ଖୋଲାରେ ହାଟ, ଜଗିବାକୁ କେହି ନାହିଁ

ଭୁବନେଶ୍ୱର: କଟକଣା ବାଟ ହୁଡୁଛି ବୋଲି ବିଏମ୍ସି ହାଟଗୁଡ଼ିକୁ ଖୋଲା ସ୍ଥାନକୁ ସ୍ଥାନାନ୍ତର କରିଛି। ଏକ ନମ୍ବର ହାଟ ସମେତ ସହରର ପ୍ରାୟ ସମସ୍ତ ପ୍ରମୁଖ ହାଟ ଖୋଲା ସ୍ଥାନରେ ବସୁଛି। ସାମାଜିକ ଦୂରତା ରଖି ବ୍ୟବସାୟୀ ବସିବେ ବୋଲି ବିଏମ୍ସି କଟକଣା କରିଛି। ଗୋଲେଇରେ ଛିଡ଼ା ହୋଇ ଲୋକେ କିଣାକିଣି କରିବାକୁ ନିର୍ଦେଶ ହୋଇଛି। ସାମାଜିକ ଦୂରତା ରକ୍ଷା ଲକ୍ଷ୍ୟରେ ହାଟ ସ୍ଥାନାନ୍ତର ହୋଇଥିଲେ ମଧ୍ୟ ଅଧିକାଂଶ ସ୍ଥାନରେ ସେପରି କିଛି ଦେଖିବାକୁ ମିଳୁ ନାହିଁ।

ଏକ ନମ୍ବର ସରକାରୀ ଉଚ୍ଚବିଦ୍ୟାଳୟ ପଡ଼ିଆକୁ ଏକ ନମ୍ବର ହାଟ ସ୍ଥାନାନ୍ତର ହୋଇଛି। ଏଠାରେ ବ୍ୟବସାୟୀଙ୍କ ମଧ୍ୟରେ ଏକ ଫୁଟର ଦୂରତା ନାହଁ। ଅପରାହ୍ଣ ୪ଟା ବାଜିଲେ ଆରମ୍ଭ ହେଉଛି ସାଂଘାତିକ ଭିଡ଼। ଜନସମୁଦ୍ର ପାଲଟୁଛି ହାଟ ସ୍ଥଳ। ରାତି ୭ଟା ହେଲେ ଲୋକେ ଠେଲାପେଲା ହୋଇ କିଣାକିଣି କରୁଛନ୍ତି। ଅସମ୍ଭାଳ ଭିଡ଼ ଭିତରେ ରାତି ୯ଟା ପର୍ଯ୍ୟନ୍ତ ହାଟରେ ବ୍ୟବସାୟ ଚାଲୁଛି। ବାହାରେ ଏବଂ ଭିତରେ ଯାନ ରଖିବାକୁ ସ୍ଥାନ ମିଳୁ ନାହିଁ। ତେବେ ଏସବୁ ଜଗିବାକୁ କେହି ନାହିଁ। ବିଏମ୍ସି ପକ୍ଷରୁ ଡାକବାଜି ଯନ୍ତ୍ରରେ ସତର୍କ ସୂଚନା ଦିଆଯାଉ ନାହିଁ କି ପୁଲିସ କର୍ମଚାରୀ ମୁତୟନ ହୋଇ ନାହାନ୍ତି। କେବଳ କିଛି ଲୋକ ଯାନ ରହଣି ଭଡ଼ା ଆଦାୟ କରିବାକୁ ପ୍ରବେଶ ସ୍ଥାନରେ ଛିଡ଼ା ହେଉଛନ୍ତି। ହାଟରେ ଦୈନିକ ଯାଞ୍ଚ ହେଉଥିବା ବିଏମ୍ସି ପକ୍ଷରୁ କୁହାଯାଉ ଥିଲେ ମଧ୍ୟ ଖୋଲା ସ୍ଥାନକୁ ହଟିଥିବା ଏକ ନମ୍ବର ହାଟ ପରିସ୍ଥିତି ଅଣାୟତ୍ତ। ଏପରି ଅବସ୍ଥା ଖୋଲା ସ୍ଥାନକୁ ସ୍ଥାନାନ୍ତର ଅଧିକାଂଶ ହାଟରେ ଦେଖିବାକୁ ମିଳିଛି। ହାଟଗୁଡ଼ିକରେ ନିୟମିତ ଯାଞ୍ଚ କରାଯାଉ ବୋଲି ସାଧାରଣରେ ଦାବି ହୋଇଛି।

Comments are closed.