www.samajalive.in
Sunday, December 7, 2025
26.1 C
Bhubaneswar

ବାପାଙ୍କୁ ଜେରା, ରହସ୍ୟ ଖୋଲିବ ସିସିଟିଭି

କେନ୍ଦ୍ରାପଡ଼ା/ପଟ୍ଟାମୁଣ୍ଡାଇ: କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ବ୍ଲକ ବଡ଼ପଡ଼ା ପଞ୍ଚାୟତ କାଠିଆପଡ଼ା ଗ୍ରାମର ଛାତ୍ରୀ ଜଳିଯିବା ଘଟଣା ଏବେ ନୂଆ ମୋଡ଼ ନେଉଛି। ଶୁକ୍ରବାର ଏହି ଘଟଣାର ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ଯୁବତୀର ପୁରୁଷ ବନ୍ଧୁଙ୍କୁ ଚେନ୍ନାଇରୁ ପୁଲିସ ଗିରଫ କରିବା ପରେ ଯୁବକର ମା’ ଅଭିଯୋଗ କରିଥିଲେ ଯେ ତାଙ୍କ ପୁଅକୁ ଫସାଇ ଦିଆଯାଇଛି। ଝିଅକୁ ତାଙ୍କ ପରିବାର ମାରିଦେଇ ଅଯଥାରେ ଆମ ମୁଣ୍ଡରେ ଅଠା ବୋଳୁଛନ୍ତି ବୋଲି ଆରୋପ କରିଥିଲେ। ଏପରି ଅଭିଯୋଗକୁ ମଧ୍ୟ ପୁଲିସ ଗୁରୁତର ସହ ନେଇଛି। ପାରିପାର୍ଶ୍ବିକ ସ୍ଥିତିକୁ ଦେଖି ପୁଲିସ ମଧ୍ୟ ମୃତ ଛାତ୍ରୀଙ୍କ ପରିବାର ଲୋକଙ୍କ ଉପରେ ପ୍ରଥମରୁ ସନ୍ଦେହ କରି ଆସୁଛି। ପ୍ରକୃତରେ ଏହା ଆତ୍ମହତ୍ୟା ନା ହତ୍ୟା ସେଥିନେଇ ପୁଲିସର ସନ୍ଦେହ ବଢୁଛି। ଯୁବତୀ ନିଜେ ଆତ୍ମଦାହ କରିଛନ୍ତି ନା’ ତାଙ୍କୁ ପୋଡ଼ି ଦିଆଯାଇଛି ସେଥିନେଇ ତଦନ୍ତକାରୀ ଦଳ ଅଧିକ ଖୋଳତାଡ଼ କରିବା ଆରମ୍ଭ କରିଛି। ଶନିବାର ପୁଲିସ ଛାତ୍ରୀଙ୍କ ବାପାଙ୍କୁ ଥାନାକୁ ଆଣି ଘନଘନ ପଚରାଉଚରା କରିଛି।
ଶୁକ୍ରବାର ଗିରଫ ହୋଇଥିବା ଅଭିଯୁକ୍ତକୁ ପୁଲିସ ଅଜ୍ଞାତ ସ୍ଥାନରେ ରଖି ଜେରା କରୁଛି। ଶନିବାର ପୂର୍ବାହ୍ଣରେ ଆରକ୍ଷୀ ଅଧୀକ୍ଷକ ସିଦ୍ଧାର୍ଥ କଟ୍ଟାରିଆ ପୁଲିସ ବଳ ସହ କାଠିଆପଡ଼ା ଗ୍ରାମସ୍ଥିତ ଛାତ୍ରୀଙ୍କ ଘରେ ପହଞ୍ଚି ପୁନଃ ତଦନ୍ତ କରିଛନ୍ତି। ତାଙ୍କ ଘର ଆଖପାଖ ଅଞ୍ଚଳର ସିସିଟିଭି ଯାଞ୍ଚ କରିଛନ୍ତି। ଛାତ୍ରୀଙ୍କ ମୃତ୍ୟୁରେ କେବଳ ତାଙ୍କ ବାପାଙ୍କ ହାତ ଅଛି ନା ଏଥିରେ ଆଉ କାହାର ସମ୍ପୃକ୍ତି ରହିଛି ତାହା ଜାଣିବା ପାଇଁ ଆରକ୍ଷୀ ଅଧୀକ୍ଷକ ବିଭିନ୍ନ
ଦିଗରୁ ଅନୁସନ୍ଧାନ ଚଳାଇଛନ୍ତି। ଯାଞ୍ଚ ପରେ ଆରକ୍ଷୀ ଅଧୀକ୍ଷକ କହିଛନ୍ତି ଛାତ୍ରୀର ବାପାଙ୍କୁ ଜେରା କରିଛୁ। ଖୁବଶୀଘ୍ର ଏହି ରହସ୍ୟ ଉପରୁ ପରଦା ହଟିବ।
ଅପରାହ୍ଣରେ କେନ୍ଦ୍ରାଞ୍ଚଳ ଆଇଜି ପ୍ରବୀଣ କୁମାର କେନ୍ଦ୍ରାପଡ଼ା ଆରକ୍ଷୀ ଅଧୀକ୍ଷକଙ୍କ କାର୍ଯ୍ୟାଳୟରେ ପହଞ୍ଚି ତାଙ୍କ ସହ ଘଟଣା ବିଷୟରେ ଆଲୋଚନା କରିଛନ୍ତି। ବାସ୍ତବରେ ପୁରୁଷ ବନ୍ଧୁ ବ୍ଲାକମେଲିଂ କରିବାରୁ ଛାତ୍ରୀ ଜଣକ ନିଜ ଦେହରେ କିରୋସିନ ଢାଳି ନିଆଁ ଲଗାଇ ଆତ୍ମହତ୍ୟା କରିଛନ୍ତି ନା ତାଙ୍କୁ କେହି ମାରି ପ୍ରମାଣ ନଷ୍ଟ କରିବାକୁ ଆତ୍ମହତ୍ୟାର ରୂପ ଦିଆଯାଉଛି ସେ ସଂକ୍ରାନ୍ତରେ ଟିକିନିକି ତଥ୍ୟ ଆଇଜି ଆରକ୍ଷୀ ଅଧୀକ୍ଷକଙ୍କ ଠାରୁ ପଚାରି ବୁଝିଛନ୍ତି। ଗତ ବୁଧବାର ଠାରୁ ଅଦ୍ୟାବଧି କେଉଁକେଉଁ ଦିଗକୁ ଆରକ୍ଷୀ ଅଧୀକ୍ଷକ ତଦନ୍ତ ପରିସରଭୁକ୍ତ କରିଛନ୍ତି ସେ ସମସ୍ତ ଘଟଣା ଆଇଜିଙ୍କୁ ଅବଗତ କରାଇଛନ୍ତି। ଆଇଜି ପ୍ରବୀଣ କୁମାର ଏହି ତଥ୍ୟ ଡିଜିଙ୍କୁ ପ୍ରଦାନ କରିବେ ବୋଲି ଜଣେ ପୁଲିସ ଅଧିକାରୀ ସୂଚନା ଦେଇଛନ୍ତି। ତେବେ ତଦନ୍ତ ଶେଷ ହୋଇ ନଥିବାରୁ ଏହା ଉପରେ କିଛି କହିବେ ନାହିଁ ବୋଲି ଆଇଜି ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।

