ନୂଆଦିଲ୍ଲୀ: ଦେଶକୁ ଘାରୁଛି ଓମିକ୍ରନ୍ ଭୟ । ସାରା ଦେଶରେ ବର୍ତ୍ତମାନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଥିବା ବେଳେ, କରୋନାର ନୂତନ ଭାରିଆଣ୍ଟ ଓମିକ୍ରନ ମଧ୍ୟ କାୟା ମେଲାଇବାର ଲାଗିଛି । ଧୀରେଧୀରେ ଦେଶର ୨୬ଟି ରାଜ୍ୟରେ କାୟାବିସ୍ତାର କଲାଣି କରୋନା । ବର୍ତ୍ତମାନ ସମସ୍ତ ରାଜ୍ୟର ଓମିକ୍ରନ୍ ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ମୋଟ୍ ୨ହଜାର ୬୩୦ ଓମିକ୍ରନ୍ ମାମଲା ଚିହ୍ନଟ ହେଲାଣି । ସବୁଠାରୁ ବଡ଼ କଥା ହେଉଛି ମହାରାଷ୍ଟ୍ରରେ ଓମିକ୍ରନ ମାମଲା ସବୁଠୁ ଅଧିକ ଦେଖିବାକୁ ମିଳୁଛି । ମହାରାଷ୍ଟ୍ରରେ ଓମିକ୍ରନ୍ ଆକ୍ରାନ୍ତଙ୍କ ସଂଖ୍ୟା ୭୯୭ ଥିବା ବେଳେ, ଦିଲ୍ଲୀରେ ବି ଓମିକ୍ରନ୍ ଆକ୍ରାନ୍ତଙ୍କ ସଂଖ୍ୟ ୪୬୫ରେ ପହଞ୍ଚିଛି ।
ସେହିପରି ରାଜସ୍ଥାନରେ ୨୩୬, କେରଳରେ ୨୩୪, କର୍ଣ୍ଣାଟକରେ ୨୨୬, ଗୁଜୁରାଟରେ ୨୦୪, ତାମିଲନାଡୁରେ ୧୨୧, ତେଲେଙ୍ଗାନାରେ ୯୪, ହରିୟାଣାରେ ୭୧, ଓଡ଼ିଶାରେ ୬୧, ଉତ୍ତରପ୍ରଦେଶରେ ୩୧, ଆନ୍ଧ୍ରପ୍ରଦେଶରେ ୨୮, ପଶ୍ଚିମବଙ୍ଗରେ ୨୦ଜଣ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ମଧ୍ୟପ୍ରଦେଶରେ ୯, ଉତ୍ତରାଖଣ୍ଡରେ ୮, ଗୋଆରେ ୫, ମେଘାଳୟ ୫, ଜମ୍ମୁକାଶ୍ମୀର ଓ ଚଣ୍ଡିଗଡ଼ରେ ୩ଜଣ ଲେଖାଏଁ ଓମିକ୍ରନ୍ ମାମଲା ଚିହ୍ନଟ ହୋଇଛନ୍ତି । ଆଣ୍ଡାମାନ୍ ନିକୋବର, ପଞ୍ଜାବ, ଆସାମ ଓ ପୁଡୁଚେରୀରେ ୨ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ହିମାଚଳପ୍ରଦେଶ, ଲଦାଖ, ମଣିପୁରରେ ଜଣେ ଲେଖାଏ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି। ଏଥିସହ ଦେଶରେ ଚିହ୍ନଟ ହୋଇଥିବା ୨ହଜାର ୬୩୦ ଓମିକ୍ରନ୍ ମାମଲା ମଧ୍ୟରୁ ୯୯୫ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ।



