ଭୁବନେଶ୍ବର: କରୋନା ସଂକ୍ରମଣକୁ ରୋକିବାକୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଆହ୍ବାନ ଦିଆଯାଇଥିବା ଜନତା କର୍ଫ୍ୟୁ ଏବଂ ରାଜ୍ୟ ସରକାରଙ୍କ ପକ୍ଷରୁ ଦିଆଯାଇଥିବା ‘ଲକ୍ ଡାଉନ୍’ ନିର୍ଦ୍ଦେଶ ପରଠାରୁ ଉଭୟ ଦେଶରେ ଏବଂ ରାଜ୍ୟରେ ତୈଳ ବିକ୍ରିରେ ଯଥେଷ୍ଟ ପରିମାଣରେ ହ୍ରାସ ଘଟିଛି। ଏହି ସମୟ ମଧ୍ୟରେ ଓଡ଼ିଶାରେ ଦୈନିକ ଉଭୟ ପେଟ୍ରୋଲ ଏବଂ ଡିଜେଲ ବିକ୍ରିରେ ପ୍ରାୟ ୮୫% ହ୍ରାସ ଘଟିଥିବା ଜଣାଯାଇଛି।
ସାଧାରଣତଃ ରାଜ୍ୟରେ ଦୈନିକ ୨୮୬୦ କିଲୋଲିଟର ପେଟ୍ରୋଲ ବିକ୍ରି ହୋଇଥାଏ। ସେହିଭଳି ଦୈନିକ ୮୯୭୦ ଲିଟର ଡିଜେଲ ବିକ୍ରି କରାଯାଇଥାଏ। ତେବେ ‘ତାଲା ବନ୍ଦ’ ପରଠାରୁ ରାଜ୍ୟରେ ତେଲ ବିକ୍ରି ଯଥେଷ୍ଟ ପରିମାଣରେ ହ୍ରାସ ଘଟିଛି। ଏହି ସମୟରେ ମାତ୍ର ୧୫% ତେଲ ବିକ୍ରି ହେଉଥିବା ସର୍ବଭାରତୀୟ ପେଟ୍ରୋଲିୟମ୍ ଡିଲର୍ସ ସଂଘର ଉପସଭାପତି ସଞ୍ଜୟ ଲାଠ୍ କହିଛନ୍ତି। ବର୍ତ୍ତମାନ ସୁଦ୍ଧା ଅତ୍ୟାବଶ୍ୟକ ସାମଗ୍ରୀ ପରିବହନ କରୁଥିବା ଯାନବାହାନର ଚଳାଚଳ ବହୁତ କମ୍ ରହିଛି। ନିକଟରେ ରାଜ୍ୟ ସରକାର ଏହି ସବୁ ଗାଡିଗୁଡିକ ଚଳାଚଳରେ କୌଣସି ପ୍ରକାର ବ୍ୟାଘାତ ସୃଷ୍ଟି ନ କରିବା ନେଇ ନିର୍ଦେଶନାମା ଜାରି କରିବା ପରେ ଆଶା କରାଯାଉଛି ଖୁବ୍ ଶୀଘ୍ର ରାସ୍ତାରେ ଅଧିକ ଗାଡି ଚାଲିବା ସହ ତେଲ ବିକ୍ରି ବଢିବ। ଅନ୍ୟପକ୍ଷରେ ବର୍ତ୍ତମାନ ବିକ୍ରି ହେଉଥିବା ବହୁମାତ୍ରାରେ ତେଲ ଖଣିଜ ଖନନ କାର୍ୟ୍ୟରେ ବ୍ୟବହୃତ ଗାଡିଗୁଡିକ ଦ୍ବାରା କରାଯାଉଥିବା ସେ କହିଛନ୍ତି।
ଅନ୍ୟ ଏକ ଗୁରୁତ୍ବପୂର୍ଣ୍ଣ ଘଟଣାକ୍ରମେ ପେଟ୍ରୋଲ ପମ୍ପଗୁଡିକୁ ମିଳିବାକୁ ଥିବା ବିଭିନ୍ନ ଅନୁମୋଦନ ସମୟସୀମାକୁ ସରକାର ବୃଦ୍ଧି କରିଛନ୍ତି। ଏହି ପରିପ୍ରେକ୍ଷୀରେ କେନ୍ଦ୍ର ଓଜନ ଓ ମାପ ବିଭାଗର ମହାନିର୍ଦେଶକଙ୍କ ନିର୍ଦେଶ ମୁତାବକ ପେଟ୍ରୋଲ ପମ୍ପଗୁଡିକର ଡିସ୍ପେନ୍ସିଂ ମେସିନ୍ର ଲାଇସେନ୍ସ ନବୀକରଣକୁ ୩ ମାସ ବଢାଇ ଦିଆଯାଇଛି। ସେହିଭଳି ବିସ୍ଫୋରକ ପାଇଁ ପେଟ୍ରୋଲିୟମ ଓ ଏକ୍ସଗ୍ଲୋସିଭ ସେଫ୍ଟି ପ୍ରତିଷ୍ଠାନ (ପେସୋ)ପେଟ୍ରୋଲ ପମ୍ପର ଲାଇସେନ୍ସ ଏବଂ ଅନ୍ୟାନ୍ୟ ଅନୁେମାଦନକୁ ଆଉ ୩ ମାସ ବୃଦ୍ଧି କରିଛି। ଓଡ଼ିଶା ସରକାର ମଧ୍ୟ ପେଟ୍ରୋଲ ପମ୍ପଗୁଡିକର ଲ୍ୟୁବ୍ରିକାଣ୍ଟ ବିକ୍ରି ଲାଇସେନ୍ସ ଅବଧିକୁ ଅଧିକ ୩ ମାସ ସମ୍ପ୍ରସାରିତ କରିଛନ୍ତି। ଏଥିପାଇଁ ଉତ୍କଳ ପେଟ୍ରୋଲିୟମ୍ ଡିଲର ସଂଘର ସାଧାରଣ ସମ୍ପାଦକ ସଞ୍ଜୟ ଲାଠ୍ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ଧନ୍ୟବାଦ ଦେଇଛନ୍ତି।


