www.samajalive.in
Wednesday, December 10, 2025
15.1 C
Bhubaneswar

ରଣଜୀ ଟ୍ରଫି: ଓଡ଼ିଶାର ବଡ଼ ସ୍କୋର୍‌; ୪୬୫ ରନ୍‌ ଲକ୍ଷ୍ୟର ପିଛାକରି ନାଗାଲାଣ୍ଡ ୧/୪୧

କଟକ: ଭୁବନେଶ୍ବରର କିଟ୍‌ ଷ୍ଟାଡିୟମ୍‌ରେ ଚାଲିଥିବା ରଣଜୀ ଟ୍ରଫି ମ୍ୟାଚ୍‌ରେ ମଙ୍ଗଳବାର ତୃତୀୟ ଦିନରେ ଘରୋଇ ଓଡ଼ିଶାର ବ୍ୟାଟ୍‌ସମ୍ୟାନ ଚମତ୍କାର ପ୍ରଦର୍ଶନ କରିଛନ୍ତି। ଉପଅଧିନାୟକ ସ୍ବସ୍ତିକ ସାମଲ ଓ ଅଧିନାୟକ ଶୁଭ୍ରାଂଶୁ ସେନାପତି ଶତକ ହାସଲ କରିଛନ୍ତି। ଫଳରେ ଓଡ଼ିଶା ମ୍ୟାଚ୍‌କୁ ନିୟନ୍ତ୍ରଣକୁ ନେଇପାରିଛି। ଏହି ଏଲିଟ୍‌ ଗ୍ରୁପ୍ ‘ଏ’ ମ୍ୟାଚ୍‌ରେ ପ୍ରଥମ ଇନିଂସରେ ୧୧୪ ରନ୍‌ ଆଗରେ ଥିବା ଓଡ଼ିଶା ତୃତୀୟ ଦିନରେ ୫ ୱିକେଟ୍‌ରେ ୩୫୦ ରନ୍‌କରି ୨ୟ ଇନିଂସ ଘୋଷଣା କରିଛି। ଫଳରେ ନାଗାଲାଣ୍ଡକୁ ୨ୟ ଇନିଂସରେ ଅସମ୍ଭବ ୪୬୫ ରନ୍‌ର ବିଜୟଲକ୍ଷ୍ୟ ମିଳିଛି। ଏହାର ପିଛାକରି ତୃତୀୟ ଦିନ ଶେଷରେ ନାଗାଲାଣ୍ଡ ୪୧ ରନ୍‌କରି ଗୋଟିଏ ୱିକେଟ୍‌ ହରାଇଛି। ୯ ୱିକେଟ୍‌ ବାକିଥିବା ବେଳେ ନାଗାଲାଣ୍ଡ ଆଉ ୪୨୪ ରନ୍‌ ଆବଶ୍ୟକ କରୁଛି। ଚଳିତ ସଂସ୍କରଣରେ ପ୍ରଥମ ବିଜୟ ପାଇଁ ଓଡ଼ିଶା ବୁଧବାର ଚତୁର୍ଥ ତଥା ଶେଷଦିନରେ ୯ଟି ୱିକେଟ୍‌ ଆବଶ୍ୟକ କରୁଛି।

