କେନ୍ଦୁଝରଗଡ଼଼: ରାମଚନ୍ଦ୍ରପୁର ଥାନା ଅଧିନ ଶାଳଦେଇ ବାଲିଘାଟ ବିବାଦକୁ କେନ୍ଦ୍ର କରି ହତ୍ୟାର ଶୀକାର ହୋଇଥିବା ମଲ୍ଲୀ ଜେନାଙ୍କ ହତ୍ୟା ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ ଦାବିରେ ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ପୃଥ୍ୱୀରାଜ କୁଅଁରଙ୍କ ନେତୃତ୍ୱରେ ଏକ ପ୍ରତିନିଧିଦଳ ଶୁକ୍ରବାର ଏସ୍.ପି ମିତ୍ରଭାନୁ ମହାପାତ୍ରଙ୍କୁ କାର୍ଯ୍ୟାଳୟରେ ଭେଟିଛନ୍ତି। ଶାଳଦେଇ ବେଆଇନ ବାଲିଘାଟକୁ ବିରୋଧ କରି ସ୍ଥାନୀୟ ଗ୍ରାମର ଶତାଧିକ ମହିଳା ପ୍ରଶାସନକୁ ବାରମ୍ବାର ଅଭିଯୋଗ କରି ଆସୁଥିଲେ। ମାର୍ଚ୍ଚ ୨୨ ତାରିଖରେ ବେଆଇନ ବାଲିଘାଟକୁ ଶତାଧିକ ମହିଳା ବିରୋଧ କରିବା ସମୟରେ ବାଲି ମାଫିଆ ମାନେ ଘସିପୁରା ବ୍ଲକ ଅଧ୍ୟକ୍ଷଙ୍କ ସ୍ୱାମୀ ବାବନ ସାହୁ, ତରୁଆଁ ସରପଞ୍ଚ ବଳରାମ ବେହେରା ଓ ଶାଳଦେଇ ଗ୍ରାମର ରାମକୃଷ୍ଣ ବେହେରାଙ୍କ ନେତୃତ୍ୱରେ ଶତାଧିକ ଯୁବକ ବାଲିଘଙାଟକୁ ବିରୋଧ କରୁଥିବା ମହିଳାଙ୍କୁ ସଂଘବଦ୍ଧ ଭାବେ ଆକ୍ରମଣ କରିଥିବା ଶ୍ରୀ କୁଅଁର ଏସ୍.ପିଙ୍କୁ ଲିଖିତ ଭାବେ ଅବଗତ କରିଛନ୍ତି। ବାଲିଘାଟକୁ ବିରୋଧର ନେତୃତ୍ୱ ନେଉଥିବା ମଲ୍ଲୀ ଜେନାଙ୍କ ଡାହାଣ ଗୋଡକୁ ଦୁର୍ବୃତ୍ତମାନେ ଭୁଜାଲି ସାହାର୍ଯ୍ୟରେ ହାଣି ଦେବାରୁ ମଲ୍ଲୀ ଜେନାଙ୍କୁ ତୁରନ୍ତ କଟକ ବଡ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ୬ଦିନ ମୃତ୍ୟୁ ସହ ସଂଗ୍ରାମ କରି ଶେଷରେ ମଲ୍ଲୀ ଜେନା ଆଖି ବୁଜିବା ସ୍ଥାନୀୟ ଅଞ୍ଚଳବାସୀଙ୍କୁ ସ୍ତବ୍ଧ କରିଥିବା ତାଙ୍କ ଅଭିଯୋଗପତ୍ରରେ ଶ୍ରୀ କୁଅଁର ଦର୍ଶାଇଛନ୍ତି। ଏହି ସ୍ପର୍ଶକାତର ଘଟଣାରେ ସାମିଲ ସମସ୍ତ ଅଭିଯୁକ୍ତ ସ୍ଥାନୀୟ ବିଧାୟକଙ୍କ ପୁଅ ତଥା ଘସିପୁରା ବ୍ଲକର ପୂର୍ବତନ ଅଧ୍ୟକ୍ଷ ଦେବାଶିଷ ପାତ୍ରଙ୍କ ଦୃଢ଼ ସମର୍ଥକ ହୋଇଥିବାରୁ ସ୍ଥାନୀୟ ପୁଲିସ ଓ ପ୍ରଶାସନ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରିବାରୁ ଅପରାଧି ଖସି ଯିବାକୁ ସକ୍ଷମ ହେବାସହ ଦୀର୍ଘ ୨୦ବର୍ଷରୁ ଊର୍ଦ୍ଧ୍ବ ସମୟ ଧରି ବାରମ୍ବାରଗୁଣ୍ଡାରାଜ ସୃଷ୍ଟି କରି ସ୍ଥାନୀୟ ଅଞ୍ଚଳରେ ଆତଙ୍କରାଜ ଶାସନ ଚଳାଇ ଆସିଥିବା ଶ୍ରୀ କୁଅଁର ଅଭିଯୋଗ କରିଛନ୍ତି। ଏପରିକି ୧୪ ଜୁଲାଇ ୨୦୨୨ରେ ଖଲଣା ଗ୍ରାମର ସୁନନ୍ଦା ସେଠୀ ନାମକ ଯୁବକଙ୍କୁ ଦିନ ଦ୍ୱିପ୍ରହରରେ ଗୁଳି କରି ହତ୍ୟା କରିବା ଘଟଣା ଲୋକଙ୍କ ମନରୁ ଲିଭି ନଥିବା ବେଳେ ମଲ୍ଲୀ ଜେନା ହତ୍ୟା ଘଟଣା ସ୍ଥାନୀୟ ଲୋକଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି କରିଛି। ଘସିପୁରା ନିର୍ବାଚନମଣ୍ଡଳୀରେ ବାରମ୍ବାର ଶାନ୍ତି ଭଙ୍ଗ କରି ହତ୍ୟାକାଣ୍ଡ ଓ ଅସାମାଜିକ କାର୍ଯ୍ୟକଳାପ ଲିପ୍ତ ରହୁଥିବା ଅଭିଯୁକ୍ତ ସ୍ଥାନୀୟ ବିଧାୟକ ଶ୍ରୀ ପାତ୍ରଙ୍କ ପୁଅ ଦେବାଶିଷଙ୍କ ଇଙ୍ଗିତରେ ଏହି ସମସ୍ତ କାଣ୍ଡ ଭିଆଉଥିବାରୁ ଦେବାଶିଷଙ୍କ ମୋବାଇଲ ଜବତ କରିବା ସହ ମଲ୍ଲୀ ଜେନା ହତ୍ୟାକାଣ୍ଡରେ ସମ୍ପୃକ୍ତ ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ ସହ ସେମାନଙ୍କ ବିରୋଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଶ୍ରୀ କୁଅଁରଙ୍କ ସମେତ ଜିତେନ୍ଦ୍ର କୁମାର ପଲେଇ, ରୁଦ୍ର ପ୍ରସାଦ ବେହେରା ଓ ପଦ୍ମନାଭ ମହାନ୍ତ ପ୍ରମୁଖ ଏସ୍. ପି. ଶ୍ରୀ ମହାପାତ୍ରଙ୍କୁ ଭେଟି ଉପରୋକ୍ତ ଦାବି କରିଛନ୍ତି। ଶାଳଦେଇ ଘଟଣାରେ ମାମଲା ରୁଜୁ କରାଯାଇ ଏକ ସ୍ପେଶାଲ ଟିମ୍ ଗଠନ କରାଯାଇ ଅଧିକ ତଦନ୍ତ ଚାଲିଛି, ଖୁବ୍ ଶିଘ୍ର ଆଇନାନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଏସ୍.ପି. ଶ୍ରୀ ମହାପାତ୍ର ଗଣମାଧ୍ୟମକୁ ସୂଚନା ଦେଇ ଏହା କହିଛନ୍ତି।
Popular Categories



