ପିପିଲି ଉପନିର୍ବାଚନ: ଆଜି ଠାରୁ ଜମିବ ପ୍ରଚାର, ନେତା ଏବେ ଗାଁ ମୁହାଁ 

ପିପିଲି:ପୂର୍ବତନ ମନ୍ତ୍ରୀ ତଥା  ଦିବଂଗତ ବିଧାୟକ ପ୍ରଦୀପ ମହାରଥୀଙ୍କ ପରଲୋକ ପରେ ଖାଲି ପଡିଥିବା ପିପିଲି ବିଧାନସଭା ଆସନରେ ଆସନ୍ତା ୩୦ ତାରିଖରେ ଉପନିର୍ବାଚନ ଅନୁଷ୍ଠିତ ହେବ । ଅକ୍ଟୋବର ୩ ତାରିଖରେ ଭୋଟ ଗଣତି କରାଯିବାକୁ ଥିବା ବେଳେ ଆସନ୍ତା କାଲି ୨୦ ତାରିଖରୁ ଭୋଟ୍‍ପ୍ରଚାର ଆରମ୍ଭ ହୋଇ ମତଦାନ ସମାପ୍ତିର ୭୨ଘଣ୍ଟା ପୂର୍ବରୁ ଅର୍ଥାତ ୨୭ ତାରିଖରେ ଭୋଟ୍‍ ପ୍ରଚାର ଶେଷ ହେବ । ମାତ୍ର ୮ଦିନ ପାଇଁ ଭୋଟ୍‍ ପ୍ରଚାର ନିମନ୍ତେ ପ୍ରାର୍ଥୀମାନଙ୍କୁ ଅନୁମତି ପ୍ରଦାନ କରାଯାଇଥିବା ବେଳେ ଏବେ ଠାରୁ ପିପିଲି-ଡେଲାଙ୍ଗ ନିର୍ବାଚନମଣ୍ଡଳୀରେ ରାଜନୈତିକ ଉଷ୍କତା ବୃଦ୍ଧି ପାଇବାରେ ଲାଗିଛି । ପିପିଲି ଉପନିର୍ବାଚନକୁ ମଝିରେ ଆଉ ୧୦ଦିନ ବାକି ରହିଥିବା ବେଳେ ଏବେ ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ସାଙ୍ଗଠନିକ ଶକ୍ତି ବୃଦ୍ଧି ପାଇଁ ଝାଳବୁହା ପରିଶ୍ରମ କରାଯାଉଛି । ରାଜ୍ୟର କୋଣ ଅନୁକୋଣରୁ ବିଭିନ୍ନ ରାଜନୈତିକ ଦଳର ନେତା, ନେତ୍ରୀଙ୍କର ସୁଅ ଏବେ ପିପିଲି ମୁହାଁ । ପ୍ରତି ଗାଁ ଗାଁରେ ଏବେ ମାଳ ମାଳ ନେତା । ନିର୍ବାଚନୀ ବୈତରଣୀ ପାର ହେବାପାଇଁ  ଭୋଟରଙ୍କୁ ନିଜ ସପକ୍ଷରେ ଆକୃଷ୍ଟ କରିବା ପାଇଁ ରଣକୌଶଳ ପ୍ରସ୍ତୁତିରେ ଏବେ ସମସ୍ତେ ବ୍ୟସ୍ତ ।