ଚଳିତ ଋତୁରେ ଓଡ଼ିଶା ପ୍ରଥମ ୪ଟି ମ୍ୟାଚ୍‌ରୁ ୩ଟି ହାରି ମାତ୍ର ୧ ପଏଣ୍ଟ ପାଇଛି। ପୁଣି ଚଳିତ ସଂସ୍କରଣର ପଞ୍ଚମ ମ୍ୟାଚ୍‌ରେ ଓଡ଼ିଶାର ବ୍ୟାଟ୍‌ସମ୍ୟାନ୍ ଶତକ ମାରିଛନ୍ତି। ପ୍ରଥମ ଇନିଂସରେ ଅନୀଲ ପରିଡ଼ା ଏବଂ ୨ୟ ଇନିଂସରେ ସ୍ବସ୍ତିକ ସାମଲ ଓ ଶୁଭ୍ରାଂଶୁ ସେନାପତି ଶତକ ମାରିଛନ୍ତି। ତେବେ ଓଡ଼ିଶା ବହୁତ ବିଳମ୍ବରେ ୨ୟ ଇନିଂସ ଘୋଷଣା କରିବା ଅନେକଙ୍କୁ ଚକିତ କରିଛି। ଶୁଭ୍ରାଂଶୁ ଶତକ ପୂରଣ କରିବା ବେଳକୁ ଓଡ଼ିଶା ୪୦୦ରୁ ଅଧିକ ରନ୍‌ରେ ଆଗୁଆ ଥିଲା। ତଥାପି ଓଡ଼ିଶା ଆଉ ଅଧଘଣ୍ଟା ବ୍ୟାଟିଂକରିବା ଏହା ପାଇଁ ମହଙ୍ଗା ପଡ଼ିପାରେ। ଯଦି ନାଗାଲାଣ୍ଡ ମ୍ୟାଚ୍‌ ଡ୍ର ରଖିନିଏ; ତେବେ ବିଳମ୍ବରେ ଦ୍ବିତୀୟ ଇନିଂସ ଘୋଷଣା ଏହାର କାରଣ ହେବ। ୪୬୫ ରନ୍‌ ଲକ୍ଷ୍ୟ ମିଳିବା ପରେ ନାଗାଲାଣ୍ଡ ଖେଳ ଶେଷ ପର୍ଯ୍ୟନ୍ତ ୧୮ ଓଭର ବ୍ୟାଟିଂକରି ଗୋଟିଏ ୱିକେଟ୍‌ ହରାଇଛି।

- Advertisement -

ସିଦେଝାଲି ରୁପେରୋ ୪ ରନ୍‌କରି ବାଦଲ ବିଶ୍ବାଳଙ୍କ ଶିକାର ହୋଇଛନ୍ତି। ଡେଗା ନିଶ୍ଚଳ ୫୫ ବଲ୍‌ରୁ ୧୭ ଏବଂ ହେମ୍ ଚେତ୍ରୀ ୩୪ ବଲ୍‌ରୁ ୨୦ ରନ୍‌କରି ଅପରାଜିତ ଅଛନ୍ତି। ଦ୍ବିତୀୟ ଦିନ ଶେଷରେ ଓଡ଼ିଶା ଦ୍ବିତୀୟ ଇନିଂସରେ ୧୬ ରନ୍‌କରି ୨ଟି ୱିକେଟ୍‌ ହରାଇଥିଲା। ତୃତୀୟ ଦିନରେ ସ୍ବସ୍ତିକ ସାମଲ ଓ ଶୁଭ୍ରାଂଶୁ ସେନାପତି ମାରାଥନ୍ ଭାଗୀଦାରି କରି ଦୁହେଁ ଶତକ ହାସଲ କରିଥିଲେ। ତୃତୀୟ ୱିକେଟ୍‌ ପାଇଁ ଦୁହେଁ ୫୨ ଓଭରରେ ୨୬୧ ରନ୍‌ ଯୋଗ କରିଥିଲେ। ଜୀବନର ୨ୟ ରଣଜୀ ଶତକ ହାସଲ କରିଥିବା ଓପ୍‌ନର ସ୍ବସ୍ତିକ ସାମଲ ୧୯୫ ବଲ୍‌ରୁ ୫ଟି ଛକା ଓ ୧୧ଟି ଚୌକା ସହ ୧୬୯ ରନ୍‌ କରିଥିଲେ। ନବମ ରଣଜୀ ଶତକ ହାସଲ କରିଥିବା ଶୁଭ୍ରାଂଶୁ ସେନାପତି ୧୬୮ ବଲ୍‌ରୁ ୪ଟି ଛକା ଓ ୧୧ଟି ଚୌକା ସହ ୧୩୭ ରନ୍‌ କରିଥିଲେ। ଗୋବିନ୍ଦ ପୋଦ୍ଦାର ୧୮ ରନ୍‌ କରିଥିବା ବେଳେ ସମ୍ବିତ ବରାଳ ୨ଟି ଛକା ସହ ୧୯ ରନ୍‌କରି ଅପରାଜିତ ଥିଲେ। ବିନୋ ଝିମୋମି ଓ ଅଧିନାୟକ ରଙ୍ଗସେନ୍‌ ଜୋନାଥନ୍ ୨ଟି ଲେଖାଏଁ ୱିକେଟ୍‌ ନେଇଥିଲେ।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories