ଟିଟିଲାଗଡ଼ : ଫକୀର ମୋହନ କଲେଜ ଛାତ୍ରୀଙ୍କ ଆତ୍ମାହୂତି ଘଟଣାକୁ ନେଇ ପ୍ରଦେଶ କଂଗ୍ରେସର ବନ୍ଦ ଡାକରା କ୍ରମେ ଟିଟିଲାଗଡ଼ କଂଗ୍ରେସ ପକ୍ଷରୁ ବନ୍ଦ ପାଳନ କରାଯାଇଛି । ଗତ ନିର୍ବାଚନରେ କଂଗ୍ରେସ ଦଳ ଟିଟିଲାଗଡ଼ର ବିଧାୟକ ପ୍ରାର୍ଥୀ ବୀରେନ୍ଦ୍ର ବାଗ, ପ୍ରଦେଶ ଯୁବ କଂଗ୍ରେସ ସାଧାରଣ ସମ୍ପାଦକ ସୁରଜ ବେହେରା ପ୍ରମୁଖ ତୁଙ୍ଗ ନେତାଙ୍କ ନେତୃତ୍ୱରେ କଂଗ୍ରେସ କର୍ମୀ ରାସ୍ତା ଅବରୋଧ କରି ବିଭିନ୍ନ ଛକରେ ଧାରଣା ଦେବା ସହ ଯାନବାହାନ ଚଳାଚଳ ଠପ କରିଦେଇଥିଲେ । କଂଗ୍ରେସ କର୍ମୀ ବିଭିନ୍ନ ସରକାରୀ କାର୍ଯ୍ୟାଳୟରେ ପିକେଟିଂ ସହ ବନ୍ଦ କରିଦେଇଥିଲେ । ଦଳ ପକ୍ଷରୁ ଗତକାଲି ଠାରୁ ଡାକ ବାଜି ଯନ୍ତ୍ର ଯୋଗେ ସହରରେ ବନ୍ଦ ଘୋଷଣା ଯୋଗୁଁ ବ୍ୟବସାୟିକ ପ୍ରତିଷ୍ଠାନ, ଶିକ୍ଷାନୁଷ୍ଠାନ ସ୍ୱତଃ ବନ୍ଦ ରହିଥିଲା । ବନ୍ଦରେ ଦଳର ବରିଷ୍ଠ ନେତା ରଞ୍ଜନ ଦାଶ, ଦେବାନନ୍ଦ ସାହୁ, ବିଚିତ୍ର ବାଗ, ମହେଶ ରାଓ, ଅରୁଣ ହରପାଳ, ମଗନ ନାଗ, ଉତ୍ତମ ସୁନା, ନାରାୟଣ ନାଗ, ଲିଙ୍ଗ ସୁନା, ଲାଲଟୁ ତାଣ୍ଡି, ଲାଲୁ କୁମ୍ଭାର, ସୁବାଶ ଛତର ଦୁର୍ଯ୍ୟୋଧନ ସୁନା, ମୃତ୍ୟୁଞ୍ଜୟ ଦୀପ, ଦିଲେଶ୍ଵର ଜାଲ, କବିତା ରଣା, କିଷାନ ନାଗ, ମାଧବ ତାଣ୍ଡି, ଦୁର୍ଗା କବାଟ, କରଣ ସିଂ ହରପାଲ, ପ୍ରମୁଖ ସାମିଲ ହୋଇଥିଲେ । ବନ୍ଦ ପରିପ୍ରେକ୍ଷୀରେ ଆଇନ ଶୃଙ୍ଖଳା ନେଇ ଭାରପ୍ରାପ୍ତ ମାଜିଷ୍ଟ୍ରେଟ ତଥା ଟିଟିଲାଗଡ଼ ତହସିଲଦାର ସୁଭାଶିଷ ଶତପଥିଙ୍କ ତତ୍ୱାବଧାନରେ ଏସଡ଼ିପିଓ ଯଶୋବନ୍ତ ପ୍ରଧାନୀ, ଆଇଆଇସି କଲ୍ୟାଣୀ ବେହେରାଙ୍କ ସମେତ ୩ ପ୍ଲାଟୁନ ପୋଲିସ ତଥା ଆଆରବି ଯବାନ ବିଭିନ୍ନ ଛକରେ ମୁତୟନ ଥିବା ଦେଖାଯାଇଥିଲା। ଅନ୍ୟପକ୍ଷରେ ଟିଟିଲାଗଡ଼ ଉପଜିଲ୍ଲାପାଳ ରେହାନ ଖତ୍ରୀ ତାଙ୍କ କାର୍ଯ୍ୟାଳୟ ଖୋଲି କର୍ମଚାରୀଙ୍କ ସହ ବସିଥିବା ନେଇ କଂଗ୍ରେସ ନେତା ଶ୍ରୀ ବାଗ ତାଙ୍କୁ ବନ୍ଦ ପାଇଁ ଅନୁରୋଧ କରିଥିବା ବେଳେ ସେ ମନା କରିଦେଇଥିବା ଜଣାଯାଇଛି । ଏନେଇ ପୀଡିତାଙ୍କ ଅଭିଯୋଗ ରାଜନେତାଙ୍କଠାରୁ ଆରମ୍ଭ କରି ପ୍ରଶାସନ ସଭିଏଁ ଅଣଦେଖା କରିଥିବା ବେଳେ ଟିଟିଲାଗଡ଼ ଉପଜିଲ୍ଲାପାଳ ମଧ୍ୟ ପୀଡିତାଙ୍କ ଉପରେ ଅଭିମାନ କରିଛନ୍ତି ବୋଲି କଂଗ୍ରେସ କର୍ମୀ କୁହାକୁହି ହେଉଥିବା ଚର୍ଚ୍ଚାର ବିଷୟ ହୋଇଛି । ଅନ୍ୟପକ୍ଷରେ ଭାରପ୍ରାପ୍ତ ମାଜିଷ୍ଟ୍ରେଟ ଦାୟିତ୍ୱରେ ଥିବା ଟିଟିଲାଗଡ଼ ତହସିଲଦାର ସମସ୍ତ କର୍ମଚାରୀଙ୍କ ସହ ନିଜ କାର୍ଯ୍ୟାଳୟରେ ବସିଥିବା ବେଳେ କଂଗ୍ରେସ ନେତା ପହଞ୍ଚିବା ପରେ କାର୍ଯ୍ୟାଳୟରୁ ବାହାରି ଯାଇଥିବା ଦେଖାଯାଇଥିଲା ।
Popular Categories