ପିପିଲି ବ୍ଲକ, ଡେଲାଙ୍ଗ ବ୍ଲକ ଓ ପିପିଲି ଏନ୍‍ଏସିକୁ ନେଇ ଗଠିତ ପିପିଲି ବିଧାନସଭା ଆସନରେ ୩୦ ତାରିଖରେ ଉପନିର୍ବାଚନ ହେବ । ଏଥିପାଇଁ ବିଜେଡି, ବିଜେପି ଓ କଂଗ୍ରେସ ଦଳ ପକ୍ଷରୁ ଷ୍ଟାର ପ୍ରଚାରକଙ୍କ ତାଲିକା ଘୋଷଣା ସରିଛି । ନିର୍ବାଚନୀ ମୈଦାନରେ ଏବେ ମାଳ ମାଳ ନେତା । ନେତାଙ୍କ ସହ ସେଲ୍‍ଫି ନେବାର ମଜା ଉଠାଉଛନ୍ତି ଯୁବଗୋଷ୍ଠୀ । ବିଜେଡି, ବିଜେପି ଓ କଂଗ୍ରେସ ଦଳର ବହୁ ସଂଖ୍ୟାରେ ନେତା, ମନ୍ତ୍ରୀ ଓ ବିଧାୟକମାନେ ଏବେ ପିପିଲି, ଡେଲାଙ୍ଗରେ ଡେରା ପକାଇବା ଆରମ୍ଭ କରିଛନ୍ତି ।  ତିନି ପ୍ରମୁଖ ଦଳ ପକ୍ଷରୁ ପଞ୍ଚାୟତ, ୱାର୍ଡ ଓ ବୁଥ୍‍ସ୍ତରୀୟ କମିଟି ଗଠନ କରାଯାଇ ନିଜ ନିଜର ସାଙ୍ଗଠନିକ ଶକ୍ତିକୁ ବୃଦ୍ଧି କରାଇବା ପାଇଁ ଜୋରଦାର କସରତ ଚାଲିଛି । ୨୦ ତାରିଖରୁ ଭୋଟ୍‍ ପ୍ରଚାର ମଇଦାନକୁ ଓହ୍ଳାଇବେ ପ୍ରାର୍ଥୀ ଓ ଦଳୀୟ ନେତାମାନେ ।  ଦଳର ସଂଗଠନକୁ ମଜ୍‍ବୁତ୍‍ କରି ଭୋଟ୍‍ ବୃଦ୍ଧି କରାଇବା ପାଇଁ ବିଜେଡିର ସାଂସଦ, ବିଧାୟକ ଓ ମନ୍ତ୍ରୀଙ୍କ ସମେତ ବିଜୁ ଯୁବ ଜନତା ଦଳ, ବିଜୁ ଛାତ୍ର ଜନତା ଦଳ ଓ ବିଜୁ ମହିଳା ଜନତା ଦଳର କର୍ମକର୍ତ୍ତାମାନଙ୍କୁ ବିଭିନ୍ନ ପଞ୍ଚାୟତ, ୱାର୍ଡ ଆଦି ଦାୟିତ୍ୱ ବଣ୍ଟନ କରାଯାଇଛି । ସେହିପରି ବିଜେପି ଓ କଂଗ୍ରେସ ପକ୍ଷରୁ ମଧ୍ୟ ରାଜ୍ୟସ୍ତରୀୟ ବରିଷ୍ଠ ନେତା, ନେତ୍ରୀ, ବିଧାୟକ ଓ ଦଳର କର୍ମକର୍ତ୍ତାମାନଙ୍କୁ ବିଭିନ୍ନ ପଞ୍ଚାୟତର ଦାୟିତ୍ୱ ବଣ୍ଟନ କରାଯାଇଥିବା ସୂଚନା ମିଳିଛି ।

ଗତ ୨୦୧୯ ନିର୍ବାଚନ ଭଳି ଏହି ଉପନିର୍ବାଚନରେ ମଧ୍ୟ ବିଜେଡି ଓ ବିଜେପି ମଧ୍ୟରେ କଡା ଟକ୍କର ହେବା ଏକପ୍ରକାର ନିଶ୍ଚିତ । ବିଜେଡିର ଗଡ କୁହାଯାଉଥିବା ଏହି ଆସନରେ ରୁଦ୍ରପ୍ରତାପଙ୍କୁ ବିପୁଳ ଭୋଟ୍‍ ବ୍ୟବଧାନରେ ବିଜୟୀ କରାଇବା ପାଇଁ ଦଳ ଉଦ୍ୟମ କରୁଛି । ତେବେ ବାଲେଶ୍ୱର ପରାଜୟର ପ୍ରତିଶୋଧ ନେବା ସହ ବିଜେଡି ଗଡକୁ ଦଖଲ କରିବାକୁ ବିଜେପି ଜୋରଦାର ଉଦ୍ୟମ ଚଳାଇଛି । ଗତ ନିର୍ବାଚନରେ ଦଳର ଶୋଚନୀୟ ପରାଜୟକୁ ଆଦୌ ଭୁଲି ପାରିନଥିବା କଂଗ୍ରେସ ଦଳ ଏଥର ଅସନ୍ତୁଷ୍ଟ କର୍ମୀଙ୍କୁ ଏକାଠି କରି ବିଜୟୀ ହେବା ଲକ୍ଷ୍ୟରେ ଝାଳବୁହା ପରିଶ୍ରମ ଚଳାଇଛି ।

 

