www.samajalive.in
Tuesday, December 9, 2025
17.1 C
Bhubaneswar

ପମ୍ପିଓଙ୍କ ସହ ଜୟଶଙ୍କରଙ୍କ ଆଲୋଚନା ଆଜି

ନୂଆଦିଲ୍ଲୀ : ଆମେରିକା ବୈଦେଶିକ ମନ୍ତ୍ରୀ ମାଇକ ପମ୍ପିଓଙ୍କ ଭାରତ ଆଗମନ ଅବସରରେ ଆତଙ୍କବାଦ, ବାଣିଜ୍ୟ, ଏଚ୍‌-୧ବି ଭିସା, ଇରାନଠାରୁ ତୈଳ କ୍ରୟ ଏବଂ ରୁଷ୍‌ରୁ ଏସ୍‌-୪୦୦ କ୍ଷେପଣାସ୍ତ୍ର ଅଣାଯିବା ସମ୍ପର୍କରେ ଆଲୋଚନା କରାଯିବ। ଭାରତ ପକ୍ଷରୁ ଏହି ଆଲୋଚନାର ନେତୃତ୍ବ ନେବେ ବୈଦେଶିକ ମନ୍ତ୍ରୀ ଏସ୍‌. ଜୟଶଙ୍କର। ପମ୍ପିଓ ତାଙ୍କର ପ୍ରଥମ ଉଚ୍ଚସ୍ତରୀୟ ଭାରତ ଗସ୍ତରେ ଆସି ମଙ୍ଗଳବାର ରାତିରେ ପହଞ୍ଚିଛନ୍ତି, ବୁଧବାର ଉଭୟଙ୍କ ମଧ୍ୟରେ ଆଲୋଚନା ହେବ। ବୈଦେଶିକ ମନ୍ତ୍ରୀ ଭାବେ ଦାୟିତ୍ବ ନେବା ପରେ ଜୟଶଙ୍କରଙ୍କର ଏହା ପ୍ରଥମ ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟକ୍ରମ। ଗସ୍ତ ଅବସରରେ ପମ୍ପିଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହିତ ସାକ୍ଷାତ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି। ଏଥିସହିତ ଦୁଇ ଦେଶର ଶିଳ୍ପପତି ଓ ବ୍ୟବସାୟୀଙ୍କ ସମ୍ମିଳନୀରେ ଯୋଗଦେବେ।
ଜୟଶଙ୍କର ମଙ୍ଗଳବାର ରାଜ୍ୟସଭା ନିର୍ବାଚନ ପାଇଁ ନାମାଙ୍କନ ପତ୍ର ଦାଖଲ ଉଦ୍ଦେଶ୍ୟରେ ଗାନ୍ଧୀନଗରରେ ପହଞ୍ଚିଛନ୍ତି। ସେଠାରେ ସେ ଗଣମାଧ୍ୟମକୁ କହିଛନ୍ତି ଯେ ପମ୍ପିଓଙ୍କ ସହ ଆଲୋଚନାରେ ବିଶେଷ ଭାବେ ବାଣିଜ୍ୟିକ ପ୍ରସଙ୍ଗ ଉପରେ ଭାରତ ଗୁରୁତ୍ବ ଦେବ। ଭାରତ ନିଜର ସ୍ବାର୍ଥ ସମ୍ବଳିତ ପ୍ରସଙ୍ଗ ଉପରେ ସକାରାତ୍ମକ ଦୃଷ୍ଟିଭଙ୍ଗୀରେ ଆଲୋଚନା କରିବ। ସୀମାପାର ଆତଙ୍କବାଦ ଉପରେ ଉଭୟ ରାଷ୍ଟ୍ର ଗୁରୁତ୍ବ ଦେବେ। ଇରାନଠାରୁ ପ୍ରେଟ୍ରୋଲିୟମ ତୈଳ କିଣିବା ଉପରେ ଆମେରିକା ଟକଣା ଜାରି କରିଥିବାବେଳେ ଭାରତର ସ୍ବାର୍ଥ କିପରି ରକ୍ଷା ହୋଇପାରିବ ତା’ଉପରେ ଆଲୋଚନା ହେବ। ବାଣିଜ୍ୟିକ କ୍ଷେତ୍ରରେ ଆମେରିକା ଓ ଭାରତ ବିଭିନ୍ନ ସାମଗ୍ରୀ ଉପରେ ଜାରି କରିଥିବା ‘ଟାରିଫ’ଜନିତ ସମସ୍ୟାର ସମାଧାନ ଉଦ୍ୟମ ହେବ।


ସବୁଠୁ ଗୁରୁତ୍ବପୂର୍ଣ୍ଣ ହେଉଛି ରୁଷିଆଠାରୁ ଏସ୍‌-୪୦୦ କ୍ଷେପଣାସ୍ତ୍ର କିଣାଯିବା ପ୍ରସଙ୍ଗ। ଏହି ପ୍ରସଙ୍ଗରେ ଭାରତ ରୁଷିଆ ସହିତ ନିଜର ସମ୍ପର୍କକୁ ହତାଦର ନ କରି ଆମେରିକାକୁ ବୁଝାଇବାର ଉଦ୍ୟମ କରିବ ବୋଲି ଜୟଶଙ୍କର କହିଛନ୍ତି। ରୁଷିଆ ସହିତ ଭାରତର ପ୍ରତିରକ୍ଷା ସମ୍ପର୍କ ସବୁଠୁ ପୁରୁଣା। ଏହି ପରିପ୍ରେକ୍ଷୀରେ ରୁଷିଆ ସହିତ ଏହି କ୍ଷେପଣାସ୍ତ୍ର କ୍ରୟ ନେଇ ଭାରତ ଚୁକ୍ତିବଦ୍ଧ ହୋଇଥିଲାବେଳେ ଆମେରିକା ଏହାକୁ ବିରୋଧ କରୁଛି। ଭାରତ ଏସ୍‌-୪୦୦ କିଣିଲେ ଏହା ବିରୋଧରେ କଟକଣା ଜାରି କରାଯିବାର ସୂଚନା ଦେଇଛି। ତେବେ ଏହି ଚୁକ୍ତି ଆମେରିକାର କଟକଣା ଆଇନ ବାହାରେ ଏବଂ ଭାରତ ସିଏଏଟିଏସ୍‌ଏ ସର୍ତ୍ତ ପୂରଣ କରୁଥିବାରୁ ଏହା ଉପରେ କଟକଣା ଲାଗୁ ହେବ ନାହିଁ ବୋଲି ବିଶ୍ବାସ ରଖିଛି ବୋଲି ବୈଦେଶିକ ମନ୍ତ୍ରଣାଳୟ ସୂତ୍ରରୁ ପ୍ରକାଶ। ଏହି କ୍ଷେପଣାସ୍ତ୍ର କ୍ରୟ ଦିଗରେ ଭାରତ ଅଗ୍ରସର ହେବ ବୋଲି ଜୟଶଙ୍କର ସୂଚନା ଦେଇଛନ୍ତି।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories