ପିପିଲି: ରାଜ୍ୟ ଗୃହନିର୍ମାଣ ଓ ନଗର ଉନ୍ନୟନ ବିଭାଗର ସ୍ୱତନ୍ତ୍ର ସଚିବ ପ୍ରେମ କୁମାର ଝା ଗୁରୁବାର ପିପିଲି ଏନ୍ଏସି ପରିଦର୍ଶନ କରିଛନ୍ତି। ସ୍ୱଚ୍ଛ ଭାରତ ମିଶନ ଅଧିନରେ ପିପିଲି ପୌରାଞ୍ଚଳରେ କାର୍ୟ୍ୟକାରୀ ହେବାକୁ ଥିବା ମାଇକ୍ରୋ କମ୍ପୋଷ୍ଟ କେନ୍ଦ୍ର ନିମନ୍ତେ ପିପିଲିଶାସନ ଓ ଖଣ୍ଡିଆଗିରି ୱାର୍ଡର ପଦାସାହି ଠାରେ ମନୋନିତ କରାଯାଇଥିବା ଦୁଇଟିଯାକ ସ୍ଥାନକୁ ବୁଲି ଦେଖିଥିଲେ। ଏହି କେନ୍ଦ୍ର ପ୍ରତିଷ୍ଠା ହେବା ପରେ ପୌରାଞ୍ଚଳର ୧୬ଟି ଯାକ ୱାର୍ଡର ସମସ୍ତ ଘରୁ କଠିନ ଓ ତରଳ ବର୍ଜ୍ୟବସ୍ତକୁ ପ୍ରତ୍ୟହ ସଂଗ୍ରହ କରାଯାଇ ତାହାକୁ ଉକ୍ତ କେନ୍ଦ୍ର ଠାରେ ପ୍ରକ୍ରୀୟାକରଣ କରାଯାଇ ସେଥିରୁ କମ୍ପୋଷ୍ଟ ସାର ପ୍ରସ୍ତୁତ କରାଯିବ। ଏଥିସହ ଶ୍ରୀଝା ପିପିଲି ଆହାର କେନ୍ଦ୍ରକୁ ମଧ୍ୟ ପରିଦର୍ଶନରେ ଯାଇ ସେଠାରେ ଭୋଜନ କରୁଥିବା କେତେକ ବ୍ୟକ୍ତିଙ୍କ ଠାରୁ ଖାଦ୍ୟର ମାନ ଓ ଗୁଣବତ୍ତା ସହ ଆହାର କେନ୍ଦ୍ରର ସମସ୍ୟା ସଂପର୍କରେ ପଚାରି ବୁଝିଥିଲେ। ଶ୍ରୀଝାଙ୍କ ଏହି ଗସ୍ତ ସମୟରେ ପିପିଲି ଏନ୍ଏସିର କାର୍ୟ୍ୟନିର୍ବାହୀ ଅଧିକାରୀ କାଦମ୍ବିନୀ ଜେନା, ପୁରୀ ଡିଆର୍ଡିିଏ କାର୍ୟ୍ୟାଳୟର ଭିତ୍ତିଭୂମି ବିଶେଷଜ୍ଞ ଦେବୀ କଲ୍ୟାଣ ମହାପାତ୍ର, ସାନିଟେସନ ବିଶେଷଜ୍ଞ ରାଜେନ୍ଦ୍ର ସାହୁ, ପିପିଲି ପୌର କାର୍ୟ୍ୟାଳୟର ସାନିଟେସନ ଅଧିକାରୀ ଅଶୋକ କୁମାର ଦାଶ, ମାଇକ୍ରୋ କମ୍ପୋଷ୍ଟ କେନ୍ଦ୍ରର ନୋଡାଲ ଅଫିସର କାଳୀପ୍ରସାଦ ମିଶ୍ର, ସାନିଟେସନ ସୁପରଭାଇଜର ବିଜୟ କୁମାର କୋଦାମସିଂ, ମହେନ୍ଦ୍ର ବେହେରା ପ୍ରମୁଖ ଉପସ୍ଥିତ ଥିଲେ।



