ଅଧିକାଂଶଙ୍କ ଧାରଣା ଯେ ଘିଅ କିମ୍ବା ତେଲ ବ୍ୟବହୃତ ପରଟା ଖାଇଲେ ଶରୀରରେ କୋଲେଷ୍ଟୋରଲ୍ ଓ ମେଦ ବଢ଼ିଥାଏ। ଖାଦ୍ୟବିଶେଷଜ୍ଞ ରୁଜୁତା ଦିୱେକର୍ଙ୍କ ମତରେ ଜଣେ ବ୍ୟକ୍ତି ଦୈନିକ ପରଟା ଖାଇ ମଧ୍ୟ ସୁସ୍ଥ ଜୀବନ ଅତିବାହିତ କରିପାରିବ। ହେଲେ ଖାଦ୍ୟର ପରିମାଣ ଓ ରୀତିମତ କସରତ ମଧ୍ୟ ନିତାନ୍ତ ଜରୁରୀ। ଜଳଖିଆ ହେଉ କିମ୍ବା ରାତ୍ରି ଭୋଜନ, ସେଥିରେ ୪-୫ଟି ପରଟା ଖାଇ କେବଳ ଶୋଇ ଆରାମ କଲେ ଓଜନ ବଢ଼ିବା ସହ ଅନ୍ୟାନ୍ୟ ରୋଗର ଆଶଙ୍କା ବଢ଼ିଥାଏ। ହେଲେ ଜଳଖିଆରେ ଆମେ ଗୋଟିଏ ପରଟା ଖାଇ ଦିନରେ ୧୦-୧୫ ମିନିଟ୍ ଯୋଗ, ପ୍ରାଣାୟାମ, ଅନ୍ୟାନ୍ୟ ଶାରୀରିକ ପରିଶ୍ରମ କଲେ କୌଣସି ଅସୁବିଧା ହେଉନଥିବାର ରୁଜୁତା କହିଛନ୍ତି। ଏଇ ସମାନ ପରାମର୍ଶ ତାଙ୍କ ଠାରୁ ଆମ ସେଲିବ୍ରିଟିମାନେ ଗ୍ରହଣ କରି ଫିଟ୍ ରହିଛନ୍ତି। ସେମାନେ ହେଲେ କରୀନା କପୁର ଖାନ୍, କରିସ୍ମା କପୁର, ଆଲିୟା ଭଟ୍ଟ, ବରୁଣ ଧୱନ୍, ଅନୁପମ ଖେର୍। କରୀନା ଗତ ୧୦ ବର୍ଷ ହେଲା ରୁଜୁତାଙ୍କ ପରାମର୍ଶରେ ଖାଦ୍ୟପାନୀୟ ଗ୍ରହଣ କରିବା ସହ କସରତ କରିଆସୁଛନ୍ତି। ସେ ନିୟମିତ ଘିଅ ଓ ସୋରିଷ ତେଲ ରନ୍ଧା ଖାଦ୍ୟ ଖାଉଥିବାର ସାକ୍ଷାତକାର୍ରେ କହିଛନ୍ତି। ଜଳଖିଆରେ ସେ ଓ ସ୍ବାମୀ ସୈଫ୍ ସପ୍ତାହରେ ୩-୪ଥର ‘ପାଳଙ୍ଗ ପରଟା’ ଖାଇଥାନ୍ତି। ପୋଷକ ତତ୍ତ୍ବ ଭରପୂର ଏଇ ପରଟା ଖାଇଲେ ଶରୀରକୁ ଆବଶ୍ୟକ ପରିମାଣରେ ଶକ୍ତି ମିଳିଥାଏ।
-ପିଲାମାନଙ୍କ ପାଇଁ ଏହା ଏକ ଉତ୍ତମ ଖାଦ୍ୟ। ପେଟ ଭର୍ତ୍ତି ହେବା ସହ ପାଳଙ୍ଗର ତତ୍ତ୍ବ ଶରୀରର ରୋଗପ୍ରତିରୋଧକ ଶକ୍ତି ବୃଦ୍ଧି କରେ।
-କ୍ୟାଲସିୟମ୍, ପୋଟାସିୟମ୍, ଭିଟାମିନ୍ ଇ ଭରପୂର ପାଳଙ୍ଗ ପରଟା ଖାଇବାର ସର୍ବୋତ୍କୃଷ୍ଟ ସମୟ ହେଉଛି ସକାଳବେଳା। କାରଣ ଏଇ ସମୟରେ ଆମ ଶରୀରର ମେଟାବୋଲିଜିମ୍ କ୍ଷମତା ଭଲ ଥାଏ। ଏହା ସହ ଜଳଖିଆରେ ପରଟା ଖାଇବା ପରେ ପୂରା ଦିନ ଆମେ ବିଭିନ୍ନ ପ୍ରକାର କାମ କରିପାରିବା। ହେଲେ ରାତିେର ପରଟା ଖାଇ ଶୋଇଲେ ତାହା କୋଲେଷ୍ଟରଲ୍ ସ୍ତର ବୃଦ୍ଧି କରୁଥିବାର ବିଶେଷଜ୍ଞଙ୍କ ମତ।
– କର୍ମଜୀବୀ ଲୋକଙ୍କ ପାଇଁ ‘ପାଳଙ୍ଗ ପରଟା’ ଏକ ଉତ୍ତମ ଜଳଖିଆ। ପାଳଙ୍ଗରେ ମହଜୁଦ୍ ଥିବା ଭିଟାମିନ୍ ସେମାନଙ୍କୁ ପୂରା ଦିନ ଫୂର୍ତ୍ତି ରଖିବା ସହ କାମ କରିବାକୁ ଶକ୍ତି ମଧ୍ୟ ଯୋଗାଇଥାଏ।
ଜଳଖିଆରେ ଖାଆନ୍ତୁ ପାଳଙ୍ଗ ପରଟା
Popular Categories



