ସ୍ୱେଚ୍ଛାସେବୀ ସଂଗଠନ ଭରସାରେ ସରକାରୀ ଡାକ୍ତରଖାନା, ଗାଁ ଲୋକଙ୍କ ଧମକ ପରେ ଆସୁନାହାନ୍ତି କର୍ମଚାରୀ

ଫୁଲବାଣୀ: କନ୍ଧମାଳ ଜିଲାର ଅଗମ୍ୟ ପଞ୍ଚାୟତରେ ସ୍ବାସ୍ଥ୍ୟ ସେବାର ବିକଳ ଚିତ୍ର ଦେଖିବାକୁ ମିଳିଛି। ଚିକିତ୍ସା ସେବା ଠିକରେ ମିଳୁନଥିବାରୁ ଆନ୍ଦୋଳନକୁ ଓହ୍ଲାଇବାକୁ ପଞ୍ଚାୟତବାସୀ ଚେତାବନୀ ଦେଇଥିବା ବେଳେ ଗ୍ରାମବାସୀଙ୍କ ଧମକଚମକ ଅସହ୍ୟ ହେବାରୁ ଡାକ୍ତର, ଫାର୍ମାସିଷ୍ଟ ଓ ଅନ୍ୟ କର୍ମଚାରୀମାନେ ଡାକ୍ତରଖାନା ପରିତ୍ୟାଗ କରିଛନ୍ତି। ଫଳରେ ମାସେ ହେଲା ବିନା ଡାକ୍ତରରେ ଡାକ୍ତରଖାନାଟି ଜଣେ ସହାୟକଙ୍କ ଦ୍ବାରା ପରିଚାଳିତ ହେଉଛି। ଏହାର ନିଦର୍ଶନ କନ୍ଧମାଳ ଜିଲା ଖଜୁରୀପଡା ବ୍ଲକର ବିଲାବାଡି ସ୍ବାସ୍ଥ୍ୟକେନ୍ଦ୍ରରେ ଦେଖିବାକୁ ମିଳିଛି।

ଜିଲା ଖଜୁରିପଡ଼ା ବ୍ଳକର ବିଲାବାଡି ପଞ୍ଚାୟତ ଏକ ଦୁର୍ଗମ ଓ ଅପହଞ୍ଚ ପଞ୍ଚାୟତ। ୨୦୧୬ ମସିହାରେ ବିଲାବାଡ଼ିରେ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ପ୍ରତିଷ୍ଠା କରାଯାଇଥିଲା। ପ୍ରତିଷ୍ଠା ଦିନଠାରୁ ଏହା ବିଭିନ୍ନ ସମୟରେ ବିଭିନ୍ନ ସ୍ୱେଚ୍ଛାସେବୀ ସଂଗଠନ ଦ୍ୱାରା ପରିଚାଳିତ ହେଉଛି। ଉକ୍ତ ସ୍ୱାସ୍ଥ୍ୟ କେନ୍ଦ୍ର ଉପରେ ବିଲାବାଡ଼ି ସମତେ ମହାପାତ୍ରବସା , ନିକିନିନ୍ଦା, ଗିନାନିନ୍ଦା , କୁଟିବାରି , ଟିକିରାସାହି , କରଡ଼ାବଣି , ବାନ୍ଦାନପାଜୁ ,ବଡ଼ଝଣୀ , ବାନାରାଦେଇ ଗ୍ରାମବାସୀ ନିର୍ଭରଶୀଳ। ହେଲେ ଉକ୍ତ ସ୍ୱାସ୍ଥ୍ୟ କେନ୍ଦ୍ରରେ ଜଣେ ବି ଡାକ୍ତର ନାହଁାନ୍ତି। ଡାକ୍ତରଖାନାରେ ଆମ୍ବୁଲାନ୍ସ ରହିଥିଲେ ହେଁ ଚାଳକ ସେଠାରେ ରହୁନଥିବାରୁ ଅଞ୍ଚଳବାସୀ ଜରୁରୀ ସେବା ପାଇ ପାରୁନାହଁାନ୍ତି। ଫୁଲବାଣୀ ଠାରୁ ପ୍ରାୟ ୪୦ କିଲୋମିଟରରେ ଦୂର ଫୁଲବାଣୀରେ ଆମ୍ବୁଲାନ୍ସ ଚାଳକ ରହୁଥିବାରୁ ପାହାଡ଼ ଚଢି ଲୋକେ ଖବର ଦେବା ପରେ ସେ ବିଲାବାଡିରେ ପହଞ୍ଚନ୍ତି ବୋଲି ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି।

ଗ୍ରାମବାସୀଙ୍କ ଧମକଚମକ ଯୋଗୁ ଗତ ଏକମାସ ହେଲା ଉକ୍ତ ସ୍ୱାସ୍ଥ୍ୟ କେନ୍ଦ୍ରରେ ସ୍ୱେଚ୍ଛାସେବୀ ସଂଗଠନ ପକ୍ଷରୁ ନିୟୋଜିତ ହୋଇଥିବା ଡ଼ାକ୍ତର ଓ କର୍ମଚାରୀ ଓ ଏଏନ୍‍ଏମ୍‍ ସ୍ୱାସ୍ଥ୍ୟକେନ୍ଦ୍ର ଛାଡ଼ି ଚାଲି ଯାଇଛନ୍ତି। ବର୍ତ୍ତମାନ ଜଣେ ସହାୟକଙ୍କ ଦ୍ୱାରା ଉକ୍ତ ସ୍ୱାସ୍ଥ୍ୟ କେନ୍ଦ୍ର ପରିଚାଳିତ। ଆଗାମୀ ଦିନରେ ଏହାକୁ ନେଇ ଆନ୍ଦୋଳନ କରିବାକୁ ଚେତାବନୀ ଦେଇଛନ୍ତି ପଞ୍ଚାୟତବାସୀ।
ଉକ୍ତ ସ୍ୱାସ୍ଥ୍ୟ କେନ୍ଦ୍ର ଦାୟିତ୍ୱରେ ଥିବା ଡାକ୍ତର ଅଭିମନ୍ୟୁ ମହାପାତ୍ରଙ୍କୁ ପଚାରିବାରେ ବିିଭିନ୍ନ ସମୟରେ କେତେକ ଅଜଣା ବ୍ୟକ୍ତି ବିଳମ୍ବିତ ରାତିରେ ଡାକ୍ତରଖାନାରେ ପହଞ୍ଚି ପାଟିତୁଣ୍ଡ କରିବା ସହିତ ରାତିରେ ଘରକୁ ଯାଇ ଚିକିତ୍ସା କରିବାକୁ ବାଧ୍ୟ କରୁଛନ୍ତି। ଘରକୁ ନଗଲେ କର୍ମଚାରୀଙ୍କୁ ମାରିବାକୁ ମଧ୍ୟ ଧମକ ଦେଉଛନ୍ତି। ଲିଖିତ ଭାବେ ଖଜୁରିପଡ଼ା ଥାନା ସମେତ ବିଭାଗୀୟ ଅଧିକାରୀ ଓ ସ୍ୱେଚ୍ଛାସେବୀ ସଂଗଠନର ନିର୍ଦେଶକଙ୍କୁ ଜଣାଇଥିଲେ ମଧ୍ୟ କୌଣସି ପ୍ରକାର ପଦକ୍ଷେପ ଗ୍ରହଣ କରାନଯିବାରୁ ବାଧ୍ୟ ହୋଇ ସେ ଓ ଅନ୍ୟ କର୍ମଚାରୀ ନିଜକୁ ଅସୁରକ୍ଷିତ ମନେ କରି ଡାକ୍ତରଖାନା ଛାଡିଛନ୍ତି ବୋଲି କହିଛନ୍ତି।

ଉକ୍ତ ସ୍ୱାସ୍ଥ୍ୟକେନ୍ଦ୍ର ସରକାରୀ ହୋଇଥିଲେ ମଧ୍ୟ ଏଠାରେ ଆଜି ପର୍ଯ୍ୟନ୍ତ ସରକାରୀସ୍ତରରେ ଡ଼ାକ୍ତର ନିଯୁକ୍ତି ଦିଆନଯାଇ ସ୍ୱେଚ୍ଛାସେବୀ ସଂଗଠନ ଦ୍ୱାରା ଡାକ୍ତର ନିଯୁକ୍ତି କରାଯାଉଛି। ଯଦ୍ବାରା ଡାକ୍ତର ଓ କର୍ମଚାରୀ ଇଛା ହେଲ ଆସିଥାନ୍ତି ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଜିଲା ପ୍ରଶସାନ ପକ୍ଷରୁ ଏହାର ସ୍ଥାୟୀ ସମାଧାନ କରାନଗଲେ ବାଧ୍ୟ ହୋଇ ଅଞ୍ଚଳବାସୀ ରାସ୍ତାକୁ ଓହ୍ଲାଇବେ ବୋଲି ଗ୍ରାମର ଆଦିକନ୍ଦ ମଲିକ, ଯୁଧିଷ୍ଠିର ମଲିକ, ରସାନନ୍ଦ ବାଘ, ସିକର କହଁର, କମଳ ସେଠୀ, ଦୁଃଶାସନ ସେଠୀ, ଜିତେନ୍ଦ୍ର ମଲିକ, ମହଙ୍ଗୁ ମାଝୀ ଚେତାବନୀ ଦେଇଛନ୍ତି। ସମସ୍ୟା ସମ୍ପର୍କରେ ସେ ଅବଗତ ଅଛନ୍ତି, ଏହାର ସମାଧାନ ଆଜି ହିଁ କରାଯାଇଛି ବୋଲି କହିଛନ୍ତି ଜିଲା ମୁଖ୍ୟ ଚିକିତ୍ସାଧିକାରୀ ଡ଼ାକ୍ତର ରାଜଶ୍ରୀ ପଟ୍ଟନାୟକ। ବୁଧବାର ଠାରୁ ଉକ୍ତ ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସା ସେବା ଆରମ୍ଭ ହେବ ବୋଲି ସେ କହିଛନ୍ତି।

Comments are closed.