ବୌଦ୍ଧ ଏନଏସି ପକ୍ଷରୁ ୱାର୍ଡ ପରିକ୍ରମା କାର୍ଯ୍ୟକ୍ରମ

ବୌଦ୍ଧ: ବୌଦ୍ଧ ଏନଏସି ପକ୍ଷରୁ ଆରମ୍ଭ ହୋଇଥିବା ୱାର୍ଡ ପରିକ୍ରମା କାର୍ଯ୍ୟକ୍ରମ ସହରବାସୀଙ୍କ ଦ୍ୱାରା ଆଦୃତ ହୋଇଛି। ଏନଏସି ର କାଉନସିଲ ସଦସ୍ୟ ଓ ଅଧ୍ୟକ୍ଷ ବ୍ୟକ୍ତିଗତ ଭାବରେ ୱାର୍ଡ ପରିକ୍ରମା କରି ଲୋକଙ୍କ ସହିତ ସିଧାସଳଖ ଆଲୋଚନା କରିବା ସହିତ ସେମାନଙ୍କ ସମସ୍ୟା ଅନୁଧ୍ୟାନ କରୁଛନ୍ତି। ଏହାବ୍ୟତୀତ ପ୍ରତ୍ୟେକ ୱାର୍ଡରେ ଏନଏସି ପକ୍ଷରୁ ଯୋଗାଇ ଦିଆଯାଉଥିବା ସେବା ସଂପର୍କରେ ଅନୁଧ୍ୟାନ କରାଯିବା ସହିତ ଲୋକଙ୍କ ଆବଶ୍ୟକତା ନେଇ ମଧ୍ୟ ନିର୍ବାଚିତ ସଦସ୍ୟମାନେ ଜାଣିପାରୁଛନ୍ତି। ୱାର୍ଡ ପରିକ୍ରମା କାର୍ଯ୍ୟକ୍ରମ ଚତୁର୍ଥ ଦିନରେ ପହଞ୍ଚିଥିବା ବେଳେ ଏନଏସି ଅଧ୍ୟକ୍ଷ ମୃତ୍ୟୁଞ୍ଜୟ ମିଶ୍ରଙ୍କ ନେତୃତ୍ୱରେ କାଉନସିଲ ସଦସ୍ୟ ଓ ଏନଏସି କର୍ମଚାରୀମାନେ ୨,୩ ଓ ୪ ନମ୍ବର ୱାର୍ଡ ବୁଲି ଲୋକଙ୍କ ସହିତ ଆଲୋଚନା କରିବା ସହ ବିଭିନ୍ନ ସମସ୍ୟା ପଚାରି ବୁଝିଛନ୍ତି। ବିଶେଷ ଭାବରେ ବସ୍ତିଗୁଡିକ ମଧ୍ୟରେ ଡ୍ରେନ ସଫେଇ, ବର୍ଷାଜଳ ନିଷ୍କାସନ, ପାନୀୟ ଜଳ, ରାସ୍ତା ଓ ଡ୍ରେନ ଗୁଡିକର ମରାମତି ଓ ପୁନଃନିର୍ମାଣ, ନଦୀଘାଟର ଉନ୍ନତିକରଣ, ଆଲୋକୀକରଣ ସଂପର୍କରେ ୱାର୍ଡବାସୀନ୍ଦାମାନେ ଅଧ୍ୟକ୍ଷଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଲୋକଙ୍କ ସମସ୍ୟା ଗୁଡିକୁ ଅଗ୍ରାଧିକାର ଭିତିରେ ସମାଧାନ ପାଇଁ ଏନଏସି ପକ୍ଷରୁ ଉଦ୍ୟମ କରାଯିବ ବୋଲି ଅଧ୍ୟକ୍ଷ ଶ୍ରୀ ମିଶ୍ର ପ୍ରକାଶ କରିବା ସହିତ ଆଗାମୀ ଦିନରେ ୱାର୍ଡଗୁଡିକର ବିକାଶ ପାଇଁ କିଛି ଯୋଜନା ରହିଥିଲେ ମଧ୍ୟ ଜଣାଇବାକୁ ନିବେଦନ କରିଥିଲେ।

Comments are closed.