Hot this week

ବାଇକକୁ ଧକ୍କା ଦେଲା ଟ୍ରାକ୍ଟର: ୨ ବନ୍ଧୁ ମୃତ, ଜଣେ ଗୁରୁତର

ବାଣପୁର: ବାଣପୁର ଥାନା ବେଙ୍ଗରାଜପଲ୍ଲୀ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ...

ମହିଳାଙ୍କ ହତ୍ୟାକୁ ନେଇ ଦୁଇ ଗାଁ ମୁହାଁମୁହିଁ

ମାଲକାନଗିରି: ମାଲକାନଗିରି ଜିଲ୍ଲା ପୋଟେରୁ ନଦୀରେ ଡୁଡୁମେଟଲା ନିକଟରୁ ଜଣେ ମହିଳାଙ୍କ...

ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟ ଗିରଫ

ସମାଜଲାଇଭ ଡେସ୍କ: ବଲିଉଡ ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟଙ୍କୁ ଗିରଫ କରିଛି...

ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି: ବିହାରରୁ ଆଉ ଜଣେ ଗିରଫ

ସମାଜଲାଇଭ ଡେସ୍କ: ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି ମାମଲାର ଅନ୍ତଃରାଜ୍ୟ ଲିଙ୍କ୍‌...

ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ: ସାମ୍ନାକୁ ଆସିଲା ନିଆଁ ଲାଗିବା ସମୟର ଦୃଶ୍ୟ

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ସାରା ଦେଶବାସୀଙ୍କୁ ସ୍ତବ୍ଧ...

Related Articles

Popular Categories