ପାଟଣା : କେନ୍ଦୁଝର ଜିଲ୍ଲା ଘଟଗାଁ ବ୍ଲକ ଅନ୍ତର୍ଗତ କାଳିମାଟିଠାରୁ ଗଦାଧରପୁର , ନିଳବିଲା ,କୁଣ୍ଡାପିଠା ଦେଇ ବୈତରଣୀରେ ମିଶିଛି କୁକୁର କଟା ନଦୀ। ଏହି କୁକୁର କଟା ନଦୀ ବୈତରଣୀର ଗୋଟିଏ ଉପନଦୀ। ଏହି ନଦୀ ଏବେ ନଳବିଲା,ଗିଧିବସା ଗ୍ରାମର ନଦୀ କୂଳରେ ଥିବା ଚାଷଜମି କୂଳ ଖାଇ ସାରିଲାଣି। ଗାଁର ଲୋକମାନେ ପ୍ରାୟତଃ ଚାଷ ଉପରେ ହିଁ ନିର୍ଭରଶୀଳ। କୁକୁର କଟା ନଦୀର ନଳବିଲାଠାରେ ଏକ ବାଙ୍କ ରହିଥିବାରୁ ପାଣିର ପ୍ରଖର ସ୍ରୋତ ଚାଷ ଜମିର କୂଳ ଖାଇଥାଏ। ନଦୀ କୂଳରେ ଏକର ଏକର ଚାଷୀଙ୍କ ଚାଷଜମି ରହିଥିବାରୁ ଚାଷୀଭାଇ ଏବେ ଚିନ୍ତାରେ । ସରକାରଙ୍କ ବହୁ ଯୋଜନା ରହିଥିବା ବେଳେ ନଳବିଲା,ଗିଧିବସା ଗାଁ ପାଇଁ ଯୋଜନା ଅପହଞ୍ଚ ହୋଇ ଯାଇଛି। ନଳବିଲାଠାରେ ଚେକ୍ ଡ଼୍ୟାମ ଏବଂ କଂକ୍ରିଟ ପିଲର ସହ ପଥର ପେଚିଂ ପାଇଁ ପାଖାପାଖି ୩୦ ବର୍ଷ ପୂର୍ବରୁ ସର୍ଭେ ହୋଇଥିଲେ ସୁଦ୍ଧା କୌଣସି ପଦକ୍ଷେପ ନେଇ ନାହାନ୍ତି ବିଭାଗୀୟ ଅଧିକାରୀ ।
କୁକୁର କଟା ନଦୀରେ ବହୁ ଜାଗାରେ କ୍ଷୁଦ୍ର ଜଳସେଚନ ପ୍ରକଳ୍ପ ଦ୍ୱାରା ଚେକ୍ ଡ଼୍ୟାମ କରାଯାଇଛି । କିନ୍ତୁ ଯେଉଁଠାରେ ନିହାତି ଚେକ୍ଡ଼୍ୟାମର ଆବଶ୍ୟକତା ଥିଲା ସେଠାରେ ତିଆରି ହୋଇପାରିନାହିଁ। ନଳବିଲା ସୀମାର ଚାଷଜମି କ୍ଷତିଗ୍ରସ୍ତ ହୋଇ କେଉଁ ଜାଗାରେ ଚାଷ ଜମି ଧୋଇ ଗଲାଣି ତ ଆଉ କେଉଁ ଜାଗାରେ ଚାଷଜମି କୂଳ ଖାଇବା ପାଇଁ ପ୍ରସ୍ତୁତ ହେଲାଣି। ଉପରେ ମୁଣ୍ଡରେ ବଡଜାମୁପଶିଠାରେ ରହିଛି ଏକ ଚେକ୍ ଡ଼୍ୟାମ , ଯାହା ଫଳରେ ନଳବିଲା ତଳ ମୁଣ୍ଡରେ ଥିବାରୁ ଏହି ଜାଗାରେ ବର୍ଷା ଦିନରେ ଅଧିକ କୂଳ ଖାଇ ଯାଉଛି ବୋଲି ସ୍ଥାନୀୟ ନଳବିଲା ଗ୍ରାମର ଚାଷୀମାନେ କହିଛନ୍ତି । ଏହି ଦୁଇ ଗାଁର ଚାଷୀ ବର୍ଷ ସାରା ନଦୀ କୂଳରେ ଧାନ ପନିପରିବା ଚାଷ କରି ବଜାରରେ ବିକ୍ରି କରି କିଛି ଟଙ୍କା ରୋଜଗାର କରି ବେଶ୍ ନିଜର ପରିବାର ପ୍ରତିପୋଷଣ କରିଥାନ୍ତି। କିନ୍ତୁ ବର୍ତ୍ତମାନ ପାଣି ବଢିରେ କୂଳ ଖାଇ ଯାଉଥିବା ବେଳେ ଚାଷୀଙ୍କ ମୁଣ୍ଡ ବିନ୍ଧା ଆରମ୍ଭ ହୋଇଛି ।
ନଦୀର ବାଙ୍କ ନିକଟରେ ବଡ଼ ବଡ଼ ଜମି କୂଳ ଖାଇଗଲାଣି । ଆଉ କିଛି ଜାଗାରେ ଜମି ଉପରେ ବଡ଼ ବଡ଼ ଘାଇ ସୃଷ୍ଟି ହୋଇଛି । ଯଥାଶୀଘ୍ର ରାଜ୍ୟ ସରକାର ପଦକ୍ଷେପ ନେଇ ନଳବିଲାଠାରେ କ୍ଷତିଗ୍ରସ୍ତ ଚାଷୀଙ୍କ ପାଇଁ ପଦକ୍ଷେପ ନନେଲେ ଚାଷୀଙ୍କ ଏକର ଏକର ଜମି ନଦୀରେ ମିଶିଯିବ । ବିଶେଷ କରି ବଡଜାମୁପଶି ଗ୍ରାମ ପଞ୍ଚାୟତର ନଳବିଲା ଗାଁର ଚାଷୀମାନେ ସବୁଠାରୁ ଅଧିକ ପ୍ରଭାବିତ ହେଉଥିବାବେଳେ, ଗିଧିବସା , କୁଣ୍ଡାପିଠାର ଚାଷୀ ମଧ୍ୟ ବହୁ ମାତ୍ରାରେ ପ୍ରଭାବିତ ହୋଇ ଚାଷଜମି ହରାଇବେ। ତେଣୁ ଯଥାଶୀଘ୍ର ସରକାର ପଦକ୍ଷେପ ନେଇ କାମ ଆରମ୍ଭ କରନ୍ତୁ ବୋଲି ଗ୍ରାମବାସୀ ଦାବି କରିଛନ୍ତି।



