ଲଘୁଚାପ ସକ୍ରିୟ, ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷିବ

ଭୁବନେଶ୍ବର: ଉତ୍ତର ପଶ୍ଚିମ ଓ ସଂଲଗ୍ନ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର, ଦକ୍ଷିଣ ଓଡ଼ିଶା ଓ ଉତ୍ତର ଆନ୍ଧ୍ରପ୍ରଦେଶ ଉପକୂଳରେ ଲଘୁଚାପ କ୍ଷେତ୍ର ସକ୍ରିୟ ରହିଛି। ଲଘୁଚାପ ପ୍ରଭାବରେ ଗତ ୨୪ ଘଣ୍ଟା ମଧ୍ୟରେ ଜଗତସିଂହପୁର ଜିଲା ସମେତ ଦକ୍ଷିଣ ଓଡ଼ିଶାର ଅଧିକାଂଶ ସ୍ଥାନରେ ପ୍ରବଳ ବର୍ଷା ହୋଇଛି। ଉତ୍ତର ଓଡ଼ିଶାର ଅନେକ ଅଞ୍ଚଳରେ ମଧ୍ୟମ ଧରଣ ବର୍ଷା ହୋଇଛି। ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଦକ୍ଷିଣ ଓଡ଼ିଶାର ଅନେକ ଅଞ୍ଚଳରେ ଭଲ ବର୍ଷା ହେବ ବୋଲି ପୂର୍ବାନୁମାନ କରିଛି ଭୁବନେଶ୍ବର ଆଞ୍ଚଳିକ ପାଣିପାଗ କେନ୍ଦ୍ର। କୋରାପୁଟ, ମାଲକାନଗିରି, ନବରଙ୍ଗପୁର, ନୂଆପଡା, କଳାହାଣ୍ଡି, କନ୍ଧମାଳ, ଗଜପତି ଓ ରାୟଗଡା ଜିଲାର ଗୋଟିଏରୁ ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହୋଇପାରେ। ଉପରୋକ୍ତ ଜିଲାଗୁଡିକୁ ପାଣିପାଗ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ଜଗତସିଂହପୁର ଜିଲାର ଆଳିପିଙ୍ଗଳରେ ସବୁଠୁ ଅଧିକ ୧୧୪.୪ ମିମି ଓ ବାଲିକୁଦାରେ ୯୮ ମିମି ବର୍ଷା ରେକର୍ଡ କରାଯାଇଛି। ଗଜପତି, ମାଲକାନଗିରି, କୋରାପୁଟ, କେନ୍ଦୁଝର, କଟକ, ସୋନପୁର ଏବଂ ମୟୂରଭଞ୍ଜ ଜିଲାର ବିଭିନ୍ନ ଅଞ୍ଚଳରେ ଭଲ ବର୍ଷା ହୋଇଛି। ଶନିବାର ସକାଳ ସାଢେ ୮ଟାରୁ ଅପରାହ୍ଣ ୫.୩୦ ମିନିଟ ମଧ୍ୟରେ ଭୁବନେଶ୍ବର, ଗୋପାଳପୁର, କଟକ, ବାରିପଦା, ଝାରସୁଗୁଡା ଓ ଦାରିଙ୍ଗବାଡି ଆଦି ଅଞ୍ଚଳରେ ତୁହାକୁ ତୁହା ବର୍ଷା ହୋଇଥିବା ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି।

prayash

ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ ଆକଳନ କରି କହିଛନ୍ତି, ସେପ୍ଟେମ୍ବର ୫ରେ ଉତ୍ତର ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇ ପରବର୍ତ୍ତୀ ୪୮ ଘଣ୍ଟା ମଧ୍ୟରେ ଲଘୁଚାପରେ ପରିଣତ ହେବ। ପ୍ରାଥମିକ ଆକଳନରୁ ଜଣାପଡୁଛି, ବର୍ତ୍ତମାନ ଲଘୁଚାପର ପ୍ରଭାବ ପରି ସମ୍ଭାବ୍ୟ ଲଘୁଚାପ ପ୍ରଭାବ ରହିବ। ଆନ୍ଧ୍ରପ୍ରଦେଶ ଓ ତେଲଙ୍ଗାନାରେ ଭଲ ବର୍ଷା ହେବାକୁ ଥିବାବେଳେ ଓଡ଼ିଶାର ଉପକୂଳ ଓ ଦକ୍ଷିଣରେ ଅଧିକ ବର୍ଷା ହୋଇପାରେ।

kalyan agarbati

Comments are closed.