ଅଇଁଠାପାଲି ଅଞ୍ଚଳର ସମସ୍ୟା ସମାଧାନ ଦାବି

ସମ୍ବଲପୁର: ସମ୍ବଲପୁର ସହରର ଅଇଁଠାପାଲି ନିବାସୀ ଜିଲା ପ୍ରଶାସନ ନିକଟରେ ଦ୍ୱାରସ୍ଥ ହୋଇ ଲାଗି ରହିଥିବା ସମସ୍ୟା ଗୁଡିକର ସମାଧାନ ଦାବି କରିଛନ୍ତି। ଅଞ୍ଚଳର ଦୋକାନୀ, ବ୍ୟବସାୟୀ ଓ ଜନତା ଜାତୀୟ ରାଜପଥ ସମସ୍ୟା ନେଇ ଜିଲାପାଳଙ୍କ କାର୍ଯ୍ୟାଳୟରେ ଦେଇଥିବା ଦାବିପତ୍ର ଅନୁଯାୟୀ, ଅଇଁଠାପାଲି ଛକ ଅଞ୍ଚଳରେ କିଛି ମାସ ହେବ ଜାତୀୟ ରାଜପଥର ସାର୍ଭିସ ରୋଡକୁ ଯିବା ପାଇଁ ଥିବା ରାସ୍ତାକୁ ବ୍ୟାରିକେଟ ଦେଇ ବନ୍ଦ କରି ଦିଆଯାଇଛି। ଏଥି ପାଇଁ ଏହାର ପ୍ରତିକୂଳ ପ୍ରଭାବ ଏହି ଅଞ୍ଚଳରେ ବ୍ୟବସାୟ କରୁଥିବା ଦୋକାନୀ, ବ୍ୟବସାୟୀ ଓ ଲୋକ ଉପରେ ପଡୁଛି। ଏଣୁ ବ୍ୟବସାୟ କ୍ଷତି ହେଉଥିବା ବେଳେ ସାଧାରଣ ଲୋକେ ଜାତୀୟ ରାଜପଥର ଗୋଟିଏ ପଟରୁ ଅନ୍ୟ ପଟକୁ ଯିବା ପାଇଁ ଅନେକ ଅସୁବିଧା ଭୋଗ କରୁଛନ୍ତି। ଅନ୍ୟ ପଟରେ ରୋଗୀ ମାନେ ଅଞ୍ଚଳରେ ରହିଥିବା ଡାକ୍ତରଖାନା ଗୁଡିକୁ ଯାତାୟାତ, ବିଦ୍ୟାଳୟ ଗୁଡିକୁ ଯାତାୟାତ ଆଦି ବାଧିତ ହେଉଛି। ଏଥି ପାଇଁ ପୁର୍ବରୁ ଅଞ୍ଚଳବାସୀ ଓ ବ୍ୟବସାୟୀ ମାନେ ଏସପିଙ୍କୁ ସାକ୍ଷାତକାର କରି ଅସୁବିଧା ସର୍ମ୍ପକରେ ଜଣାଇଛନ୍ତି। ତେବେ ସମସ୍ୟାର ସମାଧାନ ହୋଇ ନ ଥିବାରୁ ଜିଲା ପ୍ରଶାସନ ନିକଟରେ ଜାତୀୟ ରାଜପଥରେ ସାର୍ଭିସ ରୋଡକୁ ଯିବା ପାଇଁ ଥିବା ରାସ୍ତାରୁ ବ୍ୟାରିକେଟ ଗୁଡିକୁ ହଟାଇବା ପାଇଁ ଦାବି କରାଯାଇଛି। ଅଞ୍ଚଳବାସୀ ଜିଲା ପ୍ରଶାସନ ସହିତ ପରିବହନ ବିଭାଗକୁ ମଧ୍ୟ ଏକ ଦାବିପତ୍ର ପ୍ରଦାନ କରିଛନ୍ତି।
Comments are closed.