ସ୍ବର୍ଣ୍ଣ ଜିତିବି ବୋଲି ଭାବିନଥିଲି : ନୀରଜ

ଟୋକିଓ : ଏହା ବେଶ୍ ଅବିଶ୍ବସନୀୟ ଲାଗୁଛି। ପ୍ରଥମ ଭାରତୀୟ ଭାବେ ଅଲିମ୍ପିକ୍ ଇତିହାସରେ ସ୍ବର୍ଣ୍ଣପଦକ ଜିତିବା ପରେ ଏହା ହେଉଛି ଚମ୍ପିଆନ୍ ଜାଭେଲିନ୍ ଥ୍ରୋଅର ନୀରଜ ଚୋପ୍ରାଙ୍କ ପ୍ରଥମ ପ୍ରତିକ୍ରିୟା। ପୁରୁଷ ଜାଭେଲିନ୍ ଥ୍ରୋ’ ଫାଇନାଲରେେ ଶନିବାର ୨ୟ ପ୍ରୟାସରେ ୮୭.୫୮ ମିଟର ଦୂରକୁ ବର୍ଚ୍ଛା ଫିଙ୍ଗି ଏହି ସ୍ବର୍ଣ୍ଣପଦକ ଜିତିଛନ୍ତି । ଏହା ପରେ ନୀରଜ କହିଛନ୍ତି, ଏହା ମୋର ଏବେ ବି ବିଶ୍ବାସ ହେଉନାହିଁ । ପ୍ରଥମଥର ଭାରତ ଦୌଡ଼କୁଦରେ ସ୍ବର୍ଣ୍ଣପଦକ ଜିତିପାରିଛି । ବହୁତ ଭଲ ଲାଗୁଛି। ଏଠାରେ ଆମେ ଏକମାତ୍ର ସ୍ବର୍ଣ୍ଣପଦକ ଜିତିପାରିଛୁ। ଦୀର୍ଘ ବର୍ଷ ପରେ ଏହା ଭାରତର ପ୍ରଥମ ସ୍ବର୍ଣ୍ଣପଦକ । ପୁଣି ଦୌଡ଼କୁଦରେ ଆମେ ପ୍ରଥମ ସ୍ବର୍ଣ୍ଣପଦକ ଜିତିଛୁ। ତେଣୁ ମୋ ପାଇଁ ଏବଂ ମୋର ଦେଶ ପାଇଁ ଏହା ବହୁତ ଗର୍ବର ବିଷୟ। ଜର୍ମାନୀର ୟୋହାନେସ୍ ଭେଟରଙ୍କ ଉପସ୍ଥିତି ଯୋଗୁଁ ତାଙ୍କ ଉପରେ ଚାପ ଥିଲା କି? ଏହାର ଜବାବରେ ନୀରଜ କହିଛନ୍ତି, ଯୋଗ୍ୟତା ରାଉଣ୍ଡରେ ମୁଁ ତାଙ୍କଠାରୁ ଭଲ ପ୍ରଦର୍ଶନ କରିଥିଲି। ତେଣୁ ଫାଇନାଲରେ ଭଲ ପ୍ରଦର୍ଶନ କରିବାକୁ ମୁଁ ଦୃଢ଼ ଆଶାବାଦୀ ଥିଲି। ତେବେ ମୁଁ କଦାପି ଭାବିନଥିଲି ଯେ ସ୍ବର୍ଣ୍ଣପଦକ ଜିତିପାରିବି ବୋଲି। ମୁଁ ବହୁତ ଖୁସି ।
ସ୍ବର୍ଣ୍ଣିମ ସଫଳତା ପାଇଁ ଦେଶ ଗର୍ବିତ : ରାଷ୍ଟ୍ରପତି, ଉପ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ଓ ସଚିନଙ୍କ ଶୁଭେଚ୍ଛା
