌରାଞ୍ଚଳବାସୀଙ୍କ ସମେତ ରାଜ୍ୟ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ଏଥିପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି।
ଏହି ଅବସରରେ ଗୁରୁବାର ଅପରାହ୍ନରେ ସ୍ଥାନୀୟ ତାରା କଲ୍ୟାଣ ମଣ୍ଡପ ଠାରେ ଆୟୋଜିତ ଉତ୍ସବରେ ମନ୍ତ୍ରୀ ଶ୍ରୀ ଦାଶଙ୍କ ସମେତ ବିଧାୟକ ପ୍ରାର୍ଥୀ ରୁଦ୍ରପ୍ରତାପ ମହାରଥୀ, ବ୍ଲକ ଉପାଧ୍ୟକ୍ଷ ଯୁଧିଷ୍ଠୀର ସ୍ୱାଇଁ, ପୂର୍ବତନ ପୌରାଧ୍ୟକ୍ଷ ସେକ୍ ବାବୁ, ବ୍ଳକ ଆତ୍ମା କମିଟି ଅଧ୍ୟକ୍ଷ ଧରଣୀଧର ସାହୁ, ପୂର୍ବତନ ପୌର ଉପାଧ୍ୟକ୍ଷା ମମତା ମଲ୍ଲିକ, ପୂର୍ବତନ କାଉନସିଲର ରୀତା ନାୟକ, ଗନ୍ଧର୍ବ ପରିଡା, ଯୁବନେତା ଆର୍ତ୍ତବନ୍ଧୁ ସାମନ୍ତରାୟ, ବ୍ଲକ ବିଜେଡି ସଭାପତି ପ୍ରଫୁଲ୍ଲ ସ୍ୱାଇଁ, ଜିଲା ଯୁବ ବିଜେଡି ସଭାପତି ନାରାୟଣ ସ୍ୱାଇଁ, ଜିଲା ବିଜେଡି ସଂପାଦକ କିଶୋର ଛୋଟରାୟ ପ୍ରମୁଖ ଯୋଗଦେଇ ପିପିଲି ପୌରାଞ୍ଚଳର କ୍ରୀଡାବିତ୍ଙ୍କ ଉନ୍ନତି ପାଇଁ ମୁଖ୍ୟମନ୍ତ୍ରୀଙ୍କ ଏହି ଇନ୍ଡୋର ଷ୍ଟାଡିୟମ ଭେଟିକୁ ସ୍ୱାଗତ ଜଣାଇବା ସହ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଥିଲେ। ୬ କୋଟି ୫୭ ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ହେବାକୁ ଥିବା ଏହି ବହୁମୁଖି ଇନ୍ଡୋର ଷ୍ଟାଡିୟମରେ ଟେବୁଲ ଟେନିସ, ଭଲିବଲ, କବାଡି, ବ୍ୟାଡିମିଣ୍ଟନ ଆଦି ଖେଳ ସହ ଜିମ୍ର ସୁବିଧା ମଧ୍ୟ ଉପଲବ୍ଧ ରହିବ। ଏହା ଦ୍ୱାରା ଅଞ୍ଚଳର ଛାତ୍ରଛାତ୍ରୀ ଓ କ୍ରୀଡାବିତମାନଙ୍କର କ୍ରୀଡାପ୍ରତିଭାର ବିକାଶ ହେବା ସହ ସେମାନେ ନିରୋଗି ରହିବେ ଓ ନିଜର ସ୍ୱାସ୍ଥ୍ୟ ପ୍ରତି ଅଧିକ ଯତ୍ନବାନ ହେବେ ବୋଲି ମନ୍ତ୍ରୀ ଶ୍ରୀ ଦାଶ ପ୍ରକାଶ କରିଥିଲେ।
କ୍ରୀଡା ସମେତ ବନ୍ୟା, ବାତ୍ୟା ଭଳି ପ୍ରାକୃତିକ ଦୁର୍ବିପାକ ଓ ମହାମାରୀ ସମୟରେ ଏହା ବିଶେଷ ଭାବେ କାମରେ ଲାଗିବ ବୋଲି ମନ୍ତ୍ରୀ ସୂଚନା ଦେଇଥିଲେ। ଏହି ଅବସରରେ କ୍ରୀଡାବିତ୍ ମାନେ କେକ୍ କାଟି ସେମାନଙ୍କ ଖୁସିକୁ ବାଣ୍ଟିଥିବା ବେଳେ ମନ୍ତ୍ରୀ ସେମାନଙ୍କୁ ବିଭିନ୍ନ କ୍ରୀଡା ଉପକରଣ ପ୍ରଦାନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ କ୍ରୀଡାବିତ୍ ସଙ୍ଗୀତା ମେକାପ, ବିଦୁଲତା ସାହୁ, କ୍ରୀଡା ସଂଗଠକ ଶ୍ରୀଧର ପ୍ରଧାନ, ଲିଙ୍କନ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ। ଏଠାରେ ସୂଚନା ଥାଉକି, ପିପିଲି ପୌରାଞ୍ଚଳରେ କ୍ରୀଡାର ବିକାଶ ପାଇଁ ସରକାରଙ୍କ ପକ୍ଷରୁ ଏକ ଇନ୍ଡୋର ଷ୍ଟାଡିୟମ ନିର୍ମାଣ ପାଇଁ ମୁଖ୍ୟମନ୍ତ୍ରୀଙ୍କ ୫ଟି ସଚିବ ଭି.କେ ପାଣ୍ଡିଆନଙ୍କ ସହ ଗତ ଜୁଲାଇ ୨ ତାରିଖ ଦିନ ଆଭାସି ମାଧ୍ୟମରେ ପିପିଲି ପୌରାଞ୍ଚଳର କ୍ରୀଡାବିତ୍, ଜନ ପ୍ରତିନିଧି ଓ ଅଞ୍ଚଳବାସୀ ଆଲୋଚନା କରିବା ସହ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଅନୁରୋଧପତ୍ରକୁ ଗଣଶିକ୍ଷା ମନ୍ତ୍ରୀ ଶ୍ରୀଦାଶଙ୍କ ମାଧ୍ୟମରେ ପ୍ରଦାନ କରିଥିଲେ।
Comments are closed.