ପାଟଣା :ପାଟଣା ନିର୍ବାଚନ ମଣ୍ଡଳୀ ସ୍ତରିୟ ବିଜୁ ଜନତା ଦଳ କର୍ମକର୍ତ୍ତାଙ୍କ ବୈଠକ ସାହାରପଡା ବ୍ଲକ ଉଦୟପୁର ସ୍ଥିତ ବିରଜା ମନ୍ଦିର ସଂଲଗ୍ନ କଲ୍ୟାଣ ମଣ୍ଡପ ଠାରେ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବେ ଜିଲ୍ଲା ପର୍ଯ୍ୟବେକ୍ଷକ ତଥା ବିଜେଡି ରାଜ୍ୟ ସଂଗଠନ ସମ୍ପାଦକ ବିଧାୟକ ପ୍ରଣବ ପ୍ରକାଶ ଦାସ ଯୋଗ ଦେଇ ଦଳିୟ କର୍ମକର୍ତ୍ତାଙ୍କୁ ଗୁରୁ ମନ୍ତ୍ର ଦେବା ସହ ନିର୍ବାଚନ ମଣ୍ଡଳୀର ସମୁଦାୟ ସାତଟି ଜିଲ୍ଲା ପରିଷଦ ଆସନରେ ଯେମିତି ବିଜୁ ଜନତା ଦଳ ନିଶ୍ଚିତ ବିଜୟ ହାସଲ କରିବ ସେ ନେଇ ନିଷ୍ଠାର ସହ କାର୍ଯ୍ୟ କରିବାକୁ ଆହ୍ବାନ ଦେଇଛନ୍ତି । ପାଟଣା ନିର୍ବାଚନ ମଣ୍ଡଳୀର ବିକାଶକୁ ଆହୁରି ତୀବ୍ର କରିବାକୁ ସେ ନିଜେ ଧ୍ୟାନ ଦେଉଥିବା ଶ୍ରୀ ଦାସ ମତ ପ୍ରକାଶ କରିବା ସହ ରାଜ୍ୟ ସରକାରଙ୍କ କଲ୍ୟାଣକାରୀ ଯୋଜନା ଓ ସ୍ବାସ୍ଥ୍ୟ ରକ୍ଷା ପାଇଁ ପ୍ରଚଳିତ ନୂଆ ସ୍ମାର୍ଟକାର୍ଡ ସମ୍ପର୍କରେ ସୂଚନା ଦେଇଥିଲେ । ସେ ଦଳକୁ ସଫଳତା ଆଣିଦେବା ପାଇଁ ମଣ୍ଡଳୀସ୍ତରରେ କର୍ମକର୍ତ୍ତାଙ୍କୁ ପୃଥକ ଭେଟିବେ ବୋଲି ମଧ୍ୟ ସୂଚନା ଦେଇଥିଲେ।
ବୈଠକରେ ସାଂସଦ ଚନ୍ଦ୍ରାଣୀ ମୁର୍ମୁ, ପାଟଣା ବିଧାୟକ ଶ୍ରୀ ଜଗନ୍ନାଥ ନାଏକ ଉପସ୍ଥିତ ଥିବା ବେଳେ ଉପସ୍ଥିତ କର୍ମକର୍ତ୍ତାଙ୍କ ଠାରୁ ବିଧାୟକଙ୍କ ସମ୍ପର୍କରେ ମତାମତ ଶୁଣି ମୁଖ୍ୟ ଅତିଥି ବେଶ ସନ୍ତୁଷ୍ଟ ହେବା ସହ ବିଧାୟକଙ୍କ ଦକ୍ଷତାର ଭୂୟସୀ ପ୍ରଶଂସା କରିଥିଲେ। କାର୍ଯ୍ୟକ୍ରମରେ ସାହାରପଡ଼ା ବ୍ଲକ ବିଜେଡ଼ି ସଭାପତି ଗୋବିନ୍ଦ ମହାନ୍ତ, ପାଟଣା ବ୍ଲକ ବିଜେଡ଼ି ସଭାପତି ମାଧବା ନନ୍ଦ ପୃଷ୍ଟି, ବିଜୁ କୃଷକ ଜନତା ଦଳ ଜିଲ୍ଲା ସଭାପତି ଦୀପକ କୁମାର ରାଜ, ସାହାରପଡା ବ୍ଲକ ଅଧ୍ୟକ୍ଷା ରମ୍ଭାବତି ଦେହୁରୀ ଓ ଉପାଧ୍ୟକ୍ଷା କୀରଣବାଲା ସିଂହ, ଜିଲ୍ଲା ପରିଷଦ ସଦସ୍ୟ କୌଶଲ୍ୟା ନାଏକ ଅତିଥି ଭାବେ ମଞ୍ଚାସିନ ଥିବା ବେଳେ ଦୀପକ ରାଜ ନିର୍ବାଚନ ମଣ୍ଡଳୀ ରେ ସମସ୍ୟା ସମ୍ପର୍କ ରେ ମୁଖ୍ୟ ଅତିଥି ଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ନିର୍ବାଚନ ମଣ୍ଡଳୀର ୫୬ ଟି ପଞ୍ଚାୟତରୁ ଦଳୀୟ କର୍ମକର୍ତ୍ତା ଙ୍କ ସହ ଛାତ୍ର ବିଜୁ ଜନତା ଦଳ, ଯୁବ ବିଜେଡ଼ି ଓ ବିଜୁ ମହିଳା ଜନତା ଦଳର କର୍ମକର୍ତ୍ତାମାନେ ବୈଠକରେ ଉପସ୍ଥିତ ଥିଲେ।