ନୂଆଦିଲ୍ଲୀ : ଟୋକିଓ ଅଲିମ୍ପିକ୍ସରେ ସ୍ବର୍ଣ୍ଣ ପଦକ ଜିତି ଇତିହାସ ରଚିଥିବା ଜାଭେଲିନ୍ ଫିଙ୍ଗାଳି ନୀରଜ ଚୋପ୍ରାଙ୍କୁ ଶୁଭେଚ୍ଛାର ଶୁଅ ଛୁଟିଛି। ରାଷ୍ଟ୍ରପତି, ଉପ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ପ୍ରମୁଖ ଶୁଭେଚ୍ଛା ଜଣାଇଛନ୍ତି । ରାଷ୍ଟ୍ରପତି ରାମନାଥ କୋବିନ୍ଦ ନୀରଜଙ୍କୁ ସଫଳତା ନେଇ ଶୁଭେଚ୍ଛା ଜଣାଇବା ସହିତ କହିଛନ୍ତି ଯେ, ତୁମେ ନୂଆ ଇତିହାସ ରଚିଛ । ଦୌଡ଼କୁଦରେ ସ୍ବର୍ଣ୍ଣ ପଦକ ସ୍ବପ୍ନକୁ ପୂରଣ କରି ଆଗାମୀ ପିଢି ପାଇଁ ପ୍ରେରଣା ପାଲଟିଛ ବୋଲି ରାଷ୍ଟ୍ରପତି କହିଛନ୍ତି । ଉପ ରାଷ୍ଟ୍ରପତି ଏମ. ଭେଙ୍କୟା ନାଇଡୁ ଐତିହାସିକ ସଫଳତା ଲାଗି ନୀରଜଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ତୁମ ସଫଳତା କୋଟିକୋଟି ଭାରତୀୟଙ୍କ ମନରେ ଉତ୍ସାହ ଆଣିଛି । ଭବିଷ୍ୟତରେ ଅଧିକ ସଫଳତା ପାଇବ । ଏହା ହିଁ କାମନା ବୋଲି ଉପ ରାଷ୍ଟ୍ରପତି କହିଛନ୍ତି । ସେହିପରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଐତିହାସିକ ସଫଳତା ଲାଗି ନୀରଜଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ନୀରଜ ତୁମେ ଦେଶ ପାଇଁ ନୂଆ ଇତିହାସ ରଚିଛ। ପୂର୍ବରୁ କେହି ହାସଲ କରିପାରିନଥିଲେ। ପ୍ରକୃତରେ ତୁମେ ଯୋଦ୍ଧା ଦୀର୍ଘ ବର୍ଷର ସଫଳତା ପାଇଁ ସାରା ଦେଶ ଗର୍ବିତ। ତୁମେ ଯାହା କରିଛ ତାହା କେବଳ .ଐତିହାସିକ ନୁହେଁ । ଏହା ଆଗାମୀ ପିଢି ପାଇଁ ପ୍ରେରଣାର ଉତ୍ସ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ସେହିପରି କ୍ରିକେଟ କିମ୍ବଦନ୍ତୀ ସଚିନ ତେନ୍ଦୁଲକର ସଫଳତା ଲାଗି ନୀରଜଙ୍କୁ ସାଲ୍ୟୁଟ୍ କରିବା ସହିତ ଶୁଭେଚ୍ଛା ଜଣାଇଛନ୍ତି । ନୀରଜ ଟୋକିଓରେ ତୁମେ ଦୌଡ଼କୁଦର ସ୍ବପ୍ନକୁ ପୂରଣ କରିଛ । ତୁମକୁ ଧନ୍ୟବାଦ ବୋଲି କିମ୍ବଦନ୍ତୀ ଧାବିକା ପି.