ଭୁବନେଶ୍ୱର: ଭୁଲ ଇଞ୍ଜେକ୍ସନ ଯୋଗୁ ଜଣେ ରୋଗୀଙ୍କ ମୃତ୍ୟୁ ମାମଲାର ତଦନ୍ତ କରିବେ ଜାତୀୟ ମାନବାଧିକାର ଡିଜି (ଇନଭେଷ୍ଟିଗେସନ)। ଓଡିଶା ପୁଲିସ ତଦନ୍ତରେ ଅସନ୍ତୋଷ ପ୍ରକାଶ କରି ଆୟୋଗ ନିଜଆଡୁ ମାମଲାର ତଦନ୍ତ କରିବା ଲାଗି ମାନବାଧିକାର ଡିଜିଙ୍କୁ ଏହି ଦାୟିତ୍ୱ ଦେଇଛନ୍ତି।
ସୂଚନା ଅନୁଯାୟୀ ୨୦୧୮ ଅକ୍ଟୋବର ୨୪ ତାରିଖରେ ଅନୁଗୁଳର ଶିବରାମ ପାତ୍ର ଗଳାରେ କଷ୍ଟ ହେବାରୁ ସେ ସ୍ଥାନୀୟ ଇନଏନଟି ବିଶେଷଜ୍ଞଙ୍କ ନିକଟକୁ ଯାଇଥିଲେ। ଡାକ୍ତରଙ୍କ ଲିଖିତ ଚିଠା ଅନୁସାରେ ଆଶ୍ରମ ଛକ ନିକଟରେ ଥିବା ଏକ ଔଷଧ ଦୋକାନରୁ ଇଞ୍ଜେକ୍ସନ ଓ ଔଷଧ କିଣିଥିଲେ ଏବଂ ସେହିଠାରେ ଇଞ୍ଜେକ୍ସନ ନେଇଥିଲେ। ଅଟୋରେ ଘରକୁ ଫେରୁଥିବା ବେଳେ ବାଟରେ ଶିବରାମଙ୍କ ମୃତ୍ୟୁ ଘଟିଥିଲା। ଭୁଲ ଇଞ୍ଜେକ୍ସନ ଯୋଗୁ ଶିବରାମଙ୍କ ମୃତ୍ୟୁ ଘଟିଥିବା ନେଇ ଅଭିଯୋଗ ହୋଇଥିଲେ ମଧ୍ୟ ପୁଲିସ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ନ ଥିଲା। ଦୋଷୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ ମୃତକଙ୍କ ପରିବାରକୁ ୨୦ଲକ୍ଷ ଟଙ୍କା କ୍ଷତିପୁରଣ ଦେବାକୁ ହ୍ୟୁମାନ ରାଇଟ୍ସ ୱାଚ ପକ୍ଷରୁ ସମ୍ପାଦିକା ସଙ୍ଗୀତା ସ୍ୱାଇଁ ଦାବି କରି ଜାତୀୟ ମାନବାଧିକାର ଆୟୋଗଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଅଭିଯୋଗକୁ ଗ୍ରହଣ କରି ଆୟୋଗ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସଚିବ, ଅନୁଗୁଳ ଏସପିଙ୍କୁ ବାରମ୍ବାର ରିପୋର୍ଟ ତଲବ କରିବା ପରେ ସ୍ୱାସ୍ଥ୍ୟ ବିଭାଗ ସଚିବ ୨୦୧୯ ମେ ୧୨ ତାରିଖରେ ରିପୋର୍ଟ ଦାଖଲ କରିଥିଲେ। ଏଥିସହ ଦିଆଯାଇଥିବା ଭିସେରା ରିପୋର୍ଟ ଉପରେ ସନ୍ଦେହ ପ୍ରକଟ କରି ଆୟୋଗ ଏହାର ପୁନଃ ଯାଞ୍ଚ ପାଇଁ ନିର୍ଦେଶ ଦେଇଛନ୍ତି। ଦୁଇମାସ ମଧ୍ୟରେ ରିପୋର୍ଟ ଦାଖଲ କରିବାକୁ ମାନବାଧିକାର ଆୟୋଗ ଡିଜିଙ୍କୁ ନିର୍ଦେଶ ଦିଆଯାଇଛି।



