ଭୁବନେଶ୍ଵର: ରାଜ୍ୟବ୍ୟାପୀ ବିଭିନ୍ନ ଜଙ୍ଗଲରେ ଲାଗିଥିବା ନିଆଁକୁ ଲିଭାଇବ ଓଡ୍ରାଫ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୋମବାର ଏ ନେଇ ନିର୍ଦେଶ ଦେଇଛନ୍ତି। ଜଙ୍ଗଲ ନିଆଁ ଲିଭା କାର୍ଯ୍ୟରେ ଓଡ୍ରାଫକୁ ନିୟୋଜନ କରିବା ଲାଗି ମୁଖ୍ୟମନ୍ତ୍ରୀ ନିର୍ଦେଶ ଜାରି କରିଛନ୍ତି। ସେହିପରି ଜଙ୍ଗଲ ଓ ପରିବେଶ ବିଭାଗ ପକ୍ଷରୁ ସମସ୍ତ ଡିଏଫଓଙ୍କୁ ଚିଠି କରାଯାଇଛି। ଜଙ୍ଗଲ ନିଆଁ ସମ୍ପର୍କରେ ଡିଏଫଓମାନେ ପ୍ରତିଦିନ ରିପୋର୍ଟ ଦେବାକୁ ବିଭାଗ ପକ୍ଷରୁ କୁହାଯାଇଛି।
ସୂଚନାଯୋଗ୍ୟ, ଜଙ୍ଗଲରେ ନିଆଁ ଲାଗୁଥିବାରୁ ବନ୍ୟଜନ୍ତୁଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି ହୋଇଛି। ଏହାକୁ ନିୟନ୍ତ୍ରଣ କରିବା ଲାଗି ରାଜ୍ୟ ସରକାର ସୋମବାର ଏକ ଟାସ୍କଫୋର୍ସ ମଧ୍ୟ ଗଠନ କରିଛନ୍ତି। ପୂର୍ବତନ ପ୍ରଧାନ ମୁଖ୍ୟ ବନ ସଂରକ୍ଷକ (ପିସିସିଏଫ) ସନ୍ଦୀପ ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଏହି ଟାସ୍କଫୋର୍ସ ଗଠନ କରାଯାଇଛି।
ଟାସ୍କଫୋର୍ସରେ ମୋଟ ୯ ଜଣ ସଦସ୍ୟ ରହିବେ। ସେମାନଙ୍କ ମଧ୍ୟରେ ଡେରାଡୁନ ଏବଂ ହାଇଦ୍ରାବାଦର ୩ ଜଣ ବିଶେଷଜ୍ଞ ମଧ୍ୟ ସାମିଲ ହୋଇଛନ୍ତି। ଜଙ୍ଗଲ ନିଆଁର ସମୀକ୍ଷା କରିବା ସହିତ ତାହାର କାରଣ ଓ ନିରାକରଣ ଦିଗରେ ଟାସ୍କଫୋର୍ସ ପଦକ୍ଷେପ ନେବ।



