ଭୁବନେଶ୍ୱର: ରାଜ୍ୟର ବିଭିନ୍ନ ସ୍ଥାନରେ ସର୍ବାଧିକ ତାପମାତ୍ରା ବୃଦ୍ଧି ପାଇବାରେ ଲାଗିଛି। ୫ ସ୍ଥାନରେ ସର୍ବୋଚ୍ଚ ତାପମାତ୍ରା ୪୦ ଡିଗ୍ରୀ ଟପିଛି। ଭୁବନେଶ୍ୱର ପାଣିପାଗ କେନ୍ଦ୍ରର ଅନୁଯାୟୀ ୩ ଦିନ ଯାଏଁ ରାଜ୍ୟର ବିଭିନ୍ନ ସ୍ଥାନରେ ପାରଦ ୩ରୁ ୫ ଡିଗ୍ରୀ ପର୍ଯ୍ୟନ୍ତ ବୃଦ୍ଧି ପାଇବ। ଶୁକ୍ରବାର ସର୍ବୋଚ୍ଚ ତାପମାତ୍ରା ଭବାନୀପାଟଣାରେ ୪୨.୮ ଡିଗ୍ରୀ ରେକର୍ଡ କରାଯାଇଛି। କେନ୍ଦୁଝର, ମୟୂରଭଞ୍ଜ, ଅନୁଗୋଳ, ଢେଙ୍କାନାଳ, କନ୍ଧମାଳ, କୋରାପୁଟ, ମାଲକାନଗିରି ଏବଂ ନବରଙ୍ଗପୁର ଜିଲାର କିଛି ସ୍ଥାନରେ ଘଡଘଡି ସହ ବର୍ଷା ହୋଇପାରେ। ତିନିଦିନ ଯାଏଁ କାଳବୈଶାଖୀ ପ୍ରଭାବରେ ବଜ୍ରପାତ ସହ ବର୍ଷା ପବନ ଅନୁଭୂତ ହୋଇପାରେ।
ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ ଆକଳନ କରିଛନ୍ତି, ରାଜ୍ୟର କିଛି ସ୍ଥାନରେ ତାପମାତ୍ରା ୪୦ ଡିଗ୍ରୀରୁ ଅଧିକ ରହିଛି। କାଳବୈଶାଖୀ ଅନୁଭୂତ ହେବାକୁ ଥିବାରୁ ତାପମାତ୍ରା କମିବ। ଉପକୂଳ ଅଞ୍ଚଳରେ ଆଂଶିକ ମେଘୁଆ ହେତୁ ଖରାଟାଣ ନ ହେଲେ ମଧ୍ୟ ଗୁଳୁଗୁଳି ବଢ଼ିବ। ଜୁନ୍ ୩ ପର୍ଯ୍ୟନ୍ତ ପଶ୍ଚିମ ଓଡ଼ିଶାର କିଛି ସ୍ଥାନରେ ତାପମାତ୍ରା ବଢ଼ିବ। ଅନ୍ୟାନ୍ୟ ସ୍ଥାନରେ ଅପରିବର୍ତ୍ତିତ ରହିବ। ଭୁବନେଶ୍ୱର ସମେତ ଉପକୂଳରେ ସର୍ବାଧିକ ତାପମାତ୍ରା ୪୦ ଡିଗ୍ରୀ ଅତିକ୍ରମ କରିବ ନାହିଁ।



