ଆଭ୍ୟନ୍ତରୀଣରେ ପାରଦ ଟପିବ ୪୦

ଭୁବନେଶ୍ବର: ପଶ୍ଚିମ ଓଡ଼ିଶାରେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। କ୍ରମାଗତ ଭାବେ କିଛି ସ୍ଥାନରେ ପାରଦ ୪୦ ଡିଗ୍ରୀ ଉପରେ ରହୁଛି; ଉପକୂଳ ଓଡ଼ିଶାରେ ବିଶେଷ ତାତି ଅନୁଭୂତ ହେଉ ନ ଥିଲେ ଗୁଳୁଗୁଳି ହେଉଛି। ଆଜି ସନ୍ଧ୍ୟାରେ କେନ୍ଦୁଝର, ମୟୂରଭଞ୍ଜ, କନ୍ଧମାଳ, ରାୟଗଡା, କୋରାପୁଟ, କଳାହାଣ୍ଡି, ବୌଦ୍ଧ, ଅନୁଗୋଳ, ଦେବଗଡ, ସୁନ୍ଦରଗଡ ଏବଂ ବାଲେଶ୍ୱର ଜିଲାର କିଛି ସ୍ଥାନରେ କାଳବୈଶାଖୀ ପ୍ରଭାବରେ ବିଜୁଳି ଘଡଘଡି ସହ ବର୍ଷା ପବନ ହୋଇଛି।
ଗୁରୁବାର ସର୍ବାଧିକ ୪୧.୫ଡିଗ୍ରୀ ତାପମାତ୍ରା ସହ ବଲାଙ୍ଗୀର ରାଜ୍ୟର ସବୁଠୁ ଉତ୍ତପ୍ତ ସହରରେ ପରିଣତ ହୋଇଛି। ଟିଟିଲାଗଡ ଓ ବୌଦ୍ଧରେ ୪୧ ଡିଗ୍ରୀ ଲେଖାଏଁ ତାପମାତ୍ରା ଥିବାବେଳେ ଝାରସୁଗୁଡା ୪୦.୩, ଭବାନୀପାଟଣା ୪୦, ଭୁବନେଶ୍ବର ୩୬.୨ ଏବଂ କଟକରେ ୩୫.୮ ଡିଗ୍ରୀ ରେକର୍ଡ ହୋଇଛି।

ଗତକାଲିର ଘୂର୍ଣ୍ଣିବଳୟ ଆଜି ଦକ୍ଷିଣ-ପୂର୍ବ ମଧ୍ୟପ୍ରଦେଶ ଏବଂ ଏହାର ପାର୍ଶ୍ବବର୍ତ୍ତୀ ଅଞ୍ଚଳରେ ସମୁଦ୍ର ପତ୍ତନଠାରୁ ୩.୧ କିମି ଉଚ୍ଚରେ ସକ୍ରିୟ ରହିଛି। ଅନ୍ୟ ଏକ ଘୂର୍ଣ୍ଣିବଳୟ ଦକ୍ଷିଣ-ପୂର୍ବ ଝାଡଖଣ୍ଡ ଏବଂ ଏହାର ପାର୍ଶ୍ବବର୍ତ୍ତୀ ଅଞ୍ଚଳରେ ସମୁଦ୍ର ପତ୍ତନରୁ ୧.୫ କିମି ଉଚ୍ଚତାରେ ରହିଛି। ଦୁଇ ଘୂର୍ଣ୍ଣିବଳୟ ପ୍ରଭାବରେ ବାୟୁମଣ୍ଡଳର ଉତ୍ତପ୍ତ ବାୟୁ ଏବଂ ଶୁଷ୍କ ଜଳୀୟ ବାଷ୍ପପୂର୍ଣ୍ଣ ବାୟୁ ସଂସ୍ପର୍ଶରେ ଆସିବା ଦ୍ବାରା ଆସନ୍ତା ୩ ଦିନ ପର୍ଯ୍ୟନ୍ତ ରାଜ୍ୟର କିଛି ଅଞ୍ଚଳରେ ବିଜୁଳି ଘଡଘଡି ସହ ବର୍ଷା ହେବାର ସମ୍ଭାବନା ରହିଛି। ଆସନ୍ତା ୨୪ ଘଣ୍ଟା ମଧ୍ୟରେ ମୟୂରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ ମାଲକାନଗିରି, କୋରାପୁଟ, ରାୟଗଡା, ଗଜପତି, ଗଞ୍ଜାମ ଏବଂ ନବରଙ୍ଗପୁର ଜିଲାର ଗୋଟିଏରୁ ଦୁଇଟି ସ୍ଥାନରେ ବିଜୁଳି ଘଡଘଡି ସହ ଝଡବର୍ଷା ହୋଇପାରେ। ଉପରୋକ୍ତ ଜିଲାଗୁଡିକୁ ପାଣିପାଗ ବିଭାଗ ପକ୍ଷରୁ ହଳଦିଆ ସତର୍କତା ଜାରି କରାଯାଇଛି। ସେହିପରି ବାଲେଶ୍ବର ଏବଂ କନ୍ଧମାଳ ଜିଲାରେ କେତେକ ଅଞ୍ଚଳରେ ବଜ୍ରପାତ ସହ ବର୍ଷା ହେବାର ସମ୍ଭାବନା ରହିଛି।

ଭୁବନେଶ୍ବର ପାଣିପାଗ ବିଜ୍ଞାନ କେନ୍ଦ୍ରର ପୂର୍ବାନୁମାନ ଆଗାମୀ ୫ଦିନ ପର୍ଯ୍ୟନ୍ତ ଦିନ ତାପମାତ୍ରାରେ ବିଶେଷ ପରିବର୍ତ୍ତନ ହେବାର ସମ୍ଭାବନା ନାହିଁ। ୪ରୁ ୫ଦିନ ଯାଏଁ ଆଭ୍ୟନ୍ତରୀଣ ଓଡ଼ିଶାରେ ସର୍ବାଧିକ ତାପମାତ୍ରା ସ୍ବାଭାବିକରୁ ୨ରୁ ୩ ଡିଗ୍ରୀ ପର୍ଯ୍ୟନ୍ତ ଅଧିକ ରହିପାରେ। ଆଭ୍ୟନ୍ତରୀଣ ଜିଲାଗୁଡିକ ମଧ୍ୟରୁ କିଛି ସ୍ଥାନରେ ୪୦ ଡିଗ୍ରୀ କିମ୍ବା ତା’ଠାରୁ ଅଧିକ ତାପମାତ୍ରା ଛୁଇଁବାର ସମ୍ଭାବନା ରହିଛି।

Comments are closed.