ଆଠଗଡ: ଆଠଗଡ ଅଶୋକନଗର ବାସିନ୍ଦା ଜୋତିର୍ବିତ ତଥା ସମାଜସେବୀ ଭାସ୍କର ଚନ୍ଦ୍ର ମିଶ୍ର(୯୦)ଙ୍କର ସୋମବାର ହୃଦଘାତରେ ପରଲୋକ ହୋଇଯାଇଛି । ମୃତ୍ତିକା ସଂରକ୍ଷଣ ବିଭାଗ ଅଧିକାରୀ ଭାବେ ଅବସର ଗ୍ରହଣ ପରଠାରୁ ସେ ବିଭିନ୍ନ ସାମାଜିକ ଓ ଆଧ୍ୟାତ୍ମିକ କାର୍ଯ୍ୟକ୍ରମରେ ଶେଷ ଜୀବନ ପର୍ଯ୍ୟନ୍ତ ସଂଶ୍ଳିଷ୍ଟ ରହିବା ସହ ସାରସ୍ବତ ସାଧନା କରୁଥିଲେ । ଆଠଗଡ ସାହିତ୍ୟ ସମାଜ ସମେତ ଅନେକ ଅନୁଷ୍ଠାନ ସହିତ ସେ ଓତଃପ୍ରୋତ ଭାବେ ଜଡିତ ଥିଲେ।
ବାଙ୍କୀ କୁସୁନ୍ଦାର ମୂଳବାସିନ୍ଦା ଶ୍ରୀ ମିଶ୍ର ୧୯୭୦ ମସିହାରୁ ଆଠଗଡ ଅଶୋକନଗରରେ ଘର କରି ସ୍ଥାୟୀ ଭାବେ ରହୁଥିଲେ । ସେ ଅନେକ ସଂସ୍କୃତ ଏବଂ ଓଡିଆ କାବ୍ୟ କବିତା ରଚନା କରିଛନ୍ତି। ତାଙ୍କ ବିୟୋଗରେ ଅଶୋକନଗର ତଥା ଆଠଗଡ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଅଶୋକନଗର ବାସଭବନରେ ପହଞ୍ଚି ତାଙ୍କ ଶେଷ ଦର୍ଶନ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ପୁରୀ ସ୍ଵର୍ଗଦ୍ଵାରରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଥିଲା।