ଟି ଉଷା କହିଛନ୍ତି । କେନ୍ଦ୍ର କୀଡ଼ାମନ୍ତ୍ରୀ ଅନୁରାଗ ଠାକୁର ଭାରତ ପାଇଁ ଐତିହାସିକ ଦିନ ବୋଲି କହିଛନ୍ତି। ଅନ୍ୟମାନଙ୍କ ମଧ୍ୟରେ କେନ୍ଦ୍ର ଆଇନ ମନ୍ତ୍ରୀ କିରେନ୍ ରିଜିଜୁ କହିଛନ୍ତି ଯେ,ଏହା ଦେଶ ପାଇଁ ସ୍ବର୍ଣ୍ଣିମ ମୂହ୍ବର୍ତ୍ତ । ତୁମକୁ ଶୁଭେଚ୍ଛା ବୋଲି ରିଜିଜୁ କହିଛନ୍ତି। କ୍ରିକେଟର ଶିଖର ଧାୱନ ମଧ୍ୟ ନୀରଜଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।
ନୀରଜଙ୍କ ପାଇଁ ଆନନ୍ଦ ମହିନ୍ଦ୍ରାଙ୍କ କାର୍ ପୁରସ୍କାର ଘୋଷଣା
ମୁମ୍ବଇ : ପ୍ରଥମ ଭାରତୀୟ ଭାବେ ଅଲିମ୍ପିକ୍ ଇତିହାସରେ ସ୍ବର୍ଣ୍ଣପଦକ ଜିତିଥିବା ଜାଭେଲିନ୍ ଥ୍ରୋଅର ନୀରଜ ଚୋପ୍ରାଙ୍କୁ ଏକ ଦାମୀ ଏକ୍ସୟୁଭି୭୦୦ କାର୍ ଉପହାର ଦେବାକୁ ଘୋଷଣା କରିଛନ୍ତି ଦେଶର ବିଶିଷ୍ଟ ଶିଳ୍ପପତି ଆନନ୍ଦ ମହିନ୍ଦ୍ରା। ଏହାସହ ନୀରଜଙ୍କୁ ନାମ ଚଳଚ୍ଚିତ୍ର ଚରିତ ବାହୁବଳୀ ବୋଲି ଆନନ୍ଦ ମହିନ୍ଦ୍ରା କହିଛନ୍ତି। ଅଦ୍ୟାବଧି ମହିନ୍ଦ୍ରା କମ୍ପାନୀର ଏକ୍ସୟୁଭି୭୦୦ କାର୍ ବଜାରକୁ ଆସିନାହିଁ। ଆନନ୍ଦ କହିଛନ୍ତି, ନୀରଜଙ୍କୁ ଏକ୍ସୟୁଭି୭୦୦ କାର୍ ଉପହାର ଦେବା ମୋ ପାଇଁ ଏକ ବଡ଼ ସମ୍ମାନ ହେବ। ତେଣୁ ଏକ୍ସୟୁଭି୭୦୦ର ଏକ କାର୍ ପ୍ରସ୍ତୁତ ରଖିବାକୁ ସେ ତାଙ୍କ ଅଧିକାରୀଙ୍କୁ ନିର୍ଦେଶ ଦେଇଛନ୍ତି ।
୬ କୋଟି ଟଙ୍କା ଓ ନିଯୁକ୍ତି ଦେବାକୁ ହରିୟାଣା ସରକାରଙ୍କ ଘୋଷଣା
