ମଦ ବିକ୍ରେତାଙ୍କ ପାଇଁ ମହିଳା ସଂଘର ନିଷ୍ପତ୍ତି, ମିଳିବ ଅର୍ଥ ଓ ମାଡ଼ ଦଣ୍ଡ

ଫୁଲବାଣୀ,କ.ନୂଆଗାଁ: କନ୍ଧମାଳ ଅବକାରି ବିଭାଗର ଆନ୍ତରିକା ଅଭାବ ସହିତ କର୍ମଚାରୀ କମ ଯୋଗୁଁ ଜିଲାର ଗାଁ ଠାରୁ ଆରମ୍ଭ କରି ସହର ପର୍ଯ୍ୟନ୍ତ ଚୋରି ଦେଶୀ ଓ ବିଦେଶୀ ମଦ କାରବାର ବୃଦ୍ଧି ପାଇଥିବା ବେଳେ ଏହାକୁ ସମଗ୍ର ଜିଲାରେ ଚିନ୍ତାର କାରଣ ହୋଇଛି। ବିଶେଷ କରି ଅବକାରି ବିଭାଗ ଚୋରା ଗଂଜେଇ ଚାଲାଣକୁ ରୋକିବାରେ ଯେଭଳି ଭାବେ ତତ୍ପର ଦେଖାଉଛି ସେହିଭଳି ଭାବେ ଚୋରା ମଦ କାରବାର ରୋକିବାରେ ସେଭଳି କିଛି ଦୃଷ୍ଟି ଦେଉନଥିବା ଯୋଗୁଁ ଦିନକୁ ଦିନ ଜିଲାରେ ଏହି ଚୋରା ମଦ କାରବାର ବୃଦ୍ଧି ପାଉଥିବା ବେଳେ ଏବେ ପୁଣିଥରେ ଜିଲାର ବିଭିନ୍ନ ଅଞ୍ଚଳରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠିର କର୍ମକର୍ତ୍ତା ଓ ସଦସ୍ୟମାନେ ଚୋରା ମଦକାରବାରକୁ ରୋକିବା ପାଇଁ ମୁଣ୍ଡ ଟେକିଛନ୍ତି। ବିଭିନ୍ନ ସ୍ଥାନରେ ଏବେ ମହିଳା ସ୍ୱୟଂ ସହାୟକ ଗୋଷ୍ଠି ପକ୍ଷରୁ ମଦମୁକ୍ତ ଅଭିଯାନ ଆରମ୍ଭ ପରିପ୍ରେକ୍ଷୀରେ ଆଜି କନ୍ଧମାଳ ଜିଲା କ.ନୂଆଗାଁ ବ୍ଲକ ଅନ୍ତର୍ଗତ କୁଡ଼ୁତୁଳି ପଂଚାୟତର ମା ପାଟଖଣ୍ଡା ମହିଳା ସଂଘ ପକ୍ଷରୁ ଏନେଇ ଏକ ଅଭିଯାନ ଆରମ୍ଭ ହୋଇଛି। ନିଜ ପଞ୍ଚାୟତରେ ଚୋରା ମଦ କାରବାର ବୃଦ୍ଧି ପାଉଥିବା ଲକ୍ଷ କରି ଆଜି ଏକନେଇ ଏକ ବୈଠକ ଅନୁଷ୍ଠିତ ହୋଇଥିବା ବେଳେ ଏଥିରେ କୁଡ଼ୁତୁଲି ପଂଚାୟତର ସମସ୍ତ ମହିଳା ସ୍ୱୟଂ ସହାୟକ ଗୋଷ୍ଠିର ସଦସ୍ୟା ମାନେ ଉପସ୍ଥିତ ଥିଲେ।

ଏହି ଅବସରରେ ଏକ ସଚେତନତା ଶୋଭାଯାତ୍ରା ଆୟୋଜନ କରାଯିବା ସହିତ ବଦ ବିକ୍ରୟ ସଂପୂର୍ଣ୍ଣଭାବେ ବନ୍ଦ କରିବା ପାଇଁ ଅଞ୍ଚଳବାସୀଙ୍କୁ ପରାମର୍ଶ ଦେଇଥିଲେ। ଯଦି କେହି ମଦ ବିକ୍ରୟ କରନ୍ତି ତାହାହେଲେ ଅର୍ଥ ଦଣ୍ଡରେ ଦଣ୍ଡିତ କରିବା ସହିତ ଆବଶ୍ୟକ ସ୍ଥଳେ ମାଡ଼ ଦଣ୍ଡରେ ଦଣ୍ଡିତ କରିବା ପାଇଁ ନିଷ୍ପତି ନିଆଯାଇଛି। ଅନୁଷ୍ଠିତ ବୈଠକରେ ସ୍ଥାନୀୟ ସରପଂଚ ଶ୍ରୀଚନ୍ଦ୍ର ମଲିକ, ମହିଳା ସଂଘର ଶିବାରାଣୀ ବେହେରାଦଳେଇ, ଗାଁ ମୁଖିଆ ଚାଙ୍ଗୁଆ ପାତ୍ର, ସୁଜିତ୍‍ କୁମାର ବେହେରାଦଳେଇ, ୱାର୍ଡ଼ ସଭ୍ୟ ଗିଦି ଦିଗାଲ ଓ ଅନ୍ୟ ବରିଷ୍ଠ ଗ୍ରାମବାସୀ ମାନେ ଉପସ୍ଥିତ ଥିଲେ। ଗତ କିଛିଦିନ ତଳେ ବାଲିଗୁଡ଼ା ଅଞ୍ଚଳରେ ମଧ୍ୟ ମହିଳା ସ୍ୱୟଂ ସହାୟକ ଗୋଷ୍ଠି ମାନଙ୍କ ପକ୍ଷରୁ ବ୍ୟାପକ ସଂଖ୍ୟରେ ଚୋରା ମଦ ଜବତ କରାଯାଇଥିଲା।

Comments are closed.