ଭୁବନେଶ୍ବର : ପୁଣି ଥରେ ପୂର୍ଣ୍ଣ କାର୍ଯ୍ୟକ୍ଷମ ହେବ ‘ପିଙ୍କ୍ ଅଟୋ’ ସେବା। ସ୍ମାର୍ଟସିଟିରେ ମହିଳା ଏବଂ ଯୁବତୀ ସନ୍ଧ୍ୟା ସମୟରେ ସୁରକ୍ଷିତ ଯାତ୍ରା ଲାଗି ‘ପିଙ୍କ୍ ଅଟୋ’ ସେବାକୁ ପୁନଃ କାର୍ଯ୍ୟକ୍ଷମ କରିବା ପାଇଁ ପରିବହନ ବିଭାଗ ପକ୍ଷରୁ କମିସନରେଟ ପୁଲିସକୁ ଚିଠି ଲେଖାଯାଇଛି।
ମହିଳା ଯାତ୍ରୀଙ୍କ ସୁରକ୍ଷିତ ଯାତ୍ରା ପାଇଁ ରାଜଧାନୀର ପ୍ରମୁଖ ସ୍ଥାନରେ ‘ପିଙ୍କ୍ ଅଟୋ’ ଅଭିଯାନର ଶୁଭାରମ୍ଭ ହୋଇଥିଲା। ମହିଳା ଯାତ୍ରୀ କିଭଳି ସୁରକ୍ଷିତ ଗନ୍ତବ୍ୟସ୍ଥଳରେ ପହଞ୍ଚି ପାରିବେ ତାହା ଏହି ଅଭିଯାନର ଲକ୍ଷ୍ୟ ଥିଲା। ମହିଳାମାନେ ଯାତ୍ରା ସମୟରେ ସମ୍ମୁଖୀନ ହେଉଥିବା ଚୋରି ଓ ଅସଦାଚରଣ ଆଦି ସମସ୍ୟାର ସମାଧାନ ସହ ମହିଳା ଯାତ୍ରୀମାନେ କିଭଳି ସୁରକ୍ଷିତ ଯାତ୍ରା କରିପାରିବେ ତା’ ଉପରେ ‘ପିଙ୍କ ଅଟୋ’ କାମ କରିବ।
ସୂଚନାଯୋଗ୍ୟ, ୨୦୧୪ ମସିହା ଜୁନ୍ ୧୪ରେ ଏହି ଅଟୋ ବ୍ୟବସ୍ଥାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦ୍ଘାଟନ କରିଥିେଲ। ବରମୁଣ୍ଡା ବସ୍ଷ୍ଟାଣ୍ଡ ଏବଂ ମାଷ୍ଟରକ୍ୟାଣ୍ଟିନ ରେଳଷ୍ଟେସନ ନିକଟରେ ପିଙ୍କ୍ ଅଟୋର ଟିକଟ କାଉଣ୍ଟର ଖୋଲାଯାଇଥିଲା। ଉଦ୍ଘାଟନର କିଛି ବର୍ଷ ଠିକ୍ଠାକ୍ ଭାବେ ଚାଲିଥିଲା। କିଛି ବର୍ଷ ହେଲା ଏହି ଅଟୋ ସେବା ବନ୍ଦ ହୋଇଯିବା ପରେ ଖୋଲା ଯାଇଯିବା ସ୍ବତନ୍ତ୍ର ଟିକଟ କାଉଣ୍ଟର ଜରାଜୀର୍ଣ୍ଣ ହୋଇ ପଡ଼ିରହିଛି। ଭୁବନେଶ୍ବର ଅଟୋ ମହାସଂଘ ଏବଂ କିଛି ମହିଳା ସଙ୍ଗଠନ ପକ୍ଷରୁ ମହିଳାଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଏହି ଯୋଜନାକୁ ପୁନଃ କାର୍ଯ୍ୟକ୍ଷମ କରିବା ପାଇଁ ଦାବି ହୋଇଥିଲା।
ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ରଙ୍କ ନିର୍ଦେଶକ୍ରମେ, ପରିବହନ ବିଭାଗ ଶାସନ ସଚିବ ମଧୁସୂଦନ ପାଢ଼ୀ ପିଙ୍କ୍ ଅଟୋ ସେବା ପୁନଃ କାର୍ଯ୍ୟକ୍ଷମ ପାଇଁ ପୁଲିସ କମିସନର ସୌମେନ୍ଦ୍ର ପ୍ରିୟଦର୍ଶୀଙ୍କୁ ଏକ ଚିଠି ଲେଖିଛନ୍ତି। ଏହି ଅଟୋ ସେବାକୁ କମିସନରେଟ ପୁଲିସର ସକାରାତ୍ମକ ଚିନ୍ତାଧାରା ବୋଲି କହିବା ସହ ଏହାକୁ ପୁନଃ କାର୍ଯ୍ୟକାରୀ କରିବା ପାଇଁ ପ୍ରକ୍ରିୟା ଆରମ୍ଭ କରାଯାଇଛି ବୋଲି ପୁଲିସ କମିସନର କହିଛନ୍ତିି।
ପୁନଃ କାର୍ଯ୍ୟକ୍ଷମ ହେବ ‘ପିଙ୍କ୍ ଅଟୋ’ : ଉପକୃତ ହେବେ ମହିଳା ଯାତ୍ରୀ
Popular Categories



