ଫୁଲବାଣୀ:ଗୁରୁବାର ରାତ୍ରରୁ ସମଗ୍ର ଫୁଲବାଣୀରେ ପ୍ରବଳ ବର୍ଷା ଯୋଗୁଁ ଲୋକ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ବେଳେ ଏଭଳି ସ୍ଥଳେ ଫୁଲବାଣୀ ସହରରେ ପ୍ରବାହିତ ହେଉଥିବା ପିଲାସାଲୁଙ୍କିନଦୀରେ ମଧ୍ୟ ଜଳସ୍ତର ବେଶ୍ ବୃଦ୍ଧି ପାଇଛି। ଫୁଲବାଣୀରେ ପ୍ରବଳ ବର୍ଷା ହୋଇଥିବା ବେଳେ ପୌର ପରିଷଦର ଅନେକ ୱାର୍ଡ଼ରେ ଘରେ ଘରେ ପାଣି ପଶିଯାଇଥିଲା। ବିଶେଷ କରି ପ୍ରବଳ ବର୍ଷା ଯୋଗୁଁ ପୌର ପରିଷଦର ୨ ଓ ୧୦ ନମ୍ବର ୱାର୍ଡ଼ ଏକ ପ୍ରକାର ସହର ଠାରୁ ବିଛିନ୍ନ ହୋଇ ପଡ଼ିଛି। ଏଭଳି ସ୍ଥଳେ ନଦୀଖଣ୍ଡି ସାହି ସ୍ଥିତ ପିଲାସାଲୁଙ୍କି ଡ୍ୟାମ୍ ଉପରେ ପ୍ରାୟ ୩ ଫୁଟ ଉଚ୍ଚରେ ବର୍ଷାଜଳ ପ୍ରବାହିତ ହେଉଥିବା ଯୋଗୁଁ ଏକାଧିକ ପଞ୍ଚାୟତ ବିଛିନ୍ନ ହୋଇପଡ଼ିଥିଲା। ଆଜି ମଧ୍ୟାହ୍ନରେ ପ୍ରବଳ ଜଳ ସ୍ରୋତରେ ୪ଟି ଜର୍ସିଗାଇ ଉକ୍ତ ପୋଲ ମଧ୍ୟ ଦେଇ ଡ଼ାକପାଲା ଆଡ଼କୁ ଯିବାକୁ ଉଦ୍ୟମ କରୁଥିଲେ। ସେଠାରେ ଉପସ୍ଥିତ ଥିବା ଲୋକଙ୍କ ଚେଷ୍ଟା ଫଳରେ ୪ଟି ଗାଈ ନିଶ୍ଚିତ ଭାସିବାରୁ ବର୍ତ୍ତିଯାଇଥିବା ଦେଖାଯାଇଛି। ସ୍ଥାନୀୟଙ୍କ ଉଦ୍ୟମ ଫଳରେ ସେମାନେ ନଦୀ ବାହାରକୁ ଆସିଥିଲେ।
Popular Categories



