ପାଟଣା: ଓଡ଼ିଶା ରାଜ୍ୟ ବେସରକାରୀ ଅଧ୍ୟାପକ ଓ କର୍ମଚାରୀ ସଂଘର ଆହ୍ବାନ କ୍ରମେ ଅଗଷ୍ଟ ୧୮ ତାରିଖରୁ ପାଟଣା ବ୍ଲକ ଅନ୍ତର୍ଗତ ଆଞ୍ଚଳିକ ମହାବିଦ୍ୟାଳୟ ପାଟଣାର ୨୦୦୮ ରୁ ୨୦୧୮ ମସିହା ମଧ୍ୟରେ ପରିଚାଳନା କମିଟି ଦ୍ବାରା ନିଯୁକ୍ତି ପାଇଥିବା ସମସ୍ତ ଅଧ୍ୟାପକ ଓ କର୍ମଚାରୀ ପୂର୍ଣ୍ଣ ଅନୁଦାନ ଦାବିରେ ଅନିର୍ଦ୍ଧିଷ୍ଟ କାଳ ପାଇଁ କାର୍ଯ୍ୟବନ୍ଦ ଆନ୍ଦୋଳନ କରି ମହାବିଦ୍ୟାଳୟ ଫାଟକ ସମ୍ମୁଖରେ ଧାରଣାରେ ବସିଛନ୍ତି। ସଂଘର ସଭାପତି ବିଶ୍ବରଂଜନ ଦାସ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଙ୍କୁ ଗତ ୮ତାରିଖ ଦିନ ଏକ ଦାବିପତ୍ର ପ୍ରଦାନ ସହ ତାହାର ନକଲ ଉଚ୍ଚଶିକ୍ଷା ମନ୍ତ୍ରୀ ,ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ଓ ବିଭାଗ ର ସଚିବ ଏବଂ ଉଚ୍ଚଶିକ୍ଷା ନିର୍ଦ୍ଧେଶକ ଙ୍କୁ ପଠାଇବା ସହ ସରକାରଙ୍କ ସହ ବିଭିନ୍ନ ସମୟରେ ଆଲୋଚନା କରିଥିଲେ।
ତେବେ ସରକାର ଅନୁଦାନ ସମ୍ପର୍କରେ କୌଣସି ନିଷ୍ପତି ନେଇ ନଥିବାରୁ ଗତ ୧୬ ରେ ୪ ହଜାରରୁ ଅଧିକ ଅଧ୍ୟାପକ ଓ କର୍ମଚାରୀ ଭୁବନେଶ୍ୱର ଗାନ୍ଧୀ ମାର୍ଗରେ ଆନ୍ଦୋଳନ କରିଥିଲେ। ଏହା ସତ୍ୱେ ମୁଖ୍ୟମନ୍ତ୍ରୀ ଙ୍କ ସହ ଆଲୋଚନା ହୋଇ ପାରିଲା ନାହିଁ। ଅଗଷ୍ଟ ୧୮ ତାରିଖ ରୁ ପୂର୍ବ ଚେତାବନୀ ଅନୁସାରେ ୪୮୮ ଏବଂ ୬୬୨ ବର୍ଗ ର +୨ ଏବଂ +୩ ମହାବିଦ୍ୟାଳୟ ଗୁଡ଼ିକର ସମସ୍ତ ଅଧ୍ୟାପକ ଓ କର୍ମଚାରୀ ସମଗ୍ର ରାଜ୍ୟରେ କାର୍ଯ୍ୟବନ୍ଦଆନ୍ଦୋଳନ କରିଛନ୍ତି। ସରକାର ଯେପର୍ଯ୍ୟନ୍ତ ନୂତନ ଅନୁଦାନ ନୀତି ପାଇଁ କୌଣସି ନୀତିଗତ ନିଷ୍ପତି ନ ନେଇଛନ୍ତି। ସେ ପର୍ଯ୍ୟନ୍ତ ଏହି ଆନ୍ଦୋଳନ ଜାରି ରହିବ ବୋଲି ସମସ୍ତ ଅଧ୍ୟାପକ ଓ କର୍ମଚାରୀ ପ୍ରକାଶ କରିଛନ୍ତି।