ମୁମ୍ବଇ : ପ୍ରଥମ ଭାରତୀୟ ଭାବେ ଅଲିମ୍ପିକ୍ ଇତିହାସରେ ସ୍ବର୍ଣ୍ଣପଦକ ଜିତିଥିବା ଜାଭେଲିନ୍ ଥ୍ରୋଅର ନୀରଜ ଚୋପ୍ରାଙ୍କୁ ୬ କୋଟି ଟଙ୍କା ପୁରସ୍କାର ଓ ଚାକିରି ଦେବା ପାଇଁ ତାଙ୍କ ରାଜ୍ୟ ହରିୟାଣାର ସରକାର ଘୋଷଣା କରିଛନ୍ତି । ଶନିବାର ଏହା ଘୋଷଣା କରିଛନ୍ତି ହରିୟାଣାର ଗୃହମନ୍ତ୍ରୀ ଅନୀଲ ବିଜ୍ । ଭିଜ୍ କହିଛନ୍ତି, ଟୋକିଓ ଅଲିମ୍ପିକ୍ସରେ ନୀରଜ ସ୍ବର୍ଣ୍ଣପଦକ ଜିତି ଇତିହାସ ସୃଷ୍ଟି କରିଛନ୍ତି। ତାଙ୍କ ଯୋଗୁଁ ସାରା ଦେଶବାସୀଙ୍କ ଛାତି ଗର୍ବରେ ଚଉଡ଼ା ହୋଇଯାଇଛି ।
ଅଲିମ୍ପିକ୍ସରେ ସ୍ବର୍ଣ୍ଣ ଜିତିବେ ବୋଲି ୨୦୧୬ରୁ ଜଣାପଡ଼ିଥିଲା : ସଞ୍ଜୟ
କଟକ : ନୀରଜ ଚୋପ୍ରା ଟୋକିଓ ଅଲିମ୍ପିକ୍ସର ପଦାର୍ପଣରେ ସ୍ବର୍ଣ୍ଣ ପଦକ ଜିତି ଇତିହାସ ଚରିଛନ୍ତି। ଟୋକିଓ ଅଲିମ୍ପିକ୍ସରେ ସଫଳତା ପାଇବା ନେଇ ଆଶା ରହିଥିଲା। କିନ୍ତୁ ସ୍ବର୍ଣ୍ଣ ଜିତି ସମସ୍ତଙ୍କୁ ଚକିତ କରିଛନ୍ତି ବୋଲି ଭାରତୀୟ ଜୁନିୟର ଦୌଡ଼କୁଦ ଦଳର ପୂର୍ବତନ ପ୍ରଶିକ୍ଷକ ସଞ୍ଜୟ ଗଡ଼ନାୟକ କହିଛନ୍ତି । କଳିଙ୍ଗ ଷ୍ଟାଡ଼ିୟମରେ ଗତ ଡିସେମ୍ବରରେ ଆୟୋଜିତ ଜାତୀୟ ଜାଭେଲିନ୍ ଥ୍ରୋ ଶିବିରର ମୁଖ୍ୟ ସଂଯୋଜକ ଦାୟିତ୍ବ ତୁଲାଇଥିବା ଶ୍ରୀ ଗଡ଼ନାୟକ କହିଛନ୍ତି ଯେ, ନୀରଜଙ୍କ ନିକଟରେ ଅଲିମ୍ପିକ୍ସ ସ୍ବର୍ଣ୍ଣ ପଦକ ଜିତିବା ନେଇ ୨୦୧୬ରୁ ଜଣାପଡ଼ିଥିଲା। ପୋଲାଣ୍ଡରେ ଆୟୋଜିତ ଜୁନିୟର ବିଶ୍ବ ଦୌଡ଼ୁକୁଦ ଚମ୍ପିଆନସିପ୍ରେ ମୁ ଭାରତୀୟ ଦଳର ପ୍ରଶିକ୍ଷକ ଥିଲି। ନୀରଜ ଉକ୍ତ ପ୍ରତିଯୋଗିତାରେ ସ୍ବର୍ଣ୍ଣ ପଦକ ଜିତିଥିଲେ। ଉକ୍ତ ସଫଳତା ପରେ ନୀରଜ ତୁମେ ନିଶ୍ଚିତ ଦିନେ ନାଁ ଦିନେ ଅଲିମ୍ପିକ୍ସରେ ମଧ୍ୟ ସ୍ବର୍ଣ୍ଣ ପଦକ ଜିତିବେ ବୋଲି କହିଥିଲି। ନୀରଜଙ୍କ ଦକ୍ଷତା ବିଷୟରେ ଏଏଫ୍ଆଇ ଓ ସାଇକୁ ଅବଗତ କରାଇଥିଲି। ଆଜି ସେ ଟୋକିଓରେ ପଦକ ଜିତିବା ପରେ ବହୁତ ଖୁସି ଲାଗୁଛି ବୋଲି ଶ୍ରୀ ଗଡ଼ନାୟକ କହିଛନ୍ତି ।
Comments are closed.