ସଂପୂର୍ଣ୍ଣ କୋଭିଡ୍‍ କଟକଣା ମଧ୍ୟରେ ଏହି ଉପନିର୍ବାଚନ ଅନୁଷ୍ଠିତ ହେବ । ଏଠାରେ ସ୍ୱଚ୍ଛ, ଅବାଧ ଓ ନିରପେକ୍ଷ ମତଦାନ ପାଇଁ ସଂପୂର୍ଣ୍ଣ ପ୍ରସ୍ତୁତ ହୋଇଛି ଜିଲା ପ୍ରଶାସନ । ଭୋଟ୍‍ ଗ୍ରହଣ ସମୟରେ କୋଭିଡ୍‍ ଗାଇଡ୍‍ ଲାଇନ୍‍କୁ ସଠିକ୍‍ ଭାବେ ପାଳନ ଉପରେ ଗୁରୁତ୍ୱ ଦିଆଯିବ । ଭୋଟ୍‍ପ୍ରଚାର ସମୟରେ ରୋଡ୍‍-ଶୋ,  ଗାଡି, ବାଇକ୍‍ ଓ ସାଇକେଲ ଶୋଭାଯାତ୍ରାକୁ ନିଷେଧ କରାଯାଇଛି । ପଥପ୍ରାନ୍ତ ସଭାରେ ସର୍ବାଧିକ ୫୦ଜଣଙ୍କୁ ଅନୁମତି ଥିବା ବେଳେ ଘରକୁ ଘର ବୁଲି ଭୋଟ୍‍ ପ୍ରଚାର ବେଳେ ସର୍ବାଧିକ ୫ଜଣ ରହିପାରିବେ । ଖୋଲା ସ୍ଥାନରେ ତାରକା ପ୍ରଚାରକଙ୍କ ସଭାରେ ସର୍ବାଧିକ ୧ ହଜାର କିମ୍ବା ଉକ୍ତ ସ୍ଥାନର କ୍ଷମତା ଅନୁଯାଇ ୫୦ ପ୍ରତିଶତ ଲୋକଙ୍କୁ ଅନୁମତି ଥିବା ବେଳେ ଓ ଇନ୍‍ଡୋର ପ୍ରଚାର ସଭାରେ ସର୍ବାଧିକ ୨ଶହ ଲୋକ କିମ୍ବା ବସିବା କ୍ଷମତାର ୩୦ ପ୍ରତିଶତ ଲୋକ ସାମିଲ ହୋଇପାରିବେ । ଆଚରଣ ବିଧି ଉଲଂଘନ ଅଭିଯୋଗର ତଦନ୍ତ ଓ ତ୍ୱରିତ କାର୍ଯ୍ୟାନୁଷ୍ଠାନ ପାଇଁ ସ୍ୱତନ୍ତ୍ର ଦଳ ଗଠନ କରାଯାଇଛି ।

ପିପିଲି ଉପନିର୍ବାଚନରେ ମୋଟ୍‍ ୧୦ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦିତା କରୁଥିବା ବେଳେ ବିଜେଡିରୁ ରୁଦ୍ରପ୍ରତାପ ମହାରଥୀ, ବିଜେପିରୁ ଆଶ୍ରୀତ ପଟ୍ଟନାୟକ, କଂଗ୍ରେସରୁ ବିଶ୍ୱକେଶନ ହରିଚନ୍ଦନ ମହାପାତ୍ର, ସିପିଆଇ(ଏମ୍‍ଏଲ୍‍)ରୁ ଅଶୋକ କୁମାର ପ୍ରଧାନ,  ଅଖିଳ ଭାରତ ହିନ୍ଦୁ ମହାସଭା ରୁ ଜୟପ୍ରକାଶ ସେଠୀ, କଳିଙ୍ଗ ସେନା ରୁ ପିଙ୍କଲିନ୍‍ ମହାନ୍ତି, ରିପବ୍ଲିକାନ ପାର୍ଟି ଅଫ୍‍ ଇଣ୍ଡିଆ ରୁ ମହମ୍ମଦ ଇମ୍ମାମ୍‍ଉଦ୍ଦିନ ଓ ସ୍ୱାଧିନ ପ୍ରାର୍ଥୀଭାବେ ନଗେନ୍ଦ୍ର ନାଥ ମିଶ୍ର, ସୁଲୋଚନା ସାହୁ ଓ ସ୍ୱପ୍ନେଶ୍ୱର ନାୟକ ପ୍ରତିଦ୍ୱନ୍ଦିତା କରୁଛନ୍ତି ।

