ମାସକରେ ବୁଦ୍ଧି ଶିଖିଗଲା ପାକିସ୍ତାନ; ଏବେ ଭାରତରୁ ମଗାଇବ ଜୀବନ ରକ୍ଷାକାରୀ ଔଷଧ

ନୂଆଦିଲ୍ଲୀ: ଜାମ୍ମୁ-କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ କରାଯିବା ପରେ ପାକିସ୍ତାନ ଭାରତ ସହିତ ସବୁ ବ୍ୟାବସାୟିକ ସମ୍ପର୍କ ଚ୍ଛିନ୍ନ କରିଦେଇଥିଲା। ପାକିସ୍ତାନରେ ଭାରତୀୟ ସାମଗ୍ରୀକୁ ବୟକଟ କରିବାକୁ ଅଭିଯାନ ଚାଲିଲା। ଦୁଇଦେଶ ମଧ୍ୟରେ ଚାଲୁଥିବା ଟ୍ରେନ ଏବଂ ବସ୍‌ ସେବାକୁ ବି ପାକିସ୍ତାନ ବନ୍ଦ କରିଦେଲା। ଭାରତ ପ୍ରତି ଏତେ ଘୃଣାଭାବ ବଢ଼ିଗଲା ଯେ ପାକିସ୍ତାନ ନିଜ ଦେଶରେ ଭାରତୀୟ ଫିଲ୍ମଗୁଡ଼ିକୁ ନିଷେଧ କରିଦେଲା। ଏପରି କି ଭାରତୀୟ କଳାକାରଙ୍କ ବିଜ୍ଞାପନକୁ ହଟାଇ ଦିଆଗଲା। ଉଦ୍ଦେଶ୍ୟ ଥିଲା ଏସବୁ ପଦକ୍ଷେପ ନେଇ ଭାରତକୁ ଅଡୁଆରେ ପକାଇବା। କିନ୍ତୁ ମାସକ ଭିତରେ ନିଜେ ବୁଦ୍ଧି ଶିଖିଯାଇଛି ପାକିସ୍ତାନ। ଏସବୁ କଟକଣା ଦ୍ବାରା ଭାରତ ଉପରେ ତ କୌଣସି ପ୍ରଭାବ ପଡ଼ିଲା ନାହିଁ, ବରଂ ପାକିସ୍ତାନ ଏବେ ତ୍ରାହି ତ୍ରାହି ଡାକିବା ଭଳି ପରିସ୍ଥିତି ସୃଷ୍ଟି ହୋଇଯାଇଛି। ଉପାୟଶୂନ୍ୟ ହୋଇ ବର୍ତ୍ତମାନ ପାକିସ୍ତାନ ଭାରତରୁ ଜୀବନ ରକ୍ଷାକାରୀ ଔଷଧ ମଗାଇବାକୁ ନିଜ ଦେଶର ଔଷଧ କମ୍ପାନୀଗୁଡ଼ିକୁ ଅନୁମତି ଦେଇଛି।

ପାକିସ୍ତାନର ଔଷଧ ଶିଳ୍ପ ଭୁଶୁଡ଼ି ପଡ଼ିବା ଭଳି ଅବସ୍ଥା ସୃଷ୍ଟି ହୋଇଛି। କାରଣ ଦୁଇ ଦେଶ ମଧ୍ୟରେ ବାଣିଜ୍ୟିକ କାରବାର ବନ୍ଦ ହେବା ପରେ ସେଠାକାର ଔଷଧ କମ୍ପାନୀଗୁଡ଼ିକ ଭାରତରୁ ଔଷଧ କିଣିବା ବନ୍ଦ କରିବାକୁ ବାଧ୍ୟ ହୋଇଥିଲେ। କିଛି ଦିନ ମଧ୍ୟରେ ପାକିସ୍ତାନ ହସ୍ପିଟାଲଗୁଡ଼ିକରେ ଜୀବନ ରକ୍ଷାକାରୀ ଔଷଧର ଘୋର ଅଭାବ ପରିଲକ୍ଷିତ ହୋଇଛି। ଔଷଧ ମିଳୁ ନ ଥିବାରୁ ରୋଗୀମାନେ ଜୀବନ ମରଣ ସହ ସଂଗ୍ରାମ କରୁଛନ୍ତି। ଫଳରେ ପାକିସ୍ତାନ ଏବେ ନିଜ ଭୁଲ ଅନୁଭବ କରି ଭାରତରୁ ଔଷଧ ମଗାଇବାକୁ ନିଜ କମ୍ପାନୀଗୁଡ଼ିକୁ ଅନୁମତି ପ୍ରଦାନ କରିଛି। ପାକିସ୍ତାନର ଜିଓ ଟିଭି ରିପୋର୍ଟ ଅନୁସାରେ ସରକାର ସୋମବାର ଭାରତରୁ ଔଷଧ ମଗାଇବାର ଅନୁମତିକୁ ମଞ୍ଜୁରୀ ଦେଇଛି। ପାକିସ୍ତାନର ବାଣିଜ୍ୟ ମନ୍ତ୍ରଣାଳୟ ବୈଧାନିକ ନିୟାମକ ଆଦେଶ ଜାରି କରି ନିଜ ଦେଶର ଔଷଧ ଶିଳ୍ପଗୁଡ଼ିକୁ ଭାରତରୁ ଔଷଧ ଆମଦାନି କରିବାକୁ ଅନୁମତି ଦେଇଛି। ସୂଚନାଯୋଗ୍ୟ, ୨୦୧୯ ଜାନୁୟାରୀରୁ ଜୁଲାଇ ମଧ୍ୟରେ ପାକିସ୍ତାନ ଭାରତୀୟ ଔଷଧ କମ୍ପାନୀଗୁଡ଼ିକଠାରୁ ୧୩୬ କୋଟି ଟଙ୍କାର ଔଷଧ ଆମଦାନି କରିଛନ୍ତି।

Comments are closed.