ପିପିଲି ଏନ୍‍ଏସିର ୧୬ଟି ୱାର୍ଡ, ପିପିଲି ବ୍ଲକର ୨୫ ପଞ୍ଚାୟତ ଓ ଡେଲାଙ୍ଗ ବ୍ଲକ୍‍ର ୨୧ ପଞ୍ଚାୟତକୁ ନେଇ ଗଠିତ ଏହି ନିର୍ବାଚନମଣ୍ଡଳୀରେ ମୋଟ୍‍ ୨୭୩ଟି ବୁଥ୍‍ ରହିଥିବା ବେଳେ କୋଭିଡ୍‍ ପାଇଁ ଅଧିକ ୭୫ଟି ଅତିରିକ୍ତ ବୁଥ୍‍ କରାଯାଇଛି । ପିପିଲି ବ୍ଲକ ଓ ଏନ୍‍ଏସିରେ ୧୫୪ଟି ବୁଥ୍‍ ରହିଥିବା ବେଳେ ଅଧିକ ୪୫ଟି ଅତିରିକ୍ତ ବୁଥ୍‍ କରାଯାଇଛି । ସେହିପରି ଡେଲାଙ୍ଗ ବ୍ଲକରେ ୧୧୯ଟି ବୁଥ୍‍ ରହିଥିବା ବେଳେ ଅଧିକ ୩୦ଟି ଅତିରିକ୍ତ ବୁଥ୍‍ କରାଯାଇଛି । ଏହି ଉପନିର୍ବାଚନରେ ୧ଲକ୍ଷ ୧୯ହଜାର ୨୦୬ଜଣ ପୁରୁଷ ଭୋଟର, ୧ଲକ୍ଷ ୧୦ହଜାର ୭୯୦ଜଣ ମହିଳା ଭୋଟର ଓ ୨ଜଣ ଟି.ଜି ଭୋଟରଙ୍କୁ ମିଶାଇ ସର୍ବମୋଟ୍‍ ୨ଲକ୍ଷ ୨୯ହଜାର ୯୯୮ଜଣ ଭୋଟର ୩୪୮ଟି ଭୋଟ ଗ୍ରହଣ କେନ୍ଦ୍ରରେ ମତଦାନ କରିବେ । ବରିଷ୍ଠ ନାଗରିକ ଓ ଭିନ୍ନକ୍ଷମ ଭୋଟରଙ୍କ ପାଇଁ ସ୍ୱତନ୍ତ୍ର ମତଦାନର ବ୍ୟବସ୍ଥା କରାଯାଇଛି । ୧୭୫ଟି ମତଦାନ କେନ୍ଦ୍ରରେ ୱେବ୍‍କାଷ୍ଟିଂ ପାଇଁ ବ୍ୟବସ୍ଥା କରାଯାଇଥିବା ବେଳେ ମତଦାନ ତଦାରଖ ନିମନ୍ତେ ୨୩ ଅଣୁ ପର୍ଯ୍ୟବେକ୍ଷକ (ମାଇକ୍ରୋ ଅବ୍‍ଜର୍ଭର) ନିଯୁକ୍ତ କରାଯାଇଛି । ଏହି ଉପନିର୍ବାଚନରେ ୧୫ଟି ଆଦର୍ଶ ମତଦାନ କେନ୍ଦ୍ର ଖୋଲାଯିବା ସହ ଦିବ୍ୟାଙ୍ଗ ମତଦାତାଙ୍କ ପାଇଁ ୩୪୮ ହୁଇଲ ଚେୟାର ଓ ୧୦୨ଟି ଗାଡି ବ୍ୟବସ୍ଥା କରାଯାଇଛି ।

ଗତ ୪ ତାରିଖରେ ବିଜ୍ଞପ୍ତି ପ୍ରକାଶ ପାଇବା ପରଠାରୁ ନିର୍ବାଚନ ପ୍ରକ୍ରିୟା ଶେଷ ହେବା ପର୍ଯ୍ୟନ୍ତ ସମଗ୍ର ପୁରୀ ଜିଲାରେ ଆଦର୍ଶ ଆଚରଣ ବିଧି ଲାଗୁ କରାଯାଇଛି । ଆସନ୍ତା ୩୦ ତାରିଖରେ ଭୋଟ୍‍ ଗ୍ରହଣ ହୋଇ ଅକ୍ଟୋବର ୩ ତାରିଖରେ ଭୋଟ୍‍ ଗଣତି ଓ ଫଳ ପ୍ରକାଶ ହେବ । ୫ ତାରିଖରେ ନିର୍ବାଚନ ପ୍ରକ୍ରିୟା ଶେଷ ହେବାକୁ ଥିବା ବେଳେ ମତଦାନ ସମାପ୍ତିର ୭୨ଘଣ୍ଟା ପୂର୍ବରୁ ଅର୍ଥାତ୍‍ ୨୭ ତାରିଖ ସଂନ୍ଧ୍ୟା ୬ଟାରୁ ପ୍ରଚାର ଉପରେ ନିଷେଧାଦେଶ ଜାରି କରାଯାଇଛି ।

Comments are